ମନରେଗା କାମବେଳେ ବିସ୍ଫୋରଣ:୩ ଶ୍ରମିକ ଗୁରୁତର

Get real time updates directly on you device, subscribe now.

କବିସୂର୍ଯ୍ୟନଗର, (ବି.ବି.ନୁ୍ୟଜ୍): ମନରେଗା କାମ ଚାଲିଥିଲା ବେଳେ ଫୁଟିଲା ବୋମା । ସେଠାରେ କାମ କରୁଥିବା ତିନି ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ କବିସୂର୍ଯ୍ୟନଗର ପୁଲିସ ସାଙ୍ଗକୁ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଉଁଶିଆ ପଞ୍ଚାୟତ ବି.ନୂଆପଲ୍ଲୀ ଗ୍ରାମରେ ଶୁକ୍ରବାର ପୂର୍ବାହ୍ଣରେ ଏହି ଘଟଣା ଘଟିଛି ।
ବି.ନୂଆପଲ୍ଲୀ ଗ୍ରାମର ତଳଝରଣା ଠାରୁ ହରିଜନ ସାହି ପର୍ଯ୍ୟନ୍ତ ମନରେଗା ଯୋଜନାରେ ଏକ ନାଳ କାମ ଚାଲିଥିଲା ବେଳେ ଏହି ଅଘଟଣ ଘଟିଛି । ଏହି କାମରେ ୧୦ରୁ ୧୨ ଜଣ ଶ୍ରମିକ ନିୟୋଜିତ ଥିଲେ । ତେବେ ଶ୍ରମିକମାନେ ମାଟି କୋଡ଼ିରେ ଖୋଳିଲା ବେଳେ ପ୍ରଚଣ୍ଡ ଶବ୍ଦ ସହ ଧୂଆଁ ବାହାରିଥିଲା । କାର୍ଯ୍ୟରତ ୩ ଜଣ ଶ୍ରମିକ ଗୁରୁତର ହୋଇପଡ଼ିଥିଲେ । ସେମାନେ ହେଲେ ପୂର୍ଣ୍ଣଚନ୍ଦ୍ର ଗୌଡ଼ (୫୦), ବୁଲୁ ପ୍ରଧାନ (୩୫) ଓ କେଶବ ଚନ୍ଦ୍ର ଗୌଡ଼ (୬୦) । ତେବେ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଘଟଣାସ୍ଥଳରେ କବିସୂର୍ଯ୍ୟନଗର ଆଇଆଇସି ପ୍ରଭାତ କୁମାର ସାହୁ, ଏସ୍ଆଇ ଅର୍ଜୁନ କଅଁର ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଥିଲେ । ବୋମା ନିଷ୍କ୍ରିୟ ଦଳ ଆସି ତନାଘନା କରିଥିଲେ ହେଁ ଘଟଣାସ୍ଥଳରୁ କୌଣସି ବୋମାର ସନ୍ଧାନ ବା ବୋମା ଉପକରଣ ପାଇନଥିଲେ । ଏହା ମାଟି ତଳେ ପୋତି ରଖାଯାଇଥିବା କୌଣସି ବହୁଦିନ ତଳର ମଦ ବୋତଲ ହୋଇଥାଇପାରେ ଓ କୋଡି ବାଜିବା ପରେ ବିସ୍ଫୋରଣ ଘଟି ତାହାର ଅଂଶବିଶେଷ ଓ କାଚ ଖଣ୍ଡ ଶ୍ରମିକଙ୍କ ଶରୀରକୁ କ୍ଷତବିକ୍ଷତ କରିଥିବା ତଦନ୍ତକାରୀ ସୁରାକ୍ ପାଇଥିବା କହିଛନ୍ତି ଥାନାଧିକାରୀ । ଅପରପକ୍ଷରେ ମାଟି ତଳେ ବୋମା ରଖିଥିବା ତଥା ସମ୍ଭାବ୍ୟ ଆକ୍ରମଣ ଯୋଜନାକୁ ଖଣ୍ଡନ କରିଛନ୍ତି ସେ । ସେହିପରି ସ୍ଥାନୀୟ ସରପଞ୍ଚ ତପନ କୁମାର ପ୍ରଧାନ ବିସ୍ଫୋରଣ ସମ୍ପର୍କରେ ଜାଣିଥିବା ବେଳେ ବୋମା ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons