ଥିରୁୱନନ୍ତପୁରମ: କେରଳର ରାଜଧାନୀ ଥିରୁୱନନ୍ତପୁରମରେ ଶନିବାର ସକାଳେ ଜଣେ ମଦ୍ୟପ ଆଇଏଏସ ଅଧିକାରୀଙ୍କ ଗାଡ଼ି ଧକ୍କାରେ ଜଣେ ଯୁବ ତଥା ବରିଷ୍ଠ ପଦବିରେ କାର୍ଯ୍ୟରତ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି । ମୃତ ସାମ୍ବାଦିକଙ୍କ ପରିଚୟ କେ ଏମ ବସିର ବୋଲି ଜଣାପଡିଛି । ସେ ମାଲ୍ଲାପୁରମ ଜିଲାର ବାସିନ୍ଦା ଥିଲେ ଏବଂ ସିରାଜ ନାମକ ଏକ ସମ୍ବାଦପତ୍ରରେ ବ୍ୟୁରୋ ଚିଫ୍ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳେ ସେ କୋଲମରେ ଏକ ବୈଠକରେ ଯୋଗ ଦେବା ପରେ ବାଇକ୍ରେ ଘରକୁ ଫେରୁଥିଲାବେଳେ ଉକ୍ତ କାର୍ ତାଙ୍କୁ ଧକ୍କା ଦେଇଥିଲା । ମ୍ୟୁଜିୟମ ଥାନା ନିକଟରେ ଏହି ଘଟଣା ଘଟିଥିଲା । ପୁଲିସ ତାଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇଥିଲେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନଥିଲା ।
ଦୁର୍ଘଟଣା ଘଟାଇଥିବା କାର୍କୁ ଜଣେ ଯୁବ ଆଇଏଏସ ଅଧିକାରୀ ଶ୍ରୀରାମ ଭେଙ୍କଟରମଣ ଚଳାଉଥିଲେ । ତାଙ୍କର ଜଣେ ମହିଳା ବାନ୍ଧବୀ ବି କାର୍ରେ ଥିଲେ । ପ୍ରଥମେ ଉକ୍ତ ଅଧିକାରୀ ଜଣକ ପୁଲିସ ଆଗରେ ବୟାନ ଦେଇଥିଲେ କି ସେଇ ମହିଳା ବାନ୍ଧବୀ ଜଣକ ଗାଡ଼ି ଚଳାଉଥିଲେ । ମାତ୍ର ମହିଳା ଜଣକ ଓଲଟା କଥା କହିଥିଲେ । ଏହାପରେ ପୁଲିସ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି କହିଛି କି ଶ୍ରୀରାମ ହିଁ ସେତେବେଳେ ଗାଡ଼ି ଚଳାଉଥିଲେ ଏବଂ ସେ ନିଶାସକ୍ତ ଅବସ୍ଥାରେ ଥିଲେ । ଅନ୍ୟପଟରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed, but trackbacks and pingbacks are open.