ଭୁବନେଶ୍ୱର-ପୁରୀରେ ଘରେ ମିଳିବ ବିଶୁଦ୍ଧ ପିଇବା ପାଣି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜୀବାଣୁ ଭୟରେ ପାଣି ଗରମ କରିବା ଆବଶ୍ୟକ ହେବନି । ଫିଲଟର୍ କିମ୍ବା ଆକ୍ୱାଗାର୍ଡ ମେସିନ୍ ମଧ୍ୟ ଦରକାର ପଡ଼ିବନି । ପାଇପ୍ ସଂଯୋଗରେ ଘରେ ପହଞ୍ଚିବ ଶତ ପ୍ରତିଶତ ବିଶୁଦ୍ଧ ପାନୀୟ ଜଳ । ସିଧାସଳଖ ଟ୍ୟାପ୍ରୁ ବିନା ଭୟରେ ଏ ପାଣିକୁ ବ୍ୟବହାର କରିହେବ । ଦେଶର କେବଳ ବିମାନବନ୍ଦରରେ ମିଳୁଥିବା ଏ ସୁବିଧା ଏବେ ଓଡ଼ିଶାରେ ଉପଲବ୍ଧ । ରାଜ୍ୟରେ ଆରମ୍ଭ ହୋଇଛି ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ-ସୁଜଳ’ । ‘୫ ଟି’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ମଙ୍ଗଳବାର) ଏ ସୁଜଳ ମିଶନର ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱର ଓ ଶ୍ରୀକ୍ଷେତ୍ର ପୁରୀରେ ଲୋକମାନଙ୍କୁ ପାଇପରେ ଘରେ ବିଶୁଦ୍ଧ ପାନୀୟ ଜଳ ମିଳିବ । ପର୍ଯ୍ୟାୟକ୍ରମେ ବିଭିନ୍ନ ସହରକୁ ଏ ମିଶନ ସଂପ୍ରସାରିତ କରାଯିବ । ୨୦୨୨ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସହରର ସବୁ ଘରକୁ ପାଇପ ଜଳ ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସମଗ୍ର ଦେଶରେ ସୁଜଳ ମିଶନକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିଲା ବେଳେ ୧୦ ଲକ୍ଷରୁ ଉଧ୍ୱର୍ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଏହାକୁ ପ୍ରଥମେ କାର୍ଯ୍ୟକାରୀ କରିପାରିଛି । ଏହାଦ୍ୱାରା ଗରିବ ପରିବାରଗୁଡ଼ିକ ବିନା ଖର୍ଚ୍ଚରେ ବିଶୁଦ୍ଧ ପିଇବା ପାଣି ପାଇପାରିବେ । ଜଳବାହିତ ସଂକ୍ରାମକ ରୋଗକୁ ରୋକିବାରେ ଏହା ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଭୁବନେଶ୍ୱରର ସାଲିଆସାହି ଓ ପୁରୀର ମଶାଣୀଚଣ୍ଡିରେ ଏହି ସୁଜଳ ମିଶନକୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ନୂଆ କାର୍ଯ୍ୟକ୍ରମ ଦ୍ୱାରା ପ୍ରଥମ ଦଫାରେ ଦୁଇ ସହରର ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇଦେବା ହେଉଛି ଆମର ପ୍ରାଥମିକତା । ଭୁବନେଶ୍ୱର ସହ ଗୋପାଳପୁର, ଦିଗପହଣ୍ଡି ଓ କାଶୀନଗରରେ ଶତ ପ୍ରତିଶତ ଘରକୁ ପାଇପ୍ ପାଣି ଯୋଗାଣରେ ସରକାର ସଫଳ ହୋଇଛନ୍ତି । ପର୍ଯ୍ୟାୟକ୍ରମେ ରାଜ୍ୟର ସବୁ ସହରର ସବୁ ଘରକୁ ଏ ସୁବିଧା ଯୋଗାଇ ଦିଆଯିବ । ୨୦୨୨ ସୁଦ୍ଧା ଏ ଲକ୍ଷ୍ୟ ପୂରଣ କରି ଓଡ଼ିଶା ମଧ୍ୟ ଦେଶର ପ୍ରଥମ ରାଜ୍ୟ ଭାବେ ଗୌରବ ଅର୍ଜନ କରିବ ।
ମୁଖ୍ୟମନ୍ତ୍ରୀ କହିଲେ, ପୁରୀ ହେଉଛି ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପାଣି ପାଇଁ ବହୁ ସଂଖ୍ୟାରେ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି । ତେଣୁ ଏବେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ସୁବିଧା ଦ୍ୱାରା ପୁରୀରୁ ପ୍ଲାଷ୍ଟିକ ପ୍ରଦୂଷଣ କମିଯାଇପାରିବ । ‘ ୫ ଟି’ରେ ଏହା ହେଉଛି ଏକ ଯୁଗାନ୍ତକାରୀ ପଦକ୍ଷେପ । ଏ ଅବସରରେ ମୁଖ୍ୟମନ୍ତ୍ରୀ ଆଉ ୧୫ଟି ସହରରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ’ କାର୍ଯ୍ୟକାରୀ ହେବ । ଏଥିରେ ୧୫ ଲକ୍ଷ ଲୋକ ଉପକୃତ ହେବେ । ରାଜ୍ୟ ସରକାର ଏ ବାବଦକୁ ୧୩୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଆମେରିକା, ଇଂଲଣ୍ଡ, ଅଷ୍ଟେ୍ରଲିଆ ଭଳି ବିକଶିତ ଦେଶରେ ଥିବା ବିଶୁଦ୍ଧ ପାନୀୟ ଜଳର ସୁବିଧାକୁ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ସରକାର ଅଣ୍ଟା ଭିଡ଼ିଥିଲେ । ଏହା ଆଜି ବାସ୍ତବ ରୂପ ନେଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ପ୍ରେରଣାରୁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ’ କାର୍ଯ୍ୟକାରୀ ହୋଇପାରିଛି । ନୂଆଦିଲ୍ଲୀରୁ କାର୍ଯ୍ୟକ୍ରମରେ ସାମିଲ୍ ହୋଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ସଚିବ ଦୁର୍ଗାଶଙ୍କର ମିଶ୍ର କହିଲେ, ଓଡ଼ିଶା ଏମିତି କିଛି ସଫଳତା ପାଇଛି ଯାହା ଦେଶରେ ପ୍ରଥମ । ଏ ନୂଆ କାର୍ଯ୍ୟକ୍ରମରେ ବୈଷୟିକ ଜ୍ଞାନର ବ୍ୟବହାର ହେବ । ଜଳସାଥୀଙ୍କ ନିୟୋଜନ ସହ ଶକ୍ତି ସଂରକ୍ଷଣ, ଜଳବାହିତ ରୋଗର ନିୟନ୍ତ୍ରଣ ମଧ୍ୟ କରିହେବ । ଏଥିପାଇଁ ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ ।
କାର୍ଯ୍ୟକ୍ରମରେ ‘୫ ଟି’ ସଚିବ ଭି କେ ପାଣ୍ଡିଆନ୍ କହିଲେ, ମୁଖ୍ୟମନ୍ତ୍ରୀ ଏ ମିଶନକୁ ସାଲିଆସାହିରୁ ଆରମ୍ଭ କରିବାକୁ ଚାହିଁଥିଲେ । ସରକାର ଏହାକୁ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରିଛନ୍ତି । ସାଲିଆସାହିର ଲୋକମାନେ ଏବେ ବିଶୁଦ୍ଧ ଜଳ ପାଇପାରିବେ । ପ୍ରତି ଘରକୁ ପାଇପ୍ ସଂଯୋଗ ମିଳିବ ।
ସାଲିଆସାହିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ ଏବଂ ପୁରୀରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଉପସ୍ଥିତ ରହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଲୋକାର୍ପଣ କରିଥିଲେ । ଜଳସାଥୀମାନଙ୍କୁ ଜଳର ମାନ ପରୀକ୍ଷା କରିବାକୁ ଯନ୍ତ୍ର ସହ ପାଣି ପାଇପ୍ ମିସ୍ତ୍ରୀମାନଙ୍କୁ ପ୍ରଶିକ୍ଷଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।
ସୁଜଳ ରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୯ଟି ୱାର୍ଡର ୧୯ ହଜାର ଘରକୁ ପାଇପ୍ ସଂଯୋଗ ଯିବ । ଏଥିରେ ୧ ଲକ୍ଷ ୧୪ ହଜାର ଲୋକ ଲାଭବାନ ହେବେ । ସେହିପରି ପୁରୀର ୨ଟି ୱାର୍ଡର ୩୭୮୫ ଘରକୁ ପାଇପ୍ ସଂଯୋଗ ଯୋଗାଇ ଦିଆଯିବ । ୭୦ ହଜାର ଲୋକଙ୍କୁ ଏହା ବିଶୁଦ୍ଧ ଜଳ ଯୋଗାଇବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons