ଧାମରା,(ବି.ବି.ନୁ୍ୟଜ୍): ଚଳିତ ବର୍ଷ ଜାଲରେ ଇଲିସି ପଡ଼ୁନ ଥିବାରୁ ଧୀବରଙ୍କ ଆୟ ହ୍ରାସ ପାଇଛି । ମନମାରି ଧାମରା ଅଞ୍ଚଳର ଧୀବରମାନେ ବସିଛନ୍ତି । ଏଭଳି ସମୟରେ ଧୀବରଙ୍କ ଜାଲରେ ବରଦାନ ସଦୃଶ ଏକ ବିରଳ ମାଛ ପଡ଼ିଛି । ଯାହାକୁ ‘ହ୍ୱେଲ ସାର୍କ’ ବୋଲି କୁହାଯାଉଛି । ଏହାର ଓଜନ ଏକ କୁଇଣ୍ଟାଲ ସାତ କିଲୋ ୫ ଶହ ଗ୍ରାମ । ମତ୍ସ୍ୟଜୀବୀମାନେ ମାଛଟିକୁ ୭ ଲକ୍ଷ ଟଙ୍କାରେ ଚେନ୍ନାଇର ଏକ କମ୍ପାନିଙ୍କୁ ବିକ୍ରି କରିଛନ୍ତି । ଏହି ସାମୁଦ୍ରିକ ମାଛକୁ ଧରିବା ନିଷେଧ ଥିବା ବେଳେ ମତ୍ସ୍ୟଜୀବୀ ଧରି ବିକ୍ରି କରିବା ନେଇ ପରିବେଶବିତ ଉଦ୍ବେଗ ପ୍ରକାଶ କରିଛନ୍ତିି ।
ବାଲେଶ୍ୱର କଷାଫଳ ମାଛଧରା ଜେଟିରୁ ବାହାରିଥିବା ‘ନିରୂପମା’ ନାମକ ମାଛଧରା ବୋଟରେ ଉକ୍ତ ବିରଳ ମାଛ ଲାଗିଥିଲା । ହୁଇଲର ଦୀପ ମୁହାଣରୁ ଏହି ମାଛ ଜାଲରେ ଲାଗିବା ପରେ କଷାଫଳ ବୋଟ ଚନ୍ଦନୀପାଳ ମାଛଧରା ଜେଟିକୁ ଆସିଥିଲା । ଚନ୍ଦନୀପାଳ ମାଛଧରା ଜେଟିରେ ମାଛର ଓଜନ ହୋଇଥିଲା । ହ୍ୱେଲ ସାର୍କର ଓଜନ ଥିଲା ୧୦୭ କେଜି ୫୦୦ ଗ୍ରାମ । ବୋଟର ମାଲିକ ଲକ୍ଷ୍ମଣ ମଣ୍ଡଳ ବୋଲି ଜଣାପଡ଼ିଛି ।
ଏତେବଡ଼ ମାଛ ପଡ଼ିବା ନେଇ ଖବର ରାଜ୍ୟ ସମେତ ଦେଶ ବିଦେଶକୁ ବ୍ୟାପିଥିଲା । ଖବର ପ୍ରଚାର ପରେ ଅନେକ ଅଞ୍ଚଳର ବଡ଼ ବଡ଼ ମାଛ ବ୍ୟବସାୟୀ ଏହି ମାଛକୁ କିଣିବା ପାଇଁ ମୁଲଚାଲ କରିଥିଲେ । ଶେଷରେ ହାଓଡା ଓ କାନ୍ଥି ମାଛ ବ୍ୟବସାୟୀ ସଂସ୍ଥାକୁ ପଛରେ ପକାଇ ଚେନ୍ନାଇର ସିଲ୍ୟାଣ୍ଡ ନାମକ ଏକ ମାଛ କମ୍ପାନି ଏହାକୁ ଅଧିକ ଦାମରେ କିଣିବା ପାଇଁ ନିଲାମ ନେଲା । ୭ ଲକ୍ଷ ଟଙ୍କାରେ ଏହି ମାଛକୁ ଧୀବରଙ୍କ ଠାରୁ ଉକ୍ତ ସଂସ୍ଥା କିଣିିଥିଲା । ଚେନ୍ନାଇର ଏକ ମେଡିସିନ କମ୍ପାନି ସମ୍ପୃକ୍ତ ସଂସ୍ଥାଠାରୁ ୭ଲକ୍ଷ ୫୦ ହଜାର ଟଙ୍କା ଦେଇ ଉକ୍ତ ମାଛକୁ କିଣିଥିବା ଜଣାପଡ଼ିଛି । କିଣିବାର ମାତ୍ର ୫ ମିନିଟ ମଧ୍ୟରେ ମାଛକୁ ପ୍ୟାକିଂ କରାଯାଇ ଗାଡ଼ିରେ ଚେନ୍ନାଇ ପଠାଯାଇଛି । ଏହି ବିରଳ ମାଛର ନାଁ ଧୀବରମାନେ ସାଗର ଡନ ବୋଲି ନାମିତ କରିଛନ୍ତି ।
ଏଠାରେ ସୂଚନା ଯାଗ୍ୟ, ଗତ ଅଗଷ୍ଟ ମାସରେ ଧାମରା ମାଛଧରା ଜେଟିରୁ କୈବଲ୍ୟ ନାମକ ଏକ ବିରଳ ମାଛ ଧରାଯାଇଥିଲା । ଯାହାକୁ କଲିକତାର ଏକ କମ୍ପାନି ଔଷଧ ତିଆରି ପାଇଁ ଲକ୍ଷାଧିକ ଟଙ୍କାରେ କିଣିଥିଲା । ଏପରି ବିରଳ ମାଛ ପାଇଁ ସର୍ବଦା ଚର୍ଚ୍ଚାରେ ରହିଛି ଧାମରା ମାଛଧରା ଜେଟି ।


Comments are closed, but trackbacks and pingbacks are open.