ଭୁବନେଶ୍ୱର: ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଧର୍ମେନ୍ଦ୍ର ପ୍ରଧାନ, ହରଦୀପ ସିଂ ପୁରୀଙ୍କୁ ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି, ଭୁବନେଶ୍ୱର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ପରିଚାଳିତ ହେବାପରେ ୨୦୧୫ରୁ ଭୁବନେଶ୍ୱରକୁ ବିଦେଶୀ ଯାତ୍ରୀ ତଥା ପର୍ୟ୍ୟଟକ ଓ ଏନ୍ଆର୍ଆଇଙ୍କ ସଂଖ୍ୟା ବଢ଼ିଛି।
ଭୁବନେଶ୍ୱରରୁ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଓଡ଼ିଆ ଏନ୍ଆର୍ଆଇ ଏବଂ ମଧ୍ୟ-ପ୍ରାଚ୍ୟ ଦେଶ ଗୁଡ଼ିକରେ କାମ କରୁଥିବା ଓଡ଼ିଆ ଲୋକଙ୍କ ଦୀର୍ଘ ଦିନରୁ ଦାବି ରହିଛି। ଏହି ବ୍ୟବସ୍ଥା ହେଲେ ବିଶେଷ ଭାବରେ ଆବୁଧାବି, ଦୁବାଇ, ଶାରଜାହ, ରିଆଦ, ବାହରେନ୍ ଏବଂ ଅନ୍ୟାନ୍ୟ ଉପସାଗରୀୟ ଦେଶରେ କାମ କରୁଥିବା ଓଡ଼ିଆ ଲୋକ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।
ପ୍ରସ୍ତାବିତ ବିମାନ ସେବା ଭାରତ ଓ ୟୁଏଇ ସମ୍ପର୍କକୁ ମଜବୁତ କରିବା ସହ ଦୁଇ ଦେଶର ବ୍ୟବସାୟକୁ ବଢ଼ାଇବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।
Comments are closed, but trackbacks and pingbacks are open.