ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଇଂଲଣ୍ଡ ସମେତ ବିଶ୍ୱର ବହୁ ରାଷ୍ଟ୍ର ବର୍ତ୍ତମାନ ‘ଆଷ୍ଟ୍ରୋବାୟୋଲୋଜି (ଅନ୍ୟ ଗ୍ରହରେ ଜୀବସତ୍ତା ସନ୍ଧାନ ବିଜ୍ଞାନ)’ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ରହିଛି । ଇଂଲଣ୍ଡର ବିଶିଷ୍ଟ ଗବେଷଣା ବିଜ୍ଞାନୀ, ବକ୍ତା, ଲେଖକ ତଥା ପ୍ରଫେସର ଲୁଇସ୍ ଡାର୍ଟନେଲ ସୋମବାର ଏଭଳି ମନ୍ତବ୍ୟ ଦେଇଛନ୍ତି । ବ୍ରିଟିସ୍ କାଉନ୍ସିଲ୍ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ‘ଗ୍ରେଟ୍ ଟକ୍ସ’ରେ ଯୋଗଦେଇ ସେ ଏହା କହିଛନ୍ତି ।
ପ୍ରଫେସର ଡାର୍ଟନେଲ୍ କହିଛନ୍ତି, ୟୁରୋପୀୟ ମହାକାଶ ଏଜେନ୍ସି (ଇସା), ନାସା ସମେତ ବିଶ୍ୱର ଅନେକ ରାଷ୍ଟ୍ର ମହାକାଶ ଉପରେ ଗବେଷଣା କରୁଛନ୍ତି । ୧୯୯୫ରୁ ବର୍ତ୍ତମାନ ସୁଦ୍ଧା ୪,୦୦୦ ନୂଆ ଗ୍ରହକୁ ଚିହ୍ନଟ କରାଯାଇଛି । ପ୍ରତି ସପ୍ତାହରେ ନୂଆ ଗ୍ରହ ଠାବ କରାଯାଉଛି । ୨୦୨୦ରେ ଇସା ପକ୍ଷରୁ ହେବାକୁ ଥିବା ‘ମଙ୍ଗଳ ମିସନ’ରେ ରୋଭର ଦ୍ୱାରା ମଙ୍ଗଳ ଗ୍ରହର ଭୂମି ଖନନ କରାଯାଇ ଜୀବସତ୍ତାର ସନ୍ଧାନ ତ୍ୱରାନ୍ୱିତ କରାଯିବ । ଏପରିକି ଇସା ପକ୍ଷରୁ ସୌର ଜଗତର ଅନ୍ୱେଷଣ ପାଇଁ ମଧ୍ୟ କାର୍ଯ୍ୟ କରାଯାଉଥିବା ସେ କହିଛନ୍ତି ।
ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓପେପା) ଅଫିସରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ସେ ଓଡ଼ିଶାର ୩୦ଟି ଜିଲ୍ଲାର ୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ଭୁବନେଶ୍ୱର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଓ ସି ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂରେ ମଧ୍ୟ ଉଦ୍ବୋଧନ ଦେଇଥିଲେ । ପ୍ରଫେସର ଡାର୍ଟନେଲ୍ କହିଛନ୍ତି, ନକ୍ଷତ୍ର ବିଜ୍ଞାନ ସହ ଫିଜିକ୍ସ, କେମିଷ୍ଟ୍ରି ଓ ବାୟୋଲୋଜିର ମିଶ୍ରଣ ଦ୍ୱାରା ଆଷ୍ଟ୍ରୋବାୟୋଲୋଜି ପାଠ୍ୟକ୍ରମ ପ୍ରଚଳନ ହେଉଛି । ଭାରତର ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେଇ ବିଭିନ୍ନ ଗ୍ରହରେ ଜୀବସତ୍ତାର ସନ୍ଧାନରେ ସହାୟକ ହୋଇପାରିବେ ।
ସେ କହିଛନ୍ତି, ଭାରତ ବିଶ୍ୱଶ୍ରେଣୀୟ ମହାକାଶ ଗବେଷଣା ନେଇ କାର୍ଯ୍ୟ କରୁଛି । ନିକଟରେ ଏହା ଚନ୍ଦ୍ରୟାନ-୨ର ସଫଳ ଉତ୍ପ୍ରେକ୍ଷଣ କରିଛି । ଚନ୍ଦ୍ରୟାନ-୨ ମହାକାଶ ଗବେଷଣା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ରଚିବ । ଏ ଅବସରରେ ବ୍ରିଟିସ୍ କାଉନ୍ସିଲ୍ର ପୂର୍ବ ତଥା ଉତ୍ତର ପୂର୍ବ ଭାରତ ନିର୍ଦ୍ଦେଶକ ଡ. ଦେବାଞ୍ଜନ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.