ବୁର୍ଲା,(ବି.ବି.ନୁ୍ୟଜ୍): ବୁର୍ଲା ଭିମସାରରେ ପ୍ରଥମ କରି ଜଣେ ସନ୍ଦିଗ୍ଧ କରୋନା ଭାଇରସ୍ ରୋଗୀ ଭର୍ତ୍ତି ହୋଇଛନ୍ତି । ଆଜି ରାତି ପ୍ରାୟ ୯ଟା ବେଳେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଅଞ୍ଚଳରୁ ଆସି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ଆରମ୍ଭ କରିଛନ୍ତି । ୨୩ ବର୍ଷୀୟ ଏହି ଯୁବକ ମେଡିକାଲ ଆସିବା ପୂର୍ବରୁ ସୂଚନା ପାଇ କର୍ତ୍ତୃପକ୍ଷ ସତର୍କତା ଅବଲମ୍ବନ କରିଥିବା ବେଳେ ଏହାକୁ ନେଇ କ୍ୟାମ୍ପସ୍ରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ସଂପୃକ୍ତ ରୋଗୀଙ୍କୁ ପଲମୋନାରି ୱାର୍ଡର ଉପର ମହଲାରେ ଭର୍ତ୍ତି କରାଯାଇଥିବା ବେଳେ ସେହି ୱାର୍ଡରେ ପୂର୍ବରୁ ଥିବା ସମସ୍ତ ରୋଗୀଙ୍କୁ ତଳ ମହଲାକୁ ସ୍ଥାନାନ୍ତର କରି ଦିଆଯାଇଛି ।
ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳକୁ ସୁନ୍ଦରଗଡ ସଦର ଡାକ୍ତରଖାନାରୁ ହେମଗିର ଅଞ୍ଚଳର ଜଣେ ସନ୍ଦିଗ୍ଧ କରୋନା ରୋଗୀ ବୁର୍ଲା ଭିମସାରକୁ ଆସୁଥିବା ନେଇ କର୍ତ୍ତୃପକ୍ଷ ସୂଚନା ପାଇଥିଲେ । ଏହାପରେ ତୁରନ୍ତ ସତର୍କତା ପଦକ୍ଷେପ ସ୍ୱରୂପ ପଲମୋନାରି ୱାର୍ଡରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଉପର ମହଲାରେ ତାଙ୍କ ପାଇଁ ବ୍ୟବସ୍ଥା କରିବା ସାଙ୍ଗକୁ ଯୁଦ୍ଧକାଳୀନ ଭିତ୍ତିରେ ସେହି ମହଲାରେ ଥିବା ସମସ୍ତ ରୋଗୀଙ୍କୁ ତଳ ମହଲାକୁ ସ୍ଥାନାନ୍ତର କରି ଦିଆଯାଇଥିଲା । ରାତି ପ୍ରାୟ ସାଢେ ୯ଟା ବେଳକୁ ସଂପୃକ୍ତ ରୋଗୀ ଭିମସାରକୁ ପହଞ୍ଚିବା ପରେ ଉକ୍ତ ୱାର୍ଡରେ ରଖି ତୁରନ୍ତ ସ୍ୱତନ୍ତ୍ର ଚିକିତ୍ସା ଆରମ୍ଭ ହୋଇଛି । ପଲମୋନାରୀ ବିଭାଗ ପ୍ରଫେସର ସୁଦର୍ଶନ ପୋଥାଲଙ୍କ ନେତୃତ୍ୱରେ ଏକ ୩ ଜଣିଆ ଦଳ ତାଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି ।
ତେବେ ଏହାକୁ ନେଇ ଡାକ୍ତର ପୋଥାଲଙ୍କୁ ଯୋଗାଯୋଗ କରାଯିବାରୁ ରୋଗୀ ଭର୍ତ୍ତି ତଥା ଚିକିତ୍ସା ପାଇଁ ସମସ୍ତ ସାବଧାନତା ଅବଲମ୍ବନ କରାଯାଇଥିବା ସୂଚନା ଦେବା ସହିତ ସାଧାରଣ ରୋଗୀଙ୍କୁ ଉଚିତ ସ୍ଥାନରେ ରଖି ଦିଆଯାଇଥିବା ସୁଚନା ଦେଇଛନ୍ତି । ଏହା ସହିତ ସନ୍ଦିଗ୍ଧ ରୋଗୀର ଚିକିତ୍ସା ତଥା ପରୀକ୍ଷା କ୍ଷେତ୍ରରେ ଯାହା ଆବଶ୍ୟକ ତାହା ଉପଲବ୍ଧ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ୨୩ ବର୍ଷୀୟ ଯୁବକ ଜଣକ କୋରିଆରେ ଚାକିରି କରୁଥିବା ବେଳେ ଗତ ୨୨ ତାରିଖରେ ସେ ଭାରତ ପହଞ୍ଚିଥିଲେ । ଦିଲ୍ଲୀରେ ସେ ପହଞ୍ଚିବା ପରେ କରୋନା ଭାଇରସରେ ପୀଡ଼ିତ ଥିବା ସନେ୍ଦହରେ ତାଙ୍କ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ମାତ୍ର ପରୀକ୍ଷାରେ କିଛି ବାହାରି ନ ଥିଲା ।
ପରେ ଯୁବକ ଜଣକ ବିମାନ ଯୋଗେ ଆସି ଝାରସୁଗୁଡ଼ା ଏୟାରପୋର୍ଟ ପହଞ୍ଚିଥିଲେ । ତାଙ୍କ ବାପା ଏମ୍ସିଏଲ୍ରେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ତେବେ ଗତକାଲି ସନ୍ଧ୍ୟା ସମୟରୁ ଯୁବକଙ୍କ ଜ୍ୱର ଆରମ୍ଭ ହେବା ପରେ ତାଙ୍କୁ ଆଜି ବୁର୍ଲା ମେଡ଼ିକାଲ ଟିବି ଚେଷ୍ଟ ବିଭାଗର କରୋନା ନୋଡାଲ୍ ସେଣ୍ଟରକୁ ଅଣାଯାଇଛି । ରୋଗୀଙ୍କୁ ଡାକ୍ତର ପୋଥାଲ ନିଜେ ମାସ୍କ ତଥା ସମୁଦାୟ ଶରୀର ଘୋଡ଼ା ହୋଇଥିବା ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରି ଚିକିତ୍ସା କରୁଛନ୍ତି । ସେପଟେ, ଏହି ରୋଗୀଙ୍କୁ ନେଇ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ରୋଗୀ ଏବଂ ପରିଜନଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଥିବା ଦେଖିବାକୁ ମିଳିଛି ।
Comments are closed, but trackbacks and pingbacks are open.