ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ପାଇଁ ସାରା ବିଶ୍ୱ ଏବେ ଚିନ୍ତିତ । ହେଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏହାର ଖାତିର ନାହିଁ । ଗୁରୁବାର ରାତିରେ ହସ୍ପିଟାଲ ଆସିଥିବା ସନ୍ଦିଗ୍ଧ ଆର୍ୟାଲାଣ୍ଡର ଜଣେ ଯୁବକଙ୍କୁ କଟକ ରେଫର୍ କରି ଏକୁଟିଆ ରାସ୍ତାରେ ଛାଡ଼ି ଦେଇ ଖାମଖିଆଲ ମନୋଭାବ ଦେଖାଇଛନ୍ତି । ସନ୍ଦିଗ୍ଧ ଜଣଙ୍କ ଏସ୍ସିବି ଯାଇ ସେଠାରୁ ଲୁଚି ଫେରାର୍ ହୋଇଯାଇଥିଲେ । ତାଙ୍କୁ ଖୋଜି ଖୋଜି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ରାଜଧାନୀର ଏକ ତାରକା ହୋଟେଲରୁ ଠାବ କରି କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରିଛନ୍ତି ।
ଗତକାଲି ରାତିରେ ଆର୍ୟାଲାଣ୍ଡର ଜଣେ ଯୁବକ କ୍ୟାପିଟାଲ ହସ୍ପିଟାଲ କାଜୁଆଲଟିକୁ ଆସିଥିଲେ । ଥଣ୍ଡା, ଛିଙ୍କ, କାଶ ସହ ତାଙ୍କର କଫ ବାହାରୁ ଥିଲା । କରୋନା ଭୟରେ ସେ ନିଜ ଆଡୁ କ୍ୟାପିଟାଲ ହସ୍ପିଟାଲକୁ ଡାକ୍ତର ପରାମର୍ଶ ପାଇଁ ଆସିଥିଲେ । ଡାକ୍ତର ମଧ୍ୟ ତାଙ୍କର ଲକ୍ଷଣ ଦେଖିଲେ, ହେଲେ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରିବା ପରିବର୍ତ୍ତେ ଏସ୍ସିବିକୁ ରେଫର୍ କରାଗଲା ବୋଲି ଟିକେଟ୍ରେ ଲେଖିଦେଲେ । ସନ୍ଦିଗ୍ଧ ବିଦେଶୀ ନାଗରିକ ଏହି ଟିକେଟକୁ ଧରି କଟକ ଏସ୍ସିବିକୁ ଗଲେ । ତେବେ ପରବର୍ତ୍ତୀ ସମୟରେ ରୋଗୀଜଣକ ଆଡମିସନ ନନେଇ ପଳାଇଯିବା ଘଟଣା ଆଲୋଡନ ସୃଷ୍ଟି କରିଥିଲା । ଏନେଇ କର୍ତ୍ତୃପକ୍ଷ ପ୍ରଥମେ ମେଡିକାଲ୍ ଫାଣ୍ଡିରେ ସୂଚନା ଦେଇଥିଲେ । ପରେ ଏନେଇ ମଙ୍ଗଳାବାଗ ଥାନା ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଥିଲା ।
ଶୁକ୍ରବାର ସକାଳୁ ସମ୍ପୃକ୍ତ ସନ୍ଦିଗ୍ଧ ରୋଗୀଙ୍କୁ ଭୁବନେଶ୍ୱରର ଏକ ହୋଟେଲରୁ ଠାବ କରାଯାଇଛି । ଅନ୍ୟପକ୍ଷରେ ରୋଗୀ ଜଣଙ୍କ ଏସସିବିକୁ ଆସିବା, ଆଡମିସନ ନହୋଇ ପଳାଇବା ଘଟଣା ସମ୍ପର୍କରେ ମେଡିକାଲ୍ ପକ୍ଷରୁ ଭିନ୍ନ କଥା କୁହାଯାଉଛି । ମେଡିକାଲ ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ କହିବାନୁଯାୟୀ, ଗୁରୁବାର ରାତିରେ ନିଜେ ରୋଗୀ ଆମ ପାଖକୁ ଆସିନଥିଲେ । ରୋଗୀଙ୍କ ସହିତ ପ୍ରଶାନ୍ତ ନାମକ ଜଣେ ଆଟେଣ୍ଡାଣ୍ଟ ଆସିଥିଲେ । କରୋନା ପାଇଁ ଖୋଲିଥିବା ୱାର୍ଡକୁ ଯାଇ ସେ ସେଠାରେ ଉପସ୍ଥିତ ଡାକ୍ତର ଓ କର୍ମଚାରୀମାନଙ୍କୁ ପଚାରିଥିଲେ । ଜଣେ ବିଦେଶୀ ନାଗରିକଙ୍କ ଦେହ ଖରାପ ଅଛି । ସେ କରୋନା ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି କ୍ୟାପିଟାଲ ହସ୍ପିଟାଲ ଡାକ୍ତରମାନେ ସନେ୍ଦହ କରୁଛନ୍ତି । ତେଣୁ ତାଙ୍କୁ ଆଡମିସନ କରାନଯାଇ ସ୍ୱାବ ପରୀକ୍ଷା କରାଯିବାର କିଛି ବ୍ୟବସ୍ଥା ଅଛି କି ବୋଲି କହିଥିଲେ । ମାତ୍ର ରୋଗୀ କେଉଁଠି ଅଛନ୍ତି ବୋଲି ୱାର୍ଡରେ ଥିବା ଡାକ୍ତର ପ୍ରଶାନ୍ତଙ୍କୁ ପଚାରିବାରୁ ରୋଗୀ ତଳେ ଗାଡିରେ ବସିଥିବା ସେ ଉତ୍ତର ଦେଇଥିଲେ । ରୋଗୀଙ୍କୁ ତୁରନ୍ତ ଉପରକୁ(ୱାର୍ଡକୁ) ଆଣିବାକୁ ଡାକ୍ତର ପ୍ରଶାନ୍ତଙ୍କୁ ପରାମର୍ଶ ଦେଇଥିଲେ । ପ୍ରଶାନ୍ତ ରୋଗୀଙ୍କୁ ଆଣିବାକୁ ଯାଉଥିବା କହି ତଳକୁ ଓହ୍ଲାଇଥିଲେ । ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରିନଥିଲେ । ପ୍ରଶାନ୍ତ ନ ଫେରିବାରୁ ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା ବୋଲି ଡାକ୍ତର ମହାରଣା କହିଛନ୍ତି ।
ଡିଏମ୍ଇଟି ପ୍ରଫେସର ସିବିକେ ମହାନ୍ତି ମଧ୍ୟ ସମାନ କଥା କହିଛନ୍ତି । ଏସସିବି ଅଧୀକ୍ଷକ ପ୍ରଫେସର ଅନ୍ନଦା ପଟ୍ଟନାୟକ କହିଛନ୍ତି ଯେ ସଂପୃକ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ୱରର ଏକ ହୋଟେଲରୁ ଠାବ କରାଯାଇଛି । ତାଙ୍କୁ ସେଠାରେ ଡାକ୍ତରୀ ନିରୀକ୍ଷଣ ମଧ୍ୟରେ ରଖାଯିବା ପରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।
Comments are closed, but trackbacks and pingbacks are open.