ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ୍ (ଏସ୍ପିଜି) ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନିଆଯାଇଛି । ଏବେ ତାଙ୍କୁ କେବଳ ଜେଡ୍-ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବ । ସୋମବାର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଏ ବାବଦରେ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି, ବିଶିଷ୍ଟ ନେତା ଓ ବ୍ୟକ୍ତିମାନଙ୍କୁ ଦିଆଯାଉଥିବା ସ୍ୱତନ୍ତ୍ର ବ୍ୟବସ୍ଥାକୁ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଇଥାଏ । ସମ୍ଭାବ୍ୟ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଏ । ଏହି କ୍ରମରେ ମନମୋହନଙ୍କ ଏସ୍ପିଜି ସୁରକ୍ଷାକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ହୋଇଛି । ଖୁବ୍ଶୀଘ୍ର ଏହି ବ୍ୟବସ୍ଥା ହଟାଇ ନିଆଯିବ । କିନ୍ତୁ ତାଙ୍କର ଜେଡ୍-ପ୍ଲସ୍ ସୁରକ୍ଷା ଜାରି ରହିବ ।ଏକ ସୂତ୍ରରୁ ଜଣାପଡ଼ିଛି ଯେ ସିଆରପିଏଫ୍ ମନମୋହନଙ୍କ ସୁରକ୍ଷା ଦାୟିତ୍ୱ ହାତକୁ ନେଇପାରେ । ସଂଶୋଧିତ ବ୍ୟବସ୍ଥା ମୁତାବକ ପାଖାପାଖି ୩୫ କମାଣ୍ଡୋ ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୫ରେ ଏସ୍ପିଜି ଗଠନ କରାଯାଇଥିଲା । ସବୁବେଳେ ଜୀବନ ପ୍ରତି ବିପଦ ଥିବା ବିଶିଷ୍ଟ ନେତାଙ୍କୁ ଏହି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥାଏ । ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲା ବେଳେ ଏହି ସୁରକ୍ଷା ବଳୟରେ ରହୁଥିଲେ ଏବଂ ଏ ପର୍ଯ୍ୟନ୍ତ ଏହା ଜାରି ରହିଥିଲା ।ଏବେ ଦେଶର ୪ ଜଣ ବ୍ୟକ୍ତିଙ୍କୁ ଏସ୍ପିଜି ସୁରକ୍ଷା ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ତାଙ୍କ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ସୁରକ୍ଷା ମିଳୁଛି । ଏସ୍ପିଜିରେ ଏବେ ପାଖାପାଖି ୩,୦୦୦ ଅଧିକାରୀ ନିୟୋଜିତ ଅଛନ୍ତି । ପୂର୍ବରୁ ଏମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ଯୋଗାଇ ଦେଉଥିଲେ । କିନ୍ତୁ ଏବେ ସେମାନେ ମୋଦି ଓ ୩ ଜଣ ଗାନ୍ଧୀ ପରିବାର ସଦସ୍ୟଙ୍କୁ ସୁରକ୍ଷା ଯୋଗାଇବେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୪ରୁ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ୍ ୨୦୧୮ ଅଗଷ୍ଟ ଯାଏ ଏସ୍ପିଜି ସୁରକ୍ଷା ବଳୟରେ ରହିଥିଲେ ।
Comments are closed, but trackbacks and pingbacks are open.