ଭୟରେ ଫେରିଗଲେ ହଜାରେରୁ ଅଧିକ ଲୋକ

Get real time updates directly on you device, subscribe now.

ନରସିଂହପୁର: କରୋନା ଟିକା ନେବାକୁ ଭୋର୍ରୁ ଲୋକେ ଧାଡି ବାନ୍ଧିଥିଲେ । ତିନି ଚାରି ଘଣ୍ଟା ଛିଡ଼ା ହେବା ପରେ ହଠାତ୍ ଘୋଷଣା କରାଗଲା, ଯେଉଁମାନେ ଟିକା ନେବାକୁ ଆସିଛନ୍ତି ସମସ୍ତଙ୍କ କରୋନା ପରୀକ୍ଷା କରାଯିବ । ଯାହାର ନେଗେଟିଭ୍ ରିପୋର୍ଟ ଆସିବ, ସେ ହିଁ କେବଳ ଟିକା ନେଇପାରିବେ । ପରୀକ୍ଷା ନାଁ ଶୁଣି ଅଧା ଲୋକଙ୍କ ହୋସ୍ ଉଡିଗଲା । ଅଧାରୁ ଅଧିକ, ପାଖାପାଖି ହଜାରେ ଲୋକ ଫେରିଯାଇଥିଲେ । ପରେ କୋଭିଡ୍ ଟେଷ୍ଟିଂ କରାଯାଇ କିଛି ଲୋକଙ୍କୁ ଏବଂ ବିନା ଟେଷ୍ଟିଂରେ ଆଉ କିଛି ଲୋକଙ୍କୁ ଟିକା ଦିଆଯାଇଥିଲା । ଏଭଳି ଅଜବ ଘଟଣା ଆଜି ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ୍ରେ । ଟିକା ନେବା ପୂର୍ବରୁ କେଉଁଠି କରୋନା ପରୀକ୍ଷା କରିବାର ନିୟମ ନ ଥିଲେ ବି ନରସିଂହପୁରରେ ଏଭଳି ମନଇଛା କାରବାର କାହିଁକି କରାଗଲା ବୋଲି ଏବେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଏଭଳି କାରବାରକୁ ନେଇ ପ୍ରଶ୍ନ ଉଠିଛି ।
ନରସିଂହପୁର ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଆଜି ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ୩ ହଜାର ଟିକା ଆସିଥିଲା । ଲୋକେ ଭୋର ୫ଟାରୁ କେନ୍ଦ୍ର ସାମ୍ନାରେ ଧାଡି ବାନ୍ଧିଥିଲେ । କିନ୍ତୁ ସକାଳ ୯ଟା ବେଳକୁ ହଠାତ୍ ସେଠାରେ ଘୋଷଣା କରାଗଲା ଯେ ଟିକା ନେବା ପୂର୍ବରୁ କୋଭିଡ୍ ପରୀକ୍ଷା କରାଯିବ । ରିପୋର୍ଟ ନେଗେଟିଭ୍ ଯାହାର ଆସିବ ସେମାନଙ୍କୁ ଟିକା ଦିଆଯିବ । ଏହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଓଡ଼ିଶାରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାର ୪ମାସ ହୋଇଥିଲେ ମଧ୍ୟ ଏମିତି ନିୟମ ନା କେହି ଜାଣିଥିଲେ ନା ଶୁଣିଥିଲେ । ତେବେ କୋଭିଡ୍ ପରୀକ୍ଷା ହେବା ଭୟରେ ଅଧା ସେଠାରୁ ଫେରିଯାଇଥିଲେ । ସନ୍ଧ୍ୟା ସୁଦ୍ଧା ମିଳିଥିବା ରିପୋର୍ଟ ମୁତାବକ, ମୋଟ୍ ୭୪୧ ଜଣଙ୍କୁ ଆଜି ଦିନରେ ଟିକା ଦିଆଯାଇଛି । ସେଥିରୁ ୧୮ ରୁ ୪୪ବର୍ଷ ବୟସ ବର୍ଗରେ ୬୭୮ଜଣ, ୪୫ ରୁ ୫୯ ବର୍ଷ ବର୍ଗରେ ୩୯ଜଣଙ୍କୁ ପ୍ରଥମ ଡୋଜ୍ ଓ ୨୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ଅନ୍ୟପକ୍ଷରେ ସେହି କେନ୍ଦ୍ରରେ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇ ମୋଟ୍ ୪୩୩ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଛି । ସେଥିରୁ ୮ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି ।
ତେବେ ଟିକାକରଣ ପ୍ରକ୍ରିୟାରେ ଏଭଳି ମନଇଛା କାରବାର ନେଇ ଅନେକ ପ୍ରଶ୍ନ ଉଠିଛି । ଯଦି ସମସ୍ତଙ୍କ କୋଭିଡ୍ ଟେଷ୍ଟିଂ ବାଧ୍ୟତାମୂଳକ କରାଯାଇଥିଲା ସେଠି ୭୪୧ ଜଣ ଟିକା ନେଇଥିବା ବେଳେ ୪୩୩ ଜଣଙ୍କ ପରୀକ୍ଷା କେମିତି କରାଗଲା? ବଳକା ୩୧୬ ଜଣଙ୍କୁ କାହିଁକି କୋଭିଡ୍ ଟେଷ୍ଟିଂ ପରିସରଭୁକ୍ତ କରାନଯାଇ ଟିକା ଦିଆଗଲା ବୋଲି ପ୍ରଶ୍ନ କରାଯାଉଛି । ଏଣୁ ଏହା ପଛରେ କିଛି ମନ୍ଦ ଉଦେ୍ଧଶ୍ୟ ଥିବା ଲୋକେ ଅଭିଯୋଗ କରିଛନ୍ତି । ଟିକାର ଅଭାବ ରହୁଥିବାରୁ ପ୍ରିୟାପ୍ରୀତି ଦେଖାଇ ନିଜ ଲୋକଙ୍କୁ ଟିକାଦାନରେ ପ୍ରାଥମିକତା ଦିଆଯାଉଥିବା ଅଭିଯୋଗ ହୋଇଛି । ଏମିତିକି ଲୋକେ ଧାଡି ବାନ୍ଧି ଘଣ୍ଟାଘଣ୍ଟା ଛିଡ଼ା ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସମ୍ପର୍କୀୟମାନେ ଆସି ଗଳିପଶି ଆଗରେ ଟିକା ନେଇ ଫେରୁଥିବାରୁ ଲୋକଙ୍କ ଭିତରେ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଏହାଛଡ଼ା ଟିକା ନେବା ପୂର୍ବରୁ ଟେଷ୍ଟିଂ ବାଧ୍ୟତାମୂଳକ କରିବା ନେଇ ବିଭାଗୀୟ କର୍ତ୍ତୃପକ୍ଷ କାହାଠାରୁ ଅନୁମତି ନେଇଥିଲେ ଏବଂ କାହିଁକି ଦୁଇ ପ୍ରକାରର ବ୍ୟବସ୍ଥାରେ ଟିକା ଦେଲେ ସେ ସଂପର୍କରେ ପ୍ରଶାସନ ସ୍ପଷ୍ଟ କରିବାକୁ ଦାବି ହୋଇଛି । ଏ ସମ୍ପର୍କରେ ନରସିଂହପୁର ବିଡିଓ ପ୍ରଦୀପ କୁମାର ସାହୁ ଓ ତହସିଲଦାର ଆଲୋକ ରଞ୍ଜନ ଦେହୁରୀଙ୍କୁ ପଚାରିବାରେ ସେମାନଙ୍କ ପାଖରେ ଏନେଇ କିଛି ରିପୋର୍ଟ ନ ଥିବା ଓ ଉଭୟ ଏନେଇ କିଛି ଜାଣିନଥିବା କହିଛନ୍ତି । ଘଟଣା ସଂପର୍କରେ କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ୍ ଅଧିକାରୀ ଡା. ଉମେଶ ରାୟଙ୍କୁ ପଚାରିବାରେ ସେ କହିଛନ୍ତି କି’ ଟିକାକରଣର ଏଭଳି କୌଣସି ନିୟମ ନାହିଁ କି ଆଜିକାର ଘଟଣା ସଂପର୍କରେ ତାଙ୍କ ପାଖରେ ରିପୋର୍ଟ ନାହିଁ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons