ଅନୁଗୁଳ,(ବି.ବି.ନୁ୍ୟଜ୍): ଅଦିନିଆ ବର୍ଷାରେ ପ୍ର୍ରଭାବିତ ହୋଇଛନ୍ତି ଚାଷୀ । ମଣ୍ଡିକୁ ଧାନ ବିକିବାକୁ ନେଇଥିବା ଚାଷୀଙ୍କୁ ହନ୍ତସନ୍ତ କରିଛି ଅଦିନିଆ ବର୍ଷା । ତୁହାକୁ ତୁହା ବର୍ଷା ସତ୍ତେ୍ୱ କାଁ ଭାଁ ମଣ୍ଡିରେ ଧାନକିଣା ହୋଇଥିବା ବେଳେ ଅଧିକାଂଶ ମଣ୍ଡିରେ ଚାଷୀ ଜରିପାଲରେ ଘୋଡ଼ାଇ ରଖାଯାଇଥିବା ଦେଖିବାକୁ ମିଳିଛି । ପ୍ୟାକ୍ସରେ ଆବଶ୍ୟକ ମୁତାବକ ସ୍ଥାନ ନଥିବାରୁ ଚାଷୀ ନିକଟରେ ଥିବା ସ୍କୁଲ ଘର, ବ୍ୟାଙ୍କ୍ ବାରଣ୍ଡା ଓ ପଞ୍ଚାୟତ ଅଫିସ୍ରେ ଧାନ ରଖିଥିଲେ । ଧାନ ଘୋଡ଼ାଇବା ସତ୍ତେ୍ୱ କିଛି ମଣ୍ଡିରେ ଧାନ ଭିଜିଥିବା ଜଣାପଡ଼ିଛି ।
ଶୁକ୍ରବାର ଅନୁଗୁଳ ବ୍ଲକର ବଡ଼କନ୍ତକୁଳ, ବେନ୍ତପୁର, କରମଙ୍ଗା ସାହି, ଖାଲଗାଁ ଓ ଟାଇସିଁ ପ୍ୟାକ୍ସରେ ଆଜି ଧାନବିକ୍ରି ପାଳି ଥିଲା । ଟୋକନ୍ ପାଇ ଲୋକ ଗତକାଲି ରାତିରୁ ପ୍ୟାକ୍ସ ପରିସରରେ ଧାନ ଗଦାଇବା ସହ ଧାନ ଜଗି ରହିଥିଲେ । ଆଜି ସକାଳୁ ଅନବରତ ବର୍ଷା ଯୋଗୁଁ ବିକ୍ରିବଟା ହୋଇନଥିଲା । ବର୍ଷା ଯୋଗୁଁ ମିଲର୍ସ ନ ପହଞ୍ଚିବାରୁ ଧାନବିକ୍ରି ସମ୍ଭବ ହୋଇପାରିନଥିଲା । ଫଳରେ ଚାଷୀମାନେ ଧାନରେ ପାଲ ଘୋଡ଼ାଇ ଦିନ ତମାମ୍ ଜଗି ରହିଥିଲେ । ଆଜି ଧାନକିଣା ହୋଇ ପାରିନଥିବାରୁ ଆସନ୍ତା ସପ୍ତାହର ଶୁକ୍ରବାର ଧାନକିଣା ହେବ । ଗୋଟିଏ ସପ୍ତାହ କାଳ ମଣ୍ଡିରେ ଧାନ ଜଗି ରହିବାକୁ ପଡ଼ିବ, ଯାହାକି ଚାଷୀଙ୍କ ଦୁର୍ଦ୍ଧଶା ବଢ଼ÿାଇଛି । ସେହିପରି ବଅଁରପାଳ ବ୍ଲକର ଗଡ଼ସନ୍ତ୍ରୀ, ଗଡ଼ତଳମୂଳ, କୁଇଓ ଓ ରଙ୍କାସିଂହାରେ ଏବଂ ଛେଣ୍ଡିପଦା ବ୍ଲକର ବ୍ରାହ୍ଣଣବିଲ, ପାତ୍ରପଡ଼ା ଓ ପାଟକମୁଣ୍ଡାରେ ଆଜି ବର୍ଷା ଯୋଗୁଁ ଧାନ କିଣା ବାଧାପ୍ରାପ୍ତ ହୋଇଛି ।
ଅଧିକାଂଶ ମଣ୍ଡିରେ ଚାଷୀଙ୍କ ଧାନ ଭିଜିଥିବା ଦେଖିବାକୁ ମିଳିଛି । ଜିଲ୍ଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି କହିଛନ୍ତି, ବର୍ଷା ଯୋଗୁଁ ଧାନକିଣା ସମ୍ଭବ ହୋଇନି । ମଣ୍ଡିକୁ ଆସିଥିବା ଧାନକୁ ଘୋଡ଼ାଇ ରଖିବା ପାଇଁ ପ୍ୟାକ୍ସ ପକ୍ଷରୁ ପାଲ ଯୋଗାଇ ଦିଆଯାଇଛି । ଯୋଗାଣ ବିଭାଗ ସୂଚନା ମୁତାବକ, ଚଳିତ ବର୍ଷ ଜିଲ୍ଲାରେ ମୋଟ୍ ୯୫ଟି ମଣ୍ଡି ଖୋଲିଛି । ଜିଲ୍ଲାରେ ପ୍ରାୟ ୨୭ ହଜାର ୫୨୧ ଜଣ ଚାଷୀ ଧାନ ବିକିବାକୁ ନାମ ପଞ୍ଜୀକରଣ କରିଛନ୍ତି । ଗତ ମାସ ୧୬ ତାରିଖରୁ ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୨୬୦୬ ଜଣ ଚାଷୀ ଏକ ଲକ୍ଷ ୮ ହଜାର ୯୯ କୁଇଣ୍ଟାଲ୍ ଧାନ ବିକ୍ରି କରିଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.