ମଜୁରି ସଂହିତା:୫୦ କୋଟି ଶ୍ରମିକଙ୍କ ସୁରକ୍ଷା କବଚ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ୬୦% ଶ୍ରମିକ ସର୍ବନିମ୍ନ ମଜୁରି ଆଇନ ଅଧୀନରେ ଆସୁନାହାନ୍ତି । କିନ୍ତୁ ନୂଆ ମଜୁରି ସଂହିତା ଆଇନରେ ସମସ୍ତ ୫୦ କୋଟି ଶ୍ରମବଳ ସର୍ବନିମ୍ନ ମଜୁରି ପାଇବାର ଅଧିକାର ପାଇବେ ବୋଲି ଶ୍ରମ ସଚିବ ହୀରାଲାଲ୍ ସମରିୟା କହିଛନ୍ତି । ସେହିଭଳି ପେମେଣ୍ଟ ମଜୁରି ଆଇନ ଶ୍ରମିକଙ୍କ ନିର୍ଦ୍ଧାରିତ ସମୟରେ ପେମେଣ୍ଟକୁ ସୁନିଶ୍ଚିତ କରୁଥିବା ବେଳେ ଏହା କେବଳ ମାସିକ ୨୪,୦୦୦ ଟଙ୍କାରୁ କମ୍ ବେତନ ପାଉଥିବା କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି । ଫଳରେ ବହୁ ସଂଖ୍ୟକ କର୍ମଚାରୀ ଏହି ଆଇନର ଫାଇଦା ପାଇପାରୁନାହାନ୍ତି । କିନ୍ତୁ ମଜୁରି ସଂହିତାରେ ସବୁ କର୍ମଚାରୀଙ୍କୁ ନିର୍ଦ୍ଧାରିତ ସମୟରେ ପେମେଣ୍ଟକୁ ସୁନିଶ୍ଚିତ କରାଯାଇଛି । ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର କୃଷି, ଖଣି ଖନନ ସମେତ ୪୫ ପ୍ରକାର ଶ୍ରମ ପାଇଁ ସର୍ବନିମ୍ନ ମଜୁରି ଧାର୍ଯ୍ୟ କରୁଛି । କିନ୍ତୁ ରାଜ୍ୟଗୁଡ଼ିକରେ ୧,୭୦୯ ପ୍ରକାର ଶ୍ରମ ରହିଛି ।
ମଜୁରି ସଂହିତା ଅଧୀନରେ ଘରୋଇ ସହାୟକ ପର୍ଯ୍ୟନ୍ତ ସବୁ ଶ୍ରମିକ ଅନ୍ତର୍ଭୁକ୍ତ ହେବେ । କେବଳ ମନରେଗା ଶ୍ରମିକମାନେ ଏହା ଅଧୀନରେ ଆସିବେ ନାହିଁ ବୋଲି ଶ୍ରମ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମନରେଗା ଏକ ମଜୁରି ନୁହେଁ । ଏହା ଏକ କାର୍ଯ୍ୟକ୍ରମ, ଏକ ସ୍କିମ୍ । ଏଥିରେ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ମଧ୍ୟରେ ଏକ କଠୋର ସମ୍ପର୍କ ନ ଥାଏ । ଏଣୁ ମନରେଗା ମଜୁରି ସବୁବେଳେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଧାର୍ଯ୍ୟ ହେବ ।
ମଜୁରି କୋଡ୍ ଲାଗୁ ହେବା ପୂର୍ବରୁ ପେସା, ଦକ୍ଷତା ସ୍ତର ଓ ଭୌଗୋଳିକ କ୍ଷେତ୍ର ଆଦି ମାନଦଣ୍ଡ ଆଧାରରେ ସର୍ବନିମ୍ନ ମଜୁରି ହାର ନିର୍ଦ୍ଧାରଣ ହେଉଥିଲା । କୋଡ୍ ଅଧୀନରେ ଦକ୍ଷତା ଏବଂ/ବା ଭୌଗୋଳିକ କ୍ଷେତ୍ର ଆଧାରରେ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ ହେବ । ଏଥିରେ ନିଯୁକ୍ତିର ପ୍ରକାରକୁ ଏହା ମାନଦଣ୍ଡ ଭାବେ ବିବେଚନା କରିବ ନାହିଁ । ଶ୍ରମ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମାନଦଣ୍ଡ ହ୍ରାସ ଦ୍ୱାରା ଶ୍ରମିକମାନେ ବେଶ୍ ଫାଇଦାରେ ରହିବେ । ଏଣିକି ବିଭିନ୍ନ ଶ୍ରମ ହାର ସଂଖ୍ୟା ୨,୦୦୦ରୁ ୩୦୦କୁ ଖସିଯିବ । କିନ୍ତୁ ଶ୍ରମ କୋଡ୍ ଅଧୀନରେ ମଧ୍ୟ ସାରା ଦେଶରେ ଗୋଟିଏ ଜାତୀୟ ସର୍ବନିମ୍ନ ମଜୁରି ହାର ସମ୍ଭବପର ହୋଇପାରିବ ନାହିଁ ।
ବର୍ତ୍ତମାନ ସମୟରେ ଜାତୀୟ ସର୍ବନିମ୍ନ ମଜୁରି ହାର ଦିନକୁ ୧୭୬ ଟଙ୍କା ରହିଛି । ତେବେ ଏହା ଆଇନର ପରିସରଭୁକ୍ତ ନୁହେଁ । ଶ୍ରମ ମନ୍ତ୍ରାଳୟ ତଥ୍ୟ ମୁତାବକ, ୨୦୦୯-୧୦ରେ ୩୩ଧ ଶ୍ରମିକ ଧାର୍ଯ୍ୟ ଜାତୀୟ ସର୍ବନିମ୍ନ ମଜୁରିଠାରୁ କମ୍ ବେତନ ପାଉଛନ୍ତି । କୋଡ୍ ଅଧୀନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସର୍ବନିମ୍ନ ମଜୁରି ପରିମାଣ ‘ଫ୍ଲୋର୍ ରେଟ୍ ବା ଧାର୍ଯ୍ୟ ହାର’ଠାରୁ କମ୍ ହୋଇପାରିବ ନାହିଁ । ଏକ କେନ୍ଦ୍ରୀୟ ଉପଦ୍ଦେଷ୍ଟା ବୋର୍ଡର ସୁପାରିସକ୍ରମେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଫ୍ଲୋର୍ ରେଟ୍ ଧାର୍ଯ୍ୟ ହେବ । କେନ୍ଦ୍ରୀୟ ଉପଦ୍ଦେଷ୍ଟା ବୋର୍ଡରେ ଟ୍ରେଡ୍ ୟୁନିଅନ୍, କର୍ମଚାରୀ ସଂଘ, ରାଜ୍ୟ ସରକାରଙ୍କ ସଦସ୍ୟ ସତେମ ଓ ସ୍ୱାଧୀନ ବିଶେଷଜ୍ଞ ରହିବେ ।
କିନ୍ତୁ ଏବେ ବଜାରରେ ଥିବା ଦର ତୁଳନାରେ କେନ୍ଦ୍ର ଦ୍ୱାରା ଧାର୍ଯ୍ୟ ହେବାକୁ ଥିବା ଫ୍ଲୋର୍ ରେଟ୍ କମ୍ ରହିବ ବୋଲି ମଧ୍ୟ ଆଶଙ୍କା ଦେଖାଦେଇଛି । କିନ୍ତୁ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟର ଏକ ବିଶେଷଜ୍ଞ କମିଟି ଜାତୀୟ ସର୍ବନିମ୍ନ ମଜୁରିକୁ ଦୈନିକ ୩୭୫ ଟଙ୍କା ବା ମାସି ୯,୭୫୦ ଟଙ୍କା କରିବାକୁ ପ୍ରସ୍ତାବ ଦେଇଛି । ଏହାବ୍ୟତୀତ ବିଭିନ୍ନ ଅଞ୍ଚଳ ପାଇଁ ସର୍ବନିମ୍ନ ମଜୁରିକୁ ୮,୮୯୨ ଟଙ୍କାରୁ ୧୦,୦୩୬ ଟଙ୍କା ମଧ୍ୟରେ ରଖିବାକୁ ଏହା ବିକଳ୍ପ ମଧ୍ୟ ଦେଇଛି ।
ଶ୍ରମ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଧାର୍ଯ୍ୟ ହେବାକୁ ଥିବା ସର୍ବନିମ୍ନ ମଜୁରି ଜଣେ ବ୍ୟକ୍ତିର ମୌଳିକ ଚାହିଦା ପୂରଣ କରିବାକୁ ଯଥେଷ୍ଟ ହେବ । ଏକ ବିଶେଷଜ୍ଞ କମିଟି ଏହି ମଜୁରି ହାର ଧାର୍ଯ୍ୟ କରିବ । ଶ୍ରମ ମନ୍ତ୍ରୀ କହିଛନ୍ତି, ସର୍ବନିମ୍ନ ମଜୁରି କେବଳ ଜଣେ ବ୍ୟକ୍ତିର ରୋଟି-କପଡ଼ା-ମକାନ୍କୁ ପୂରଣ କରିବ ତାହାନୁହେଁ ବରଂ ଅନ୍ୟ ମୌଳିକ ଆବଶ୍ୟକତାକୁ ମଧ୍ୟ ପୂରଣ କରିବ ।
ମଜୁରି ସଂହିତା ଅଧୀନରେ ପ୍ରତି ୫ ବର୍ଷରେ ସର୍ବନିମ୍ନ ମଜୁରି ସଂଶୋଧନ ହେବ । କିନ୍ତୁ ଅନ୍ୟ କେତେକ ବିଶେଷଜ୍ଞଙ୍କ ମତରେ ସର୍ବନିମ୍ନ ମଜୁରିକୁ ପ୍ରତି ୩ ବର୍ଷରେ ଥରେ ସଂଶୋଧନ କରାଯିବା ଆବଶ୍ୟକ । ସେହିଭଳି ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) କେବଳ ବ୍ଲୁ-କଲାର ଶ୍ରମିକଙ୍କୁ ମଜୁରି କୋଡ୍ରେ ସାମିଲ ପାଇଁ ସୁପାରିସ କରିଛି ।
ପୂର୍ବରୁ ସମାନ ପାରିଶ୍ରମିକ ଆଇନରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ବେତନକୁ ସୁନିଶ୍ଚିତ କରାଯାଇଥିଲା । କିନ୍ତୁ ମଜୁରି କୋଡ୍ର ଧାରା-୩ ଅନୁସାରେ ପୁରୁଷ, ମହିଳା କିମ୍ବା ତୃତୀୟଲିଙ୍ଗୀଙ୍କ ପାଇଁ ପାରିଶ୍ରମିକରେ କୌଣସି ପ୍ରକାର ଭେଦଭାବ ରହିବ ନାହିଁ । ଏହି ନିୟମରେ ଉଲ୍ଲଂଘନ ହେଲେ, ନିଯୁକ୍ତିଦାତା ଦଣ୍ଡିତ ହେବେ । କୋଡ୍ରେ ‘ନିରୀକ୍ଷକ’ ବଦଳରେ ‘ସୁଗମକାରୀ ତଥା ନିରୀକ୍ଷକ’ ନିଯୁକ୍ତ ବ୍ୟବସ୍ଥା ହୋଇଛି, ଯିଏ କି ନିୟମ ଅନୁପାଳନ ପାଇଁ ନିଯୁକ୍ତିଦାତା ଓ ଶ୍ରମିକମାନଙ୍କୁ ପରାମର୍ଶ ଦେବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons