ମଙ୍ଗଳବାର ରାତି ୧୨ଟା ପରେ ପାରାଦୀପରେ ତାଣ୍ଡବ ରଚିବ ‘ୟଶ୍’

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ): ମଙ୍ଗଳବାର (ଆସନ୍ତାକାଲି) ରାତି ୧୨ଟା ପରେ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ ବିପôାତ ଘଟାଇବ ବାତ୍ୟା ୟାସ୍ । ବାତ୍ୟାର ୭୦ କିଲୋମିଟର ପରିଧି ଭିତରେ ଏହା ସାଂଘାତିକ କ୍ଷତି କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସ୍ଥଳପଥ ଓ ଜଳପଥ ଉଭୟ ପଟରୁ ୭୦ କିଲୋମିଟର ବଳୟ ଭିତରେ ଯାହା ରହିବ ତାହା ହୁଏତ ଛାର୍ଖାର୍ ହୋଇଯିବ । ବାୟୁପଥରେ ୭୦ କିଲୋମିଟର ଅର୍ଥ ଲ୍ୟାଣ୍ଡ୍ଫଲ୍ ପୂର୍ବରୁ ଜଗତସିଂହପୁର ଜିଲ୍ଲା ଉପରେ ଏହା ପ୍ରଭାବ ବିସ୍ତାର କରିବ । ଏବଂ ଯେଉଁ ସମୟରେ ବାତ୍ୟା ସ୍ଥଳଭାଗକୁ ଛୁଇଁବ ବା ଲ୍ୟାଣ୍ଡ୍ଫଲ୍ ପୂର୍ବରୁ ଯେଉଁ ବାଟ ଦେଇ ଅତିକ୍ରମ କରିବ, ସେହି ଅଞ୍ଚଳରେ ବିଳମ୍ବିତ ରାତିରେ ଏହା କ୍ଷତି ଘଟାଇବ ବୋଲି ଅନୁମାନ କରାଯାଉଛି । ଏଣୁ ପାରାଦୀପରେ ଥିବା ୬୩ଟି ବସ୍ତି ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହୁଛି ।
ପୌରପାଳିକାରୁ ମିଳିଥିବା ତଥ୍ୟ ଅନୁସାରେ ପାରାଦୀପ ପୌରାଞ୍ଚଳରେ ଥିବା ବସ୍ତି ଗୁଡ଼ିକର ଲୋକ ସଂଖ୍ୟା ପ୍ରାୟ ୩୯ ହଜାର । ଏହି ସବୁ ବସ୍ତି ଗୁଡ଼ିକରୁ ଲୋକ ସ୍ଥାନ ଛାଡ଼ୁନଥିବା ଦେଖିବାକୁ ମିଳିଛି । ଲୋକଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ଭୟ ରହୁଥିବା ବେଳେ ନିଜ ଘରଦ୍ୱାର ଛାଡ଼ି ଯିବାକୁ ଲୋକେ ନାରାଜ । ଏପରିକି ଏରସମା ସମେତ ଢିଙ୍କିଆ, ନୂଆଗାଁ, ବାଲିକୁଦା ଭଳି ସମୁଦ୍ର କୂଳିଆ ଅଞ୍ଚଳ ଗୁଡ଼ିକ ମଧ୍ୟ ଅଧିକ ପ୍ରଭାବିତ ହେବ । ଗତ ଫୋନି ବାତ୍ୟା ବେଳେ ଜିଲ୍ଲାରେ ପାଖାପାଖି ଏକ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ଏବେ ଜିଲ୍ଲା ପ୍ରଶାସନ ଯେଉଁ ତଥ୍ୟ ଦେଇଛି ସେଥିରେ ଜିଲ୍ଲାରେ ୧୫ରୁ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି । ତେବେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଯଦି ସବୁ ଲୋକ ସ୍ଥାନାନ୍ତର ନହୁଅନ୍ତି ତେବେ ସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି । ପ୍ରଶାସନର ସ୍ଥାନାନ୍ତର ତଥ୍ୟକୁ ଯଦି ଦେଖାଯାଏ ଓ ଆଇଏମ୍ଡି ବିଭାଗର ତଥ୍ୟକୁ ଅନୁସରଣ କରିବା ପରେ ଯଦି ସ୍ଥାନାନ୍ତର ଉପଯୁକ୍ତ ସମୟରେ ନହୁଏ ତେବେ ବଡ଼ ଧରଣର ବିପର୍ଯ୍ୟୟ ଦେଖାଦେଇପାରେ ବୋଲି ଅନୁମାନ କରାଯାଉଛି । ଯଦି କେବଳ ଷଣ୍ଢକୁଦ ବସ୍ତିର ଲୋକ ସଂଖ୍ୟା ହିସାବକୁ ନିଆଯାଏ ତେବେ କେବଳ ଏଠାରେ ହିଁ ଲୋକ ସଂଖ୍ୟା ୧୫ ହଜାର ଉପରେ । କାରଣ ପୌରପାଳିକା ପାଖରେ ୨୦୧୧ର ଜନଗଣନା ତଥ୍ୟ ରହିଛି ଯାହାକି ୧୦ ବର୍ଷ ପୁରୁଣା । ପାରାଦୀପର ତଳି ଅଞ୍ଚଳ ଓ ବସ୍ତି ଅଞ୍ଚଳର ଲୋକ ସଂଖ୍ୟା ୩୯ ହଜାରକୁ ଟପିଥିବା ବେଳେ ଯଦି ବାଲିକୁଦା ଏରସମାର ତଳିଆ ଅଞ୍ଚଳକୁ ହିସାବକୁ ନିଆଯାଏ ତେବେ ଏସବୁ ତଳିଆ ଅଞ୍ଚଳରେ ମଧ୍ୟ ୨୦ ହଜାର ଲୋକ ଥିବେ । ତେଣୁ ବାତ୍ୟାର ଆକାରକୁ ଯଦି ଦେଖାଯାଏ ତେବେ ୭୦ କିଲୋମିଟର ପରିଧି ଭିତରେ ଯଦି ବାତ୍ୟା ପ୍ରଭାବ ବିସ୍ତାର କରେ ତେବେ ତିର୍ତ୍ତୋଲ ସମେତ ଜଗତସିଂହପୁର ଜିଲ୍ଲାର ଅନେକ ବ୍ଲକ୍ କ୍ଷତିଗ୍ରସ୍ତ ହେବ । କାରଣ ସେସବୁ ଅଞ୍ଚଳରେ କଚ୍ଚା ଘର ସଂଖ୍ୟା ଅଧିକ ରହିଛି । ଏସବୁ ଅଞ୍ଚଳରେ ଭୂମିହୀନ ଅଧିକ ଥିବାରୁ ସେମାନେ ବାତ୍ୟାରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଧିକ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons