ଭେଟିଲେ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା:ଜଗାର ପାଠପଢ଼ା ବିଷୟ କମିଟି ନିଷ୍ପତ୍ତି ନେବ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଏସ୍ସିବିରେ ଚିକିତ୍ସାଧୀନ କନ୍ଧମାଳର ଚର୍ଚ୍ଚିତ ଦୁଇ ଶିଶୁ ଜଗା-କାଳିଆଙ୍କ ଭିତରୁ କାଳିଆର ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଥିଲା । ତାର ଔଷଧରେ ଯେଉଁ ପରିବର୍ତ୍ତନ କରାଯାଇଥିଲା ତାହା ଫଳପ୍ରଦ ହେଉଛି । କାଳିଆର ଶରୀର ଏହି ନୂଆ ଔଷଧକୁ ଗ୍ରହଣ କରି ଭଲ ଫଳ ଦେଉଥିବା ତାର ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରୀ ଦଳ ଆଜି ସୂଚନା ଦେଇଛନ୍ତି । ଏହି ଖବର ସମସ୍ତଙ୍କ ପାଇଁ ଆଶ୍ୱସ୍ତିକର ବୋଲି ଏସ୍ସିବି ପକ୍ଷରୁ କୁହାଯାଇଛି । କାଳିଆ ଉପରେ ଡାକ୍ତରୀ ଦଳ ୨୪ ଘଣ୍ଟା ନଜର ରଖିଛନ୍ତି ।
ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହେବା ପାଇଁ ଆଜି ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ଏସ୍ସିବି ଆସିଥିଲେ । ସେ ଉଭୟ ଶିଶୁ ଓ ତାଙ୍କ ବାପା ମାଆଙ୍କୁ ଭେଟିଛନ୍ତି । ଏସ୍ସିବିରେ କିଭଳି ସ୍ୱାସ୍ଥ୍ୟସେବା ମିଳୁଛି ସେନେଇ ପରିବାରକୁ ପଚାରି ବୁଝିଛନ୍ତି । ପରେ ସେମାନଙ୍କ ଚିକିତ୍ସା ନେଇ ଏସ୍ସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଖାସ୍କରି ଜଗାର ପାଠପଢ଼ା କିଭଳି ହେବ ଓ ଏଥିପାଇଁ କ’ଣ ପଦକ୍ଷେପ ନିଆଯାଉଛି ସେ ବିଷୟ ପଚାରି ବୁଝିଛନ୍ତି । ଜଗାର ପାଠପଢ଼ା ବିଷୟରେ ନିଷ୍ପତ୍ତି ନେବା ପାଇଁ ହସ୍ପିଟାଲ୍ ପକ୍ଷରୁ କମିଟି ଗଠନ କରାଯାଇଛି । ଏହି ୬ ଜଣିଆ କମିଟିରେ ନୁ୍ୟରୋସର୍ଜରୀ ବିଭାଗ ଏଚ୍ଓଡି ପ୍ରଫେସର ଡା. ସୁଧାଂଶୁ ମିଶ୍ର ମୁଖ୍ୟ ଅଛନ୍ତି । କମିଟିରେ ଶିଶୁରୋଗ ବିଭାଗ, ମାନସିକ ରୋଗ ବିଭାଗ ଓ ମନସ୍ତତ୍ତ୍ୱ ବିଭାଗର ଡାକ୍ତରମାନେ ସଦସ୍ୟ ଅଛନ୍ତି । ଏବେ ପାଠ ପଢ଼ିବା ପାଇଁ ଜଗାର ମାନସିକ ଓ ଶାରୀରିକ ସ୍ଥିତି ଉତ୍ତମ ଅଛି କି ନାହିଁ ତାହା ଏହି କମିଟି ନିଷ୍ପତ୍ତି ନେଇ ଅଧୀକ୍ଷକଙ୍କୁ ଜଣାଇବେ । ପରେ ଏହି ରିପୋର୍ଟ ଅଧୀକ୍ଷକ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପଠାଇବେ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଜଗାର ପାଠପଢ଼ା ବ୍ୟବସ୍ଥା କରାଯିବ ।
ଆଜି ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ଦାସଙ୍କୁ ଏସ୍ସିବି ପକ୍ଷରୁ ଅଧୀକ୍ଷକ ଡା. ସିବିକେ ମହାନ୍ତି ଓ ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ପ୍ରମୁଖ ଏସବୁ ସୂଚନା ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons