ନୂଆଦିଲ୍ଲୀ: କରୋନା ଭାଇରସ୍ (କୋଭିଡ-୧୯) ବିରୋଧରେ ପ୍ରକୃତରେ ଦେଶର ଜନତା ଯୁଦ୍ଧ କରୁଛନ୍ତି । ସରକାର କେବଳ ଜନତାଙ୍କୁ ସାହାଯ୍ୟ କରୁଛନ୍ତି । ପୂରା ଦେଶର ପ୍ରତ୍ୟେକ ନାଗରିକ ଏହି ଲଢେ଼ଇରେ ଜଣେ ଜଣେ ସୈନିକ ରୂପେ କାର୍ଯ କରୁଛନ୍ତି । ଯେଉଁଠାରେ ମଧ୍ୟ ନଜର ପକାଇଲେ ଲୋକ କରୋନା ବିରୋଧରେ ଲଢ଼ୁଥିବା ଦେଖାଯାଉଛି । ଲୋକଙ୍କର ଏଭଳି ସହଯୋଗିତା ପାଇଁ ଭବିଷ୍ୟତରେ ଯଦି କେବେ କରୋନା ସମ୍ପର୍କରେ ଚର୍ଚ୍ଚା ହୁଏ ଭାରତୀୟଙ୍କୁ ନିଶ୍ଚିନ୍ତ ମନେ ପକାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୬୪ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି । ଏହି ଅବସରରେ ମୋଦି ଦେଶବାସୀଙ୍କୁ କରୋନା ସହ ଜଡିତ କେତେକ ସତର୍କ ବାର୍ତ୍ତା ଦେବା ସହ ତାଳି, ଥାଳି ଏବଂ ମହମବତୀ ଜଳାଇ ଲୋକମାନେ ଦେଶରେ ମହାଯଜ୍ଞ ହେବା ଭଳି ପରିବେଶ ସୃଷ୍ଟି କରିଥିବା କହିଥିଲେ । କରୋନାଠାରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଭିତରେ ୨ ଗଜ ଦୂରତା ରଖିବା ବହୁତ ଜରୁରି ଥିବା ମୋଦି ନିଜ ସମ୍ବୋଧନରେ ଉଲ୍ଲେଖ କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରୁ ମୋଦି କହିଥିଲେ, ପ୍ରତିଥର ତୁଳନାରେ ଚଳିତ ଥର ମନ୍ କୀ ବାତ୍ ପାଇଁ ଲୋକମାନେ ଅଧିକ ପରାମର୍ଶ ଦେଇଥିଲେ । ଯାହା ଦ୍ୱାରା ଆମକୁ ପୂର୍ବରୁ ଜଣା ନଥିବା କେତେକ ଜିନିଷ ଉପରେ ଆମର ଦୃଷ୍ଟି ଯାଇପାରିଲା । ଲକ୍ଡାଉନରେ ସାରା ଦେଶର ଲୋକେ ଆଜି ପରସ୍ପର ପାଇଁ ସହଯୋଗର ହାତ ବଢ଼ାଉଛନ୍ତି । ଗରିବଙ୍କୁ ଖାଦ୍ୟ ଯୋଗାଇବାଠାରୁ ଆରମ୍ଭ କରି ଲକ୍ଡାଉନ ନିୟମ ପାଳନ ବାବଦରେ ସଚେତନ କରିବା, ଘର ଭଡା ଛାଡ କରିବା, ନିଜ ପେନ୍ସନ ଏବଂ ପୁରସ୍କାର ରାଶି ଦାନ କରିବା, ନିଜ ଦେଶ ଭିତରେ ମେଡିକାଲ ଉପକରଣ ନିର୍ମାଣ କରିବା ଭଳି ଘଟଣାରୁ ସାରା ଦେଶ ଗୋଟିଏ ଲକ୍ଷ୍ୟରେ ଗୋଟିଏ ଦିଗରେ ସାଥି ହୋଇ ଚାଲୁଥିବା ଜଣାପଡ଼ିଛି । ଅନ୍ୟକୁ ସାହାଯ୍ୟ କରିବାକୁ ହୃଦୟରେ କେଉଁଠି ନା କେଉଁଠି ଆବେଗ ସୃଷ୍ଟି ହେଉଛି । ବାସ୍ତବରେ ଏହା ହଁ କରୋନା ବିରୋଦ୍ଧରେ ଲଢେ଼ଇକୁ ଅଧିକ ଶକ୍ତି ଦେଉଛି ବୋଲି ସେ କହିଥିଲେ ।
ଦେଶର ୧୩୦ କୋଟି ଜନତାଙ୍କୁ ପ୍ରଣାମ ଜଣାଇ ମୋଦି କହିଥିଲେ, କୋଟି କୋଟି ଲୋକ ରନ୍ଧନ ଗ୍ୟାସ୍ ସବସିଡି ଛାଡ଼ିବା, ବରିÂ ନାଗରିକମାନେ ରେଳ ସବସିଡି ଛାଡ଼ିବା, ପ୍ରତିଟି ଭାରତୀୟ ନିଜ ଘରେ ଶୌଚାଳୟ ନିର୍ମାଣ କରିବା ଭଳି ଅନେକ ଘଟଣା ମଧ୍ୟ ପୂର୍ବରୁ ଦେଶବାସୀଙ୍କ ମଧ୍ୟରେ ରହିଥିବା ଏକତାକୁ ପ୍ରମାଣିତ କରିଛି । କୃଷକମାନଙ୍କର ଦେଶପ୍ରତି ଥିବା ଅବଦାନ ସମ୍ପର୍କରେ ଉଲ୍ଲେଖ କରିମୋଦି କହିଥିଲେ, ଲକ୍ଡାଉନ ମଧ୍ୟରେ କୃଷି କାର୍ଯ୍ୟ ଆରମ୍ଭ ହୋଇଛିି । ଚାଷୀମାନେ କ୍ଷେତ୍ରରେ କାମ କରୁଛନ୍ତି । ଦେଶରେ କୌଣସି ବି ଲୋକକୁ ଯେଭଳି ଭୋକରେ ନ ଶୁଅନ୍ତୁ ସେଥିପାଇଁ କୃଷକମାନେ ପରିଶ୍ରମ କରୁଛନ୍ତି ।
ସେ କହିଥିଲେ ଯେ, ପ୍ରତ୍ୟେକ ଯୁଦ୍ଧ କିଛି ନା କିଛି ଶିକ୍ଷା ଦେଇଥାଏ । ଆଜି ଦେଶବାସୀ କରୋନା ଯୁଦ୍ଧରେ ଯେଉଁଭଳି ଶକ୍ତି ଦେଖାଉଛନ୍ତି, ତାହା ଦ୍ୱାରା ଭାରତରେ ଏକ ନୂତନ ପରିବର୍ତ୍ତନ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ବିଭିନ୍ନ କୌଶଳ ପରିବର୍ତ୍ତନ ଦିଗରେ ବଢ଼ୁଛି । ସମସ୍ତେ କିଛି ନୂଆ କରିବାକୁ ଲାଗିଛନ୍ତି । କରୋନା ଯୋଦ୍ଧାଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାର ଜାରି କରିଥିବା ନିଦେ୍ର୍ଧଶନାମାକୁ ଜୋରଦାର ସ୍ୱାଗତ କରାଯାଇଛି । ସେମାନଙ୍କୁ କେହି କୌଣସି କ୍ଷତି ପହଞ୍ଚାଇଲେ ତା ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ମୋଦି ପୂର୍ବର ଘୋଷଣା କରିଥିଲେ । ସେହିପରି ବିଶ୍ୱର ବିଭିନ୍ନ ଦେଶକୁ ଔଷଧ ଦାନ କରି ଭାରତ ମାନବତା ଦେଖାଇଛି । ଏହି କାରଣରୁ ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟମାନେ ଫୋନ କରି ଭାରତକୁ କୃତଜ୍ଞତା ଜଣାଉଥିବା ମୋଦି ପ୍ରକାଶ କରିଥିଲେ ।
କରୋନା ଲଢେ଼ଇରେ ରାଜ୍ୟ ସରକାରମାନଙ୍କ ଭୂମିକାକୁ ମୋଦି ପ୍ରଶଂସା କରିଥିଲେ । କହିଥିଲେ, ଯେତେବେଳେ ଦେଶ ଗୋଟିଏ ଟିମ୍ ହୋଇ କାମ କରେ ସେତେବେଳେ କ’ଣ ହୋଇପାରେ ଆମେ ଅନୁଭବ କରିପାରୁଛୁ । କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସେମାନଙ୍କର ପ୍ରତ୍ୟେକ ବିଭାଗ ଏକାଠି ହୋଇ ତୀବ୍ର ଗତିରେ କାମ କରୁଛନ୍ତି । ଗରିବ କଲ୍ୟାଣ ପ୍ୟାକେଜ ଅନୁଯାୟୀ, ଗରିବଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯାଉଛି । ବୟସ୍କଙ୍କୁ ଆଗୁଆ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଛି । ୩ ମାସ ପାଇଁ ଆଗୁଆ ରନ୍ଧନ ଗ୍ୟାସ ସିଲିଣ୍ଡର ଏବଂ ରାସନ ଆଦିର ବ୍ୟବସ୍ଥା କରାଯାଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଲିସ କର୍ମଚାରୀଙ୍କ କର୍ତ୍ତବ୍ୟନିÂତା ଦେଖି ଲୋକମାନଙ୍କର ପୁଲିସ ପ୍ରତି ଥିବା ନକାରାତ୍ମକ ମନୋଭାବ ସକରାତ୍ମକ ହୋଇ ପାରିଥିବା ମୋଦି କହିଥିଲେ ।
ସେହିଭଳି ଯୋଗ ପରେ ଭାରତର ଆୟୁର୍ବେଦ ଶାସ୍ତ୍ରକୁ ପୂରା ବିଶ୍ୱ ଆପଣାଉଥିବା ମୋଦି ପ୍ରକାଶ କରିିଥିଲେ । ରାସ୍ତାଘାଟରେ ଛେପ ପକାଇବାର ଖରାପ ଅଭ୍ୟାସ ଛାଡିବା ଏବଂ ମାସ୍କ ପିନ୍ଧିବା ଭଳି କେତେକ ଅଭ୍ୟାସକୁ ଆପଣାଇବାର ବର୍ତ୍ତମାନ ସମୟ ଆସିଥିବା ମୋଦି କହିଥିଲେ । କାର୍ଯ୍ୟକ୍ରମରେ ମୋଦି କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କିଛି ଦିନ ପୂର୍ବରୁ ବିହୁ, ବୈଶାଖୀ, ଓଡିଆ ନବବର୍ଷ ଭଳି ପର୍ବକୁ ଲକ୍ଡାଉନ ନିୟମ ମାନି ନିରାଡ଼ମ୍ବର ଭାବେ ପାଳନ କରାଯାଇଥିବା ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପବିତ୍ର ରାମଜାନ ମାସ ଆରମ୍ଭ ହୋଇଥିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । କହିଥିଲେ, ଇଦ୍ ଆସିବା ପୂର୍ବରୁ ଦୁନିଆ କରୋନା ମୁକ୍ତ ହୋଇଯାଉ ବୋଲି ସମସ୍ତେ ମନସ୍କାମନା କରିବା ଆବଶ୍ୟକ । ନିଜ ସମ୍ବୋଧନ ଶେଷ କରିବା ପୂର୍ବରୁ ମୋଦି ଲୋକମାନଙ୍କୁ ଅଧିକ ସତର୍କ ରହିବା ସହ ନିଜ ଅଞ୍ଚଳରେ କରୋନା ରୋଗୀ ନଥିବା ଭାବି କୋହଳ ମନୋଭାବ ନ ଦେଖାଇବାକୁ ଅନୁରୋଧ କରିଥିଲେ ।
Comments are closed, but trackbacks and pingbacks are open.