ଭୁବନେଶ୍ୱର: ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ନିୟୋଜିତ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୨ ଲକ୍ଷ ଶ୍ରମିକଙ୍କ ପାଇଁ ୩୫୨ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏଥିରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ୩ ମାସ ମଧ୍ୟରେ କାମ କରିଥିବା ଶ୍ରମିକଙ୍କୁ ଦୈନିକ ମଜୁରୀ ସହ ଅତିରିକ୍ତ ୫୦ ଟଙ୍କା ଦିଆଯାଇଛି । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇ ଦିଆଯାଇଛି । ଏହାଦ୍ୱାରା ପ୍ରତ୍ୟେକ ଶ୍ରମିକ ୪୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ମଜୁରୀ ପାଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କ ପାଇଁ ମୋ’ ହୃଦୟରେ ସବୁବେଳେ ସ୍ୱତନ୍ତ୍ର ସ୍ଥାନ ରହିଛି । ଗରିବ ଲୋକଙ୍କ ପାଇଁ କଲ୍ୟାଣକାରୀ କାର୍ଯ୍ୟକ୍ରମ ମୋତେ ଅଧିକ ସନ୍ତୋଷ ଦେଇଥାଏ । ଏହି ସହାୟତା ଗରିବ ଶ୍ରମିକ ପରିବାରଙ୍କର ଆର୍ଥିକ ସମସ୍ୟା ଦୂର କରିବାରେ ସହାୟକ ହେବ । ଗରିବ ଲୋକଙ୍କ ସହାୟତା ପାଇଁ ଏଭଳି ଉଦ୍ୟମ ଜାରି ରହିବ ।
ଜିଲ୍ଲାସ୍ତରରେ ଅଧିକ ଶ୍ରମ ଦିବସ ସୃଷ୍ଟି କରି ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍ର ଦ୍ୱିତୀୟ ଲହରୀରେ ଗରିବ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ୧୬୯୦ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ଏଥିରେ ଶ୍ରମିକଙ୍କ ପାଇଁ ୩୫୨ କୋଟି ଟଙ୍କାର ସହାୟତା ରହିଛି । ମନରେଗାରେ ଗତବର୍ଷ ୨୦ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବାବେଳେ ଚଳିତବର୍ଷ ୭ କୋଟି ଶ୍ରମ ଦିବସ ସୃଷ୍ଟି ହୋଇପାରିଛି । ବର୍ଷ ଶେଷ ସୁଦ୍ଧା ୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧ ବର୍ଷ ଧରି କୋଭିଡ୍ ଲଢେ଼ଇରେ ଲକ୍ଡାଉନ, ସଟ୍ଡାଉନ୍ ଯୋଗୁ ଗରିବ ଲୋକଙ୍କ ରୋଜଗାର କମିଛି । ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାଷୀ, ଶ୍ରମିକ, ଦୁଗ୍ଧ ଚାଷୀ, ଉଠାଦୋକାନୀ ସମସ୍ତଙ୍କ ପାଇଁ ୧୬୯୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । କରୋନାର ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ଶେଷ ହୋଇନଥିବାବେଳେ ସମସ୍ତେ ଟିକା ନେବା ସହ କୋଭିଡ୍ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ।
ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗରିବ କୃଷକ ଓ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ବାବଦରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ମନ୍ତ୍ରୀ କହିଥିଲେ ।
୨୦୨୦-୨୧ ଆର୍ଥିକ ବର୍ଷରେ ୨୦୨୦ ଜୁଲାଇ ୧ ତାରିଖ ସୁଦ୍ଧା ରାଜ୍ୟରେ ୫.୦୩ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ଗତ ଜୁଲାଇ ପହିଲା ସୁଦ୍ଧା ୭ କୋଟି ୯୩ ହଜାର ୩ଶହ ଶ୍ରମ ଦିବସ ସୃଷ୍ଟି ହୋଇଛି । ପୂର୍ବ ବର୍ଷ ତୁଳନାରେ ଏହା ୪୦ଧ ଅଧିକ । ଚଳିତବର୍ଷ ମନରେଗାରେ ୩୨ ଲକ୍ଷ ୧୮ ହଜାର ୫ଜଣଙ୍କୁ ନିଯୁକ୍ତି ଯୋଗାଇ ଦିଆଯାଇଛି । ମଜୁରୀ ଆକାରେ ୧୪୪୮ କୋଟି ୭୯ ଲକ୍ଷ ଟଙ୍କା ମଜୁରୀ ଆକାରରେ ଦିଆଯାଇଛି ।
ବଡ଼ କଥା ହେଲା, ଆର୍ଥିକ ବର୍ଷ ୨୦୨୧-୨୨ ସମୟରେ ରାଜ୍ୟ ମନରେଗାର ବିଭିନ୍ନ ମାନଦଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଶ୍ରମ ଦିବସ ସୃଷ୍ଟିରେ ଶ୍ରେÂ ୪ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ୩୭ ଲକ୍ଷ ୫୨ ହଜାର ପରିବାର ୬୨ ଲକ୍ଷ ୨୫ ହଜାର ଲୋକଙ୍କୁ ରୋଜଗାର ଯୋଗାଇ ମଜୁରୀ ବାବଦରେ ୪୬୮୩ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟବରାଦ କରି ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଦାଦନ ରୋକିବା ପାଇଁ ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାର ୨୦ଟି ଦାଦନ ପ୍ରବଣ ବ୍ଲକରେ ୨୦୧୯-୨୦ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ବଜେଟରୁ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ହାରରେ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ମନରେଗା ଅଧିନିୟମ ଅନୁଯାୟୀ ନିଶ୍ଚିତ ୧୦୦ ଦିନର କାମ ସହ ୨୦୦ ଦିନର ଅତିରିକ୍ତ କାର୍ଯ୍ୟ ଦିବସ ଯୋଗାଣ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବ୍ୟୟବରାଦ କରିଛନ୍ତି ।
ଆଜିର କାର୍ଯ୍ୟକ୍ରମରେ ବିଧାୟକ ମନୋହର ରାନ୍ଧାରି, ରାଜେନ୍ଦ୍ର ଢୋଲକିଆ, ସାରଦା ନାୟକ ପ୍ରମୁଖ ଯୋଗ ଦେଇଥିଲେ । ୩୧୪ ବ୍ଲକରୁ ମନରେଗା ଶ୍ରମିକମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ । ଗଞ୍ଜାମର ନିକି ଆମ୍ମା, କୈଳାଶ ଗଉଡ଼, କୋରାପୁଟର ସୁରେଶ ବାଖିଆ, ତପନ ନାଗ, କଳାହାଣ୍ଡିର ସିତି ପୂଜାରୀ, ଗଜ ମାଝୀ, ମୟୂରଭଞ୍ଜର ଶିବରାମ ସୋରେନ, ସୁକାନ୍ତି ମୁର୍ମୁ ପ୍ରମୁଖ ହିତାଧିକାରୀ ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, କୃଷି ଉପôାଦନ କମିଶନର ରାଜକୁମାର ଶର୍ମା, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.