
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ପାଳିର ପ୍ରଥମ ‘ମନ୍ କୀ ବାତ୍’ ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିଛନ୍ତି । ସେ ଜଳ ସଙ୍କଟର ମୁକାବିଲା ଓ ବର୍ଷା ଜଳ ସଂରକ୍ଷଣ ଉପରେ ଜୋର ଦେଇଛନ୍ତି । ଏହି ଅବସରରେ ଦେଶବାସୀ ତାଙ୍କୁ ଦ୍ୱିତୀୟଥର ପାଇଁ କ୍ଷମତାକୁ ଫେରାଇ ଆଣିବେ ବୋଲି ତାଙ୍କର ଦୃଢ଼ ଆଶା ଥିଲା ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଜଳ ସଙ୍କଟର ମୁକାବିଲା ପାଇଁ କୌଣସି ଗୋଟିଏ ଫର୍ମୁଲା ନାହିଁ । ଏଥିପାଇଁ ଦେଶର ବିଭିନ୍ନ ଭାଗରେ ବିଭିନ୍ନ ତରିକା ଗ୍ରହଣ କରାଯାଉଛି । କିନ୍ତୁ ସମସ୍ତଙ୍କର ଉଦ୍ଦେଶ୍ୟ ହେଉଛି ଗୋଟିଏ । ତାହା ହେଉଛି ଜଳ ସଂରକ୍ଷଣ । ଜଳ ସଂରକ୍ଷଣ ଲାଗି ଏକ ଜନ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି । ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ସଂସ୍ଥାର ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ । ସ୍ୱଚ୍ଛତାକୁ ଯେଭଳି ଲୋକମାନେ ଏକ ଜନ ଆନ୍ଦୋଳନର ରୂପେ ଦେଇଥିଲେ ସେହିଭଳି ଜଳ ସଂରକ୍ଷଣ ପାଇଁ ଏକ ଜନ ଆନ୍ଦୋଳନ ଆରମ୍ଭ କରିବାକୁ ପଡିବ । ଜଳର ମହତ୍ତ୍ୱକୁ ଦୃଷ୍ଟିରେ ରଖି ସେ ନୂଆ ଜଳଶକ୍ତି ମନ୍ତ୍ରଣାଳୟ ଗଠନ କରିଛନ୍ତି । ବର୍ଷା ଜଳର ମାତ୍ର ୮ ପ୍ରତିଶତ ଅମଳ କରାଯାଇପାରୁଛି ବୋଲି ସେ ପ୍ରକାଶ କରିଛନ୍ତି ।
ମୋଦି କହିଛନ୍ତି ଯେ ଯେଉଁମାନେ ପୋରବନ୍ଦରର କୀର୍ତ୍ତି ମନ୍ଦିର ପରିଦର୍ଶନରେ ଯାଉଛନ୍ତି ସେମାନେ ସେଠାରେ ଥିବା ପାଣି ଟାଙ୍କିକୁ ଦେଖିବା ଉଚିତ । ୨୦୦ ବର୍ଷର ସେହି ଟାଙ୍କିରେ ଆଜି ବି ପାଣି ରହିଛି । ବର୍ଷା ଜଳକୁ ସଂରକ୍ଷିତ କରିବା ପାଇଁ ବ୍ୟବସ୍ଥା ହୋଇଛି । ପଞ୍ଜାବରେ ଡ୍ରେନେଜ ଲାଇନକୁ ଠିକ୍ କରିବା କାର୍ଯ୍ୟ ଜାରି ରହିଛି । ଏହାଦ୍ୱାରା ଜଳପ୍ଳାବିତ ସମସ୍ୟାରୁ ମୁକ୍ତି ମିଳିବ । ତେଲଙ୍ଗାନାର ଥିମାଇପଲ୍ଲୀରେ ଟ୍ୟାଙ୍କ ନିର୍ମାଣ କରାଯିବା ଫଳରେ ଗାଁ ଲୋକଙ୍କ ଜୀବନ ବଦଳି ଯାଇଛି । ରାଜସ୍ଥାନର କବିର ଗାଁରେ ଚାଷଜମିରେ ଛୋଟ ଛୋଟ ପୋଖରି ଖୋଳାଯାଇଛି । ସେଠାରେ ବର୍ଷା ଜଳ ସଂରକ୍ଷିତ କରାଯିବା ଦ୍ୱାରା ଗାଁ ଲୋକଙ୍କ ଭାଗ୍ୟରେ ଉନ୍ନତି ଘଟିଛି । ଦେଶରେ ଏଭଳି ଅନେକ ସରପଞ୍ଚ ଅଛନ୍ତି ଯେଉଁମାନେ ଜଳ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଛନ୍ତି । ଲାଗୁଛି ଯେଭଳି ଗାଁ ଲୋକେ ନିଜ ନିଜ ଗାଁରେ ଜଳମନ୍ଦିର ନିର୍ମାଣରେ ଲାଗିପଡିଛନ୍ତି । ସାମୂହିକ ପ୍ରୟାସ ଦ୍ୱାରା ବଡ ସକାରାତ୍ମକ ପରିବର୍ତ୍ତନ ହୋଇପାରିବ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଦେଶବାସୀଙ୍କ ଆସ୍ଥା ଓ ବିଶ୍ୱାସ ଯୋଗୁ ସେ ପୁଣି ୩-୪ ମାସ ପରେ ଏହି କାର୍ଯ୍ୟକ୍ରମକୁ ଫେରିଛନ୍ତି । ନିର୍ବାଚନରେ ବିଜୟୀ ହୋଇ ସେ ଫେରିନାହାନ୍ତି, ଦେଶବାସୀ ତାଙ୍କୁ ଫେରାଇ ଆଣିଛନ୍ତି । ନିର୍ବାଚନ ଶେଷ ହେବା ପରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୁଣିଥରେ ସେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ବୋଲି ଚାହୁଁଥିଲେ । କିନ୍ତୁ ମାସର ଶେଷ ରବିବାରକୁ ସେ ବାଛିଥିବାରୁ ତାଙ୍କୁ ଏହି ଦିନକୁ ଅପେକ୍ଷା କରିବାକୁ ପଡିଥିଲା । ଆଜି ସେହି ପ୍ରତୀକ୍ଷାର ଅନ୍ତ ଘଟିଛି । ଚଳିତଥର ନିର୍ବାଚନରେ ୯୧ କୋଟି ଭୋଟରଙ୍କ ମଧ୍ୟରୁ ୬୧ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଚୀନ୍କୁ ବାଦ୍ ଦେଲେ ଏହି ସଂଖ୍ୟା ଅନ୍ୟ କୌଣସି ଦେଶର ଲୋକସଂଖ୍ୟାଠାରୁ ଅଧିକ । ଏଥର ମହିଳାମାନେ ବହୁସଂଖ୍ୟାରେ ମତଦାନ କରିଛନ୍ତି । ଏପରିକି ମହିଳା ଓ ପୁରୁଷଙ୍କ ଭୋଟ ହାର ସମାନ । ଚଳିତଥର ୭୮ ଜଣ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।
Comments are closed, but trackbacks and pingbacks are open.