ଭୁବନେଶ୍ୱରରେ ରାପିଡ୍ କରୋନା ଟେଷ୍ଟ ଆରମ୍ଭ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱରରେ ରାପିଡ୍ କରୋନା ଟେଷ୍ଟ ଆରମ୍ଭ ହୋଇଛି । ସହରର ୧୨ଟି କେନ୍ଦ୍ରରେ ନମୁନା ସଂଗ୍ରହ କରାଯାଇଛି । ଆଜି ପ୍ରଥମ ଦିନରେ ୮୩୮ଟି ନମୁନା ସଂଗ୍ରହ ହୋଇଛି । ଦକ୍ଷିଣ ପୂର୍ବ ଜୋନ୍ରୁ ସର୍ବାଧିକ ୫୮୯ ନମୁନା ସଂଗ୍ରହ କରାଯାଇଛି ।
ରାଜଧାନୀରେ ଏହି ରାପିଡ୍ ଟେଷ୍ଟ ପାଇଁ ବିଏମ୍ସି ପକ୍ଷରୁ ୧୩ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ୬ଜଣ ସଦସ୍ୟ ଅଛନ୍ତି । ଜଣେ ଡାକ୍ତରଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗର ଦୁଇ ଜଣ ଲାବରୋଟାରୀ ଟେକ୍ନିସିଆନ୍, ବିଏମ୍ସିର ଜଣେ ନୋଡାଲ ଅଫିସର, ଜଣେ ଶିକ୍ଷକ, ଜଣେ ସଫେଇ କର୍ମଚାରୀଙ୍କୁ ନେଇ ଟିମ୍ ଗଢ଼ାଯାଇଛି । ବିଏମ୍ସି ଅଧୀନରେ ଥିବା ୩ଟି ଜୋନ୍ରେ ହୋଇଥିବା ୧୨ଟି କେନ୍ଦ୍ରରେ କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଛି ।
ସକାଳ ୮ଟାରୁ ୧୧ଟା ଓ ପୁଣି ଅପରାହ୍ନ ୪ଟାରୁ ୬ଟା ଦୁଇ ବେଳା ନମୁନା ସଂଗ୍ରହ ହୋଇଛି । ଆକ୍ଟିଭ୍ ସର୍ଭେଲାନ୍ସ ଆଧାରରେ ଅନେକ ଲୋକଙ୍କ ନମୁନା ସଂଗ୍ରହ ହୋଇଛି । ଦକ୍ଷିଣ ପୂର୍ବ ଜୋନ୍ରୁ ସର୍ବାଧିକ ୫୮୯ ନମୁନା, ଦକ୍ଷିଣ-ପଶ୍ଚିମ ଜୋନ୍ରୁ ୧୫୩ଟି ନମୁନା ଓ ଉତ୍ତର ଜୋନ୍ରୁ ୯୬ଟି ନମୁନା ସଂଗ୍ରହ କରାଯାଇଛି । ଭୁବନେଶ୍ୱରରେ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ କ୍ୟାପିଟାଲ ହସ୍ପିଟାଲକୁ ଯାଇ ସେମାନଙ୍କ କରୋନା ପରୀକ୍ଷା କରାଇଛନ୍ତି । ସେହିଭଳି ଭୁବନେଶ୍ୱର ଏଡିଏମ୍, ଉପଜିଲ୍ଲାପାଳ, ତହସିଲଦାର ଓ ବିଭିନ୍ନ ଧର୍ମର ପ୍ରତିନିଧିମାନେ ଭୀମଟାଙ୍ଗି ପ୍ରାଥମିକ ସ୍କୁଲକୁ ଯାଇ ପରୀକ୍ଷା ପାଇଁ ନମୁନା ଦେଇଛନ୍ତି ।
ଫ୍ଲୁ ଭଳି ଲକ୍ଷଣ ଥିବା ଲୋକ, ବାହାରକୁ ଗସ୍ତ କରିଥିବା ଓ ବିଏମ୍ସି ପକ୍ଷରୁ ଚିହ୍ନଟ ବିଭିନ୍ନ ପରିବା ଦୋକାନୀ, ଗ୍ରୋସରୀ ଦୋକାନୀ, ଅଣ୍ଡା ଦୋକାନୀ, ମେଡିସିନ୍ ଦୋକାନର କର୍ମଚାରୀ, ଘରୋଇ ହସ୍ପିଟାଲ ଓପିଡି କର୍ମଚାରୀ, ଆଶା ଓ ଅଙ୍ଗନୱାଡି କର୍ମଚାରୀ, ବିଏମ୍ସି କର୍ମଚାରୀ, ସଫେଇ କର୍ମୀଙ୍କ ଆଜି ନମୁନା ସଂଗ୍ରହ ହୋଇଛି । ଏହା ସମେତ ବିଭିନ୍ନ ଆବାସିକ ଉନ୍ନୟନ ସଂଘ(ଆରଡବ୍ଲୁଏସ୍) ଦ୍ୱାରା ବିଭିନ୍ନ ଆପାର୍ଟମେଣ୍ଟ ଓ ସୋସାଇଟିରେ ରହୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପରୀକ୍ଷା କରାଯାଇଛି । ପୂଜାମଣ୍ଡପ ଓ ସାହିର ମୁରବୀମାନେ ମଧ୍ୟ ସେମାନଙ୍କ ଅଞ୍ଚଳରେ କାଶ, ଥଣ୍ଡା ଭଳି ଫ୍ଲୁ ଲକ୍ଷଣ ଥିବା ଓ ବାହାର ରାଜ୍ୟ ବା ଦେଶରୁ ଆସିଥିବା ଲୋକଙ୍କୁ ଚିହ୍ନଟ କଲେ ସେମାନଙ୍କୁ ପରୀକ୍ଷା କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons