ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ପାଇଁ ଖୁସି ଖବର । ନୂଆ ବର୍ଷରେ ଆରମ୍ଭ ହେବ ନୂଆ ବିମାନ ସେବା । ଭୁବନେଶ୍ୱରରୁ ବିମାନ ଉଡ଼ିବ ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ) ରାଜଧାନୀ ଆବୁଧାବିକୁ । ଇଣ୍ଡିଗୋ ଏୟାରଲାଇନ୍ସ ଏହି ବିମାନ ସେବା ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି । ସମ୍ଭବତଃ ଆସନ୍ତା ଜାନୁଆର ମାସରେ ଭୁବନେଶ୍ୱର-ଆବୁଧାବି ମଧ୍ୟରେ ବିମାନ ସେବା ଆରମ୍ଭ ହେବ ।
ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା ଆରମ୍ଭ କରିବା ପାଇଁ ଦୀର୍ଘଦିନରୁ ଯୋଜନା ଚାଲିଛି । ବିଭିନ୍ନ ଏୟାରଲାଇନ୍ସ ସହ ଏ ନେଇ କଥାବାର୍ତ୍ତା ମଧ୍ୟ ହୋଇଥିଲା । ମାତ୍ର ଦୁବାଇକୁ ବିମାନ ଚଳାଚଳ ପାଇଁ ସଂପୃକ୍ତ ବିମାନବନ୍ଦରରୁ ସ୍ଲଟ (ସମୟ) ମିଳିବା ସହଜ ହେଉନି । ଏଥିପାଇଁ ଦୁବାଇର ପାଖ ସହର ଆବୁଧାବିକୁ ଭୁବନେଶ୍ୱରରୁ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ଯୋଜନା କରିଛି । ୨୦୨୦ର ପ୍ରଥମ ମାସରେ ଏହି ବିମାନ ସେବା ଆରମ୍ଭ ହେବା ସମ୍ଭାବନା ଅଛି ବୋଲି ଜଣେ ବରିÂ ଅଧିକାରୀ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ବିମାନ ଚଳାଚଳକୁ ବଢ଼ାଇବା ପାଇଁ ଆଜି କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରାଳୟର ସଚିବ ପ୍ରଦୀପ ସିଂ ଖାରୋଲା ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ବିଦେଶକୁ ବିମାନ ଚଳାଚଳ ବିଷୟ ସହ ଉଡାନ୍-୪ ଯୋଜନା ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା । ନିଷ୍ପତ୍ତି ହୋଇଥିଲା, ଉଡାନ୍-୪ ଯୋଜନାରେ ଓଡ଼ିଶାର ଆଉ ୩ ବିମାନବନ୍ଦର ଜୟପୁର, ଉତ୍କେଲା ଓ ରାଉରକେଲାକୁ ସାମିଲ କରାଯିବ । ପୂର୍ବରୁ ଝାରସୁଗୁଡ଼ା ବିମାନବନ୍ଦରକୁ ଉଡାନ୍ ଯୋଜନାରେ ସାମିଲ କରି ବିମାନ ଚଳାଚଳ ଆରମ୍ଭ ହୋଇସାରିଛି । ଖୁବଶୀଘ୍ର ଜୟପୁରରୁ ବିମାନ ସେବା ଆରମ୍ଭ କରିବା ଉପରେ ବିଶେଷ ଆଲୋଚନା ହୋଇଥିଲା । ଜୟପୁର ବିମାନବନ୍ଦର କାମ ସରିଥିବାବେଳେ ବିମାନ ଚଳାଚଳ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଉଡାନ୍-୪ ଯୋଜନାରେ ଜୟପୁରରୁ ବିମାନ ସେବା ଆରମ୍ଭ ହେବ ।
ସେହିପରି ଭୁବନେଶ୍ୱର ନିକଟରେ ଆଉ ଏକ ବିମାନବନ୍ଦର ପ୍ରତିÂା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏ ନେଇ ପୂର୍ବରୁ ଖୋର୍ଦ୍ଧାରେ ୩ଟି ସ୍ଥାନ ଅନୁଧ୍ୟାନ କରାଯାଇଥିଲା । ଯେଉଁ ସ୍ଥାନକୁ ସବୁଠୁ ଉପଯୁକ୍ତ ବୋଲି ବିବେଚନା କରାଯାଇଥିଲା, ସେଠାରେ ଆବଶ୍ୟକ ମୁତାବକ ସରକାରୀ ଜାଗା ନାହିଁ । ମାତ୍ର ୪ଶହ ଏକର ସରକାରୀ ଜମି ଅଛି । ସେଠାରେ ବିମାନବନ୍ଦର ହେଲେ ଗାଁ ଉଠାଇବାକୁ ପଡ଼ିପାରେ । ତେଣୁ ଉପଯୁକ୍ତ ଜାଗା ଚୟନ ନେଇ ତର୍ଜମା ଚାଲିଛି ବୋଲି ବୈଠକରୁ ସୂଚନା ମିଳିଛି ।
ଏହି ବୈଠକରେ ରାଜ୍ୟ ସରକାରଙ୍କ ବରିÂ ଅଧିକାରୀଙ୍କ ସହ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.