ଭୁବନେଶ୍ୱରରୁ ଆବୁଧାବି, ସିଙ୍ଗାପୁରକୁ ବିମାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଏଣିକି ଆବୁଧାବି ଓ ସିଙ୍ଗାପୁରକୁ ସିଧାସଳଖ ବିମାନ ସେବା ମିଳିବ । ପୁଣି ଥରେ ବ୍ୟାଙ୍କକ୍କୁ ମଧ୍ୟ ଯୋଡ଼ି ହେବ ବିମାନ ସେବା । ଖାଲି ସେତିକି ନୁହେଁ, ପ୍ରୟାଗରାଜ, ବାରାଣାସୀ ଭଳି ସହରକୁ ଚାଲିବ ବିମାନ । ଭୁବନେଶ୍ୱରରୁ ରାଉରକେଲା ମଧ୍ୟରେ ବିମାନ ସେବା ଯୋଡ଼ି ହେବ । ଝାରସୁଗୁଡ଼ାରୁ ମୁମ୍ବାଇକୁ ଉଡ଼ିବ ବିମାନ । ଏୟାର ଲାଇନ୍ସ କମ୍ପାନି ସହ ରାଜ୍ୟ ସରକାର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବୈଠକରେ ଏସବୁ ନିଷ୍ପତ୍ତି ହୋଇଛି । ବିମାନ ସେବା ପାଇଁ ରାଜ୍ୟ ସରକାର ସବୁପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।
ରାଜ୍ୟକୁ ଅଧିକ ବିମାନ ଉଡ଼ାଣ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ହୋଟେଲ ମେ’ଫେୟାରରେ । ବୈଠକରେ ଉପସ୍ଥିତ ଥିଲେ ୧୫ଟି ଏୟାରଲାଇନ୍ସ ସଂସ୍ଥାର ଅଧିକାରୀ ଓ ୫ଟି ପ୍ରମୁଖ ଏୟାରଲାଇନ୍ସର ସିଇଓ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଗତ କିଛି ବର୍ଷ ଭିତରେ ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଆଗେଇ ଚାଲିଛି । ଖଣିଜ କାରବାର, ସାମଗ୍ରୀ ଉପôାଦନ, ପର୍ଯ୍ୟଟନ, ସଂସ୍କୃତି, କ୍ରୀଡ଼ା, ଶିକ୍ଷା, ଆଇଟି ଆଦି କ୍ଷେତ୍ରରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆଗକୁ ବଢ଼ିଛି । ଗତ କିଛି ବର୍ଷ ଭିତରେ ବିମାନ ଚଳାଚଳରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ଓଡ଼ିଶାରେ । ବହୁ ସଂଖ୍ୟାରେ ଡୋମେଷ୍ଟିକ ବିମାନ ଚଳାଚଳ ଆରମ୍ଭ ହୋଇଛି । ଏହାବାଦ୍ ଆନ୍ତର୍ଜାତିକ ବିମାନ ସେବା ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଆମେରିକା, ଅଷ୍ଟେ୍ରଲିଆ, ଦକ୍ଷିଣ ପୂର୍ବ ଏସୀୟ ଦେଶରେ ବହୁ ସଂଖ୍ୟାରେ ଓଡ଼ିଆ ଅଛନ୍ତି । ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ମଧ୍ୟ ବହୁଳ ସଂଖ୍ୟାରେ ଓଡ଼ିଆ କାମ କରୁଛନ୍ତି । ତେଣୁ ଭୁବନେଶ୍ୱରରୁ ଦୁବାଇ, ଆବୁଧାବି, ସିଙ୍ଗାପୁର, ଶ୍ରୀଲଙ୍କା, ହଂକଙ୍ଗ୍, ବ୍ୟାଙ୍କକ୍କୁ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ ହେଲେ ରାଜ୍ୟବାସୀ ବେଶ୍ ସୁବିଧା ପାଇପାରିବେ । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ନେଇ ପର୍ଯ୍ୟଟକଙ୍କ ଆକର୍ଷଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଆନ୍ତର୍ଜାତିକ କ୍ରୀଡ଼ାର ସଫଳ ଆୟୋଜନ ଓଡ଼ିଶାକୁ ନୂଆ ପରିଚୟ ଦେଇଛି । ତେଣୁ ଅଧିକରୁ ଅଧିକ ଏୟାରଲାଇନ୍ସ କମ୍ପାନି ଓଡ଼ିଶାରୁ ବିମାନ ସେବା ଆରମ୍ଭ କରନ୍ତୁ । ପୁନେ, ଜୟପୁର, ଲକ୍ଷେ୍ନø, ଚେନ୍ନାଇ, ଭାଇଜାକ୍, କୋଚି, ରାଞ୍ଚିକୁ ଡୋମେଷ୍ଟିକ ବିମାନ ସେବା ସହ ଦୁବାଇ, ଆବୁଧାବି, ସିଙ୍ଗାପୁର, ହଂକଙ୍ଗ, ବ୍ୟାଙ୍କକ୍ ଓ କଲୋମ୍ବାକୁ ଆନ୍ତର୍ଜାତିକ ବିମାନ ସେବା ପାଇଁ ବିଭିନ୍ନ ଏୟାରଲାଇନ୍ସକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି, ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ଏୟାରଲାଇନ୍ସ କମ୍ପାନିକୁ ରାଜ୍ୟ ସରକାର ଇନ୍ଧନ ଉପରେ ଭାଟ୍ ସମ୍ପୂର୍ଣ୍ଣ ଛାଡ଼ କରିବା ସହ ଡୋମେଷ୍ଟିକ (ଦେଶ ଭିତରେ) ବିମାନ ଚଳାଚଳ ନେଇ ଇନ୍ଧନରେ ୧% ଭାଟ୍ ଘୋଷଣା କରିଛନ୍ତି । ଏହି ଅବସରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ପର୍ଯ୍ୟଟନ ସଚିବ ବିଶାଲ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ ମିଶ୍ର, ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଧା ପ୍ରମୁଖ ଓଡ଼ିଶାରେ ବିମାନ ସେବା ସମ୍ପ୍ରସାରଣର ଭିତ୍ତିଭୂମି ଓ ସୁଯୋଗ ବାବଦରେ ଏୟାରଲାଇନ୍ସ କମ୍ପାନିକୁ ଅବଗତ କରାଇଥିଲେ ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବ ପି.ଏସ୍.ଖରାଲୋ କହିଲେ, ବିମାନ ଯାତ୍ରୀ ସଂଖ୍ୟା ଓଡ଼ିଶାରେ ବଢ଼ି ଚାଲିଛି । ଜାତୀୟ ହାର ୧୭% ଥିବାବେଳେ ଓଡ଼ିଶାର ବିମାନ ଯାତ୍ରୀ ବୃଦ୍ଧି ହାର ୨୯% ରହିଛି । ତେଣୁ ଓଡ଼ିଶାରେ ବିମାନ ସେବା ସମ୍ପ୍ରସାରଣ ନେଇ ବ୍ୟାପକ ସୁଯୋଗ ରହିଛି । ବୈଠକରେ କେନ୍ଦ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଉଡାନ୍ ଯୋଜନା ଉପରେ ସ୍ୱତନ୍ତ୍ର ରିପୋର୍ଟ ରଖିଥିଲେ ।
ଓଡ଼ିଶାରୁ ଅଧିକ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଲଗାତାର ପ୍ରୟାସ କରୁଛନ୍ତି । ଏ ନେଇ କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ଓ ଏୟାରଲାଇନ୍ସ ସହ ବାରମ୍ବାର ଆଲୋଚନା ଚାଲିଛି । ଏହି ଯୋଜନା ମୁତାବକ ଭୁବନେଶ୍ୱର-ବାଙ୍ଗାଲୋର ଓ ଭୁବନେଶ୍ୱର-ସୁରଟ ମଧ୍ୟରେ ଏଇ ମାସରୁ ବିମାନ ସେବା ଆରମ୍ଭ କରିଛି ଏୟାର ଇଣ୍ଡିଆ । ଆସନ୍ତା ୨୭ରୁ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ଆଲିଆନ୍ସ ବିମାନ ସେବା ଆରମ୍ଭ କରିବ । ଖୁବଶୀଘ୍ର ଭୁବନେଶ୍ୱର-ବାରାଣାସୀ ମଧ୍ୟରେ ଆଲିଆନ୍ସ ଏୟାର ବିମାନ ଚଳାଚଳ ହେବ । ଶୀତ ଋତୁ ଭିତରେ ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ବିମାନ ସେବା ଆରମ୍ଭ ନେଇ ସ୍ପାଇସ୍ ଜେଟ୍ ସହ ଆଲୋଚନା ହୋଇଛି । ସେହିପରି ଜୁଲାଇ ପହିଲାରୁ ଭୁବନେଶ୍ୱର-ପ୍ରୟାଗରାଜ ମଧ୍ୟରେ ବିମାନ ସେବା ଆରମ୍ଭ କରିବ ଇଣ୍ଡିଗୋ । ଦିଲ୍ଲୀ-ଭୁବନେଶ୍ୱରକୁ ଏୟାର ଏସିଆ ଆସନ୍ତା ଖରାଦିନେ ବିମାନ ଚଳାଚଳ କରିବାକୁ ଯୋଜନା କରିଛି । ଆସନ୍ତା ମେ’ରୁ ଭୁବନେଶ୍ୱର-ରାଉରକେଲା ମଧ୍ୟରେ ବିମାନ ଚଳାଚଳ ଯୋଜନା ରଖିଛି ଆଲିଆନ୍ସ ଏୟାର । ଭୁବନେଶ୍ୱରରୁ ଖଡ଼ଗପୁର ପାଖ କଲାଇକୁଣ୍ଡାକୁ ବିମାନ ସେବା ଆସନ୍ତା ଗ୍ରୀଷ୍ମ ଋତୁରେ ଆରମ୍ଭ କରିବାକୁ ଆଲିଆନ୍ସ ଏୟାର ଯୋଜନା କରିଛି ।
ସବୁଠୁ ବଡ଼ କଥା ହେଲା ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଚଳାଚଳ ପାଇଁ ଥାଇ ସ୍ମାଇଲ୍ ଏୟାରଲାଇନ୍ସ ଓ ଏୟାର ଏସିଆ ଇଣ୍ଟରନ୍ୟାସନାଲ ଆଗ୍ରହ ପ୍ରକାଶ କରିଛନ୍ତି । ସେହିପରି ସିଙ୍ଗାପୁର ପାଇଁ ସ୍କୁଟ ଏୟାରଲାଇନ୍ସ ସହ କଥାବାର୍ତ୍ତା ଚାଲିଥିବାବେଳେ ଆବୁଧାବିକୁ ଖୁବଶୀଘ୍ର ବିମାନ ଚଳାଚଳ ଯୋଜନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons