ଭୂସ୍ଖଳନ ସହ ପାହାଡ଼ରେ ସୃଷ୍ଟି ହେଲା ଝରଣା

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): ପାହାଡ଼ରୁ ଭୟଙ୍କର ଭୂସ୍ଖଳନ ପରେ ନଷ୍ଟ ହୋଇଛି ବ୍ୟାପକ ଫସଲ । ତିନୋଟି ଘର ପ୍ରାୟ ପୋତି ହୋଇଯାଇଛି । ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ପାଖରେ ରହୁଥିବା ୩ ପରିବାର । ୫ ହଜାରରୁ ଅଧିକ କାଜୁଗଛ ଏବଂ ଧାନ ଫସଲ ନଷ୍ଟ ହୋଇଛି । ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଛି । ଏଥିସହ ପାହାଡ଼ ଉପରୁ ସୃଷ୍ଟି ହୋଇଛି ଏକ ନୂଆ ଝରଣା । ଆବଡ଼ା ପଞ୍ଚାୟତର କୁଲୁସିଂ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ପ୍ରାକୃତିକ ବିପର୍ଯ୍ୟୟ ।
ଗୁରୁବାର ଆବଡ଼ା ପଞ୍ଚାୟତରେ ଚାରିଘଣ୍ଟା ଧରି ହୋଇଥିଲା ଲଗାଣ ବର୍ଷା । ଫଳରେ କୁଲୁସିଂ ନିକଟ ଗୁଙ୍ଗୁ ପାହାଡ଼ରୁ ଭୂସ୍ଖଳନ ହୋଇଥିଲା । ପାହାଡ଼ ଉପରେ ଏକ ନୂଆ ଝରଣା ସୃଷ୍ଟି ହେବା ସହ ବିକଟାଳ ଶବ୍ଦ ହୋଇଥିଲା । ଦ୍ରୁତ ଗତିରେ ଝରଣା ପାଣିସହ ବଡ଼ ବଡ଼ ପଥର ଖସିଥିଲା ପାଦଦେଶକୁ । ଦେଖଣାହାରୀଙ୍କ କହିବା ମୁତାବକ, ପ୍ରାୟ ତିନି କିଲୋମିଟର ଲମ୍ବ ଏବଂ ୧୦୦ ଫୁଟ ଓସାରରେ ଗଡ଼ିଆସିଥିଲା ପାଣି ସହ ବଡ଼ ବଡ଼ ପଥର ଓ ମାଟି । ପୂର୍ବରୁ ଏହି ପାହାଡ଼ରେ କୌଣସି ଝରଣା ନଥିବା ବେଳେ ଗୁରୁବାରଠାରୁ ଅନବରତ ପାହାଡ଼ ଉପରୁ ପାଣି ଝରୁଛି । ଏହାଦ୍ୱାରା ଆଦିବାସୀମାନେ କରିଥିବା ପ୍ରାୟ ୫ ହଜାର କାଜୁଗଛ ନଷ୍ଟ ହୋଇଯାଇଛି । ୨୦ ଏକରରୁ ଅଧିକ ଜମିର ଧାନ ଫସଲ ନଷ୍ଟ ହୋଇଯାଇଛି । ଅଣ୍ଟାଏ ଉଚ୍ଚାରେ ମାଟି ଓ ବାଲି ମାଡ଼ି ଯାଇଛି । ପାହାଡ଼ ତଳେଥିବା ତିନୋଟି ଘର ଭିତରେ ମଧ୍ୟ ମାଟି ଓ ପଥର ପଶି ଯାଇଛି । ପ୍ରାୟ ପାଞ୍ଚଫୁଟ ପୋତି ହୋଇଯାଇଛି ଘରଗୁଡ଼ିକ । ଘରେଥିବା ଟଙ୍କା, ଆଧାର କାର୍ଡ, ଜମିପ;ା ସମେତ ବହୁ ଆସବାବପତ୍ର ଓ କୃଷିଜାତ ଦ୍ରବ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି । ଭୂସ୍ଖଳନ ବେଳେ ପାହାଡ଼ ତଳେ ଥିବା ତିନୋଟି ଘରର ବହୁ ଲୋକ ନିକଟସ୍ଥ ଚର୍ଚ୍ଚକୁ ଚାଲିଯାଇଥିଲେ । ଆଉ କେତେକ ବିକଟାଳ ଶବ୍ଦ ଶୁଣି ଘର ଭିତରୁ ରାସ୍ତା ଉପରକୁ ଦୌଡ଼ିଥିଲେ । ଅଳ୍ପକେ ବର୍ତ୍ତି ଯାଇଥିଲେ ତିନୋଟି ପରିବାରର ୨୨ଜଣ ଲୋକ । କୁଲୁସିଂ ଗ୍ରାମର କାନସିମ ଜେଲଡ଼ା ସାହିରେ ରହୁଥିବା ମାନସ ଗମାଙ୍ଗ, ସଫିଦ ଗମାଙ୍ଗ ଓ ଗିରିମ ଶବରଙ୍କ ପରିବାରର ୨୨ଜଣ ସଦସ୍ୟ ଏହି ଦୁର୍ଘଟଣାରେ ପ୍ରଭାବିତ ହୋଇଛନ୍ତି । ଏବେ ବି ସେମାନଙ୍କ ମଧ୍ୟରେ ଆତଙ୍କ ଲାଗି ରହିଛି । କେତେବେଳେ କେଉଁ ପାହାଡ଼ରେ ଭୁସ୍ଖଳନ ହୋଇପାରେ ବୋଲି ସେମାନେ ଆଶଙ୍କା କରି ଭୟଭୀତ ଅବସ୍ଥାରେ ରହିଛନ୍ତି । ଆଜି ଡିଆରଡିଏ ପିଡି ଅମ୍ରିତ ଋତୁରାଜ, ବ୍ଲକ ସହକାରୀ ଯନ୍ତ୍ରୀ ଦୁର୍ଯେ୍ୟାଧନ ଜାନୀ ପ୍ରମୁଖ ଉକ୍ତ ଅଞ୍ଚଳର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons