ମଣ୍ଡିରେ ଧାନ ବିକ୍ରି ଲାଗି ଟୋକନ ଅବଧି ବଢାଯାଉ

Get real time updates directly on you device, subscribe now.

ଜୟପୁର: ମଣ୍ଡି ସମସ୍ୟାର ସମାଧାନ ସାଙ୍ଗକୁ ଟୋକନ ଅବଧି ବଢାଯାଉ । ଏଭଳି ଦାବି କରିଛି କୃଷକ କଲ୍ୟାଣ ମଞ୍ଚ । ମଞ୍ଚର ସମ୍ପାଦକ ନରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆଜି ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀ ଓ ଡିଆରସିଏସ୍ଙ୍କୁ ଭେଟିଛନ୍ତି । ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗକୁ ମୌସୁମୀ ଆସୁଥିବାରୁ ତୁରନ୍ତ ମଣ୍ଡି ସମସ୍ୟା ସମାଧାନ କରିବା ସହ ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବାକୁ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ସମ୍ପାଦକ ଶ୍ରୀ ପ୍ରଧାନ କହିଛନ୍ତି, ଚଳିତବର୍ଷ ପ୍ରଥମ ଥର ପାଇଁ ଟୋକନ ଅବଧି କମାଇଦିଆଯାଇଛି । ପୂର୍ବରୁ ୧୫ ଦିନ ଅବଧି ଥିବା ବେଳେ ଏବର୍ଷ ମାତ୍ର ୧୨ ଦିନ ସମୟ ଦିଆଯାଇଛି । ୧୨ ଦିନ ମଧ୍ୟରେ ଧାନ ବିକ୍ରି ହୋଇ ନପାରିଲେ ଏହା ଅଚଳ ହୋଇଯିବ । ଆଉଥରେ ସଚଳ ହେବା କାଠିକର ପାଠ । କାରଣ ଗତ ଖରିଫରେ ଟୋକନ ଅଚଳ ପରେ ସଚଳ ହୋଇପାରିଲାନାହିଁ । ଯାହାଫଳରେ ୧ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିଲେ । ଚଳିତ ରବିମଣ୍ଡିରେ ଏହି ସମସ୍ୟା ଅଧିକ ଦେଖାଦେଇଛି । କାରଣ ଚାଷୀଙ୍କ ଟୋକନ ୨୮ତାରିଖରୁ ଆସିଲାଣି । ଟୋକନ ଆସି ଏ ଭିତରେ ୧୦ ଦିନ ବିତିଗଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ କେତେକ ସ୍ଥାନରେ ମଣ୍ଡି ଠିକ୍ ଭାବେ ଖୋଲାଯାଇନି । କେତେବେଳେ ମିଲର ନାହାନ୍ତି ତ ଆଉ କେତେବେଳେ ଟ୍ରକ ନଥିବା କହି ଧାନ କିଣାଯାଉନି । ଟୋକନ ପାଇଥିବା ଚାଷୀ ଆଉ ଦୁଇଦିନ ମଧ୍ୟରେ ଧାନ ବିକ୍ରି କରିନପାରିଲେ, ଏହା ଅଚଳ ହୋଇଯିବ । ଏଥିପାଇଁ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୨ ଦିନ ପରିବର୍ତ୍ତେ ମାସେ ସମୟ ଦିଆଯାଉ କିମ୍ବା ରବିମଣ୍ଡି ଖୋଲାଯିବା ପର୍ଯ୍ୟନ୍ତ ଚାଷୀଙ୍କୁ ଧାନ ବିକ୍ରି କରିବାକୁ ସୁଯୋଗ ଦିଆଯାଉ । ମଣ୍ଡି ଦିବସରେ ଆସିଥିବା ସମସ୍ତ ଧାନ ସେହିଦିନ ହିଁ କ୍ରୟ କରାଯାଉ । ଏଥିସହ ସେହିଦିନ ହିଁ ଆଖି ସ୍କାନ କରାଯାଇ ଧାନ ଉଠାଇବାକୁ ଅଧିକ ଗାଡିର ବ୍ୟବସ୍ଥା କରାଯାଉ । ମଣ୍ଡିରେ ଫଲ୍ସ ଏଣ୍ଟ୍ରି କରାଯାଉଛି । ଦଲାଲ ଓ ଅସାଧୁ ମିଲର ମିଥ୍ୟା ଏଣ୍ଟ୍ରି କରୁଥିବାରୁ ପ୍ରକୃତ ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି । ଏଥିପାଇଁ ପ୍ରତ୍ୟେକ ମଣ୍ଡିରେ ଭିଡିଓ ରେକର୍ଡିଂ କରାଯାଉ । କ୍ରାୟକାରୀ ସଂସ୍ଥା ନିଜ ଦାୟିତ୍ୱ ପାଳନ କରୁନାହାନ୍ତି । ଫଳରେ ଚାଷୀ ହଇରାଣ ହେଉଛନ୍ତି । ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ । ମଣ୍ଡି ଭିତ୍ତିଭୂମିର ବିକାଶ କରାଯାଉ । ଯାହା ଫଳରେ ଚାଷୀ ସୁବିଧାରେ ଆସି ମଣ୍ଡିରେ ଧାନ ବିକ୍ରି କରିପାରିବେ । ଏସବୁ ସମସ୍ୟା ସମାଧାନ ନ ହେଲେ ଚାଷୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରୀ ପ୍ରଧା କହିଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ଦେବା ସମୟରେ ଚାଷୀ ତ୍ରିନାଥ ବିଶୋଇ, ଟୁଲୁ ମଲ୍ଲିକ, ମଦନ ଭତ୍ରା, ଲକ୍ଷ୍ମଣ ନାୟକ, ଅଶୋକ ପାଣିଗ୍ରାହୀ,ସୁରେଶ ନାୟକ, କୈଳାସ ବେହେରା, ବନବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ବାସୁଦେବ ଜେନା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons