
ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): ଆବେଦନର ୮ ମାସ ବିତିଯାଇଛି । ତଥାପି ଆଜିପର୍ଯ୍ୟନ୍ତ ବ୍ୟାଙ୍କ ସେବା କେନ୍ଦ୍ରରେ ମିଳିପାରୁନି ପାସ୍ବୁକ୍ । ଏଥିଯୋଗୁ ମମତା ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି ଜଣେ ପ୍ରସୂତି । ସେ ହେଲେ ଲକ୍ଷ୍ମୀପୁର ବ୍ଲକ୍ ତୁନପାର ପଞ୍ଚାୟତ ଝିରଝିରା ଗାଁର କୁନ୍ଦ ସାଉନ୍ତା । ତୁରନ୍ତ ତାଙ୍କୁ ପାସ୍ବୁକ୍ ସହ ମମତା ଯୋଜନାର ସହାୟତା ରାଶି ପ୍ରଦାନ କରିବା ଲାଗି ନିବେଦନ କରାଯାଇଛି ।
ଝିର୍ଝିରା ଗାଁର ଶିବ ସାଉନ୍ତାଙ୍କ ସ୍ତ୍ରୀ କୁନ୍ଦଙ୍କ ଅଭିଯୋଗ ଅନୁଯାୟୀ, ସରକାର ପ୍ରସୂତିଙ୍କୁ ପୁଷ୍ଟିକର ଖାଦ୍ୟ ବାବଦରେ ୫୦୦ ଏବଂ ସହାୟତା ରାଶି ବାବଦରେ ୧୪୦୦ ଟଙ୍କା ସେମାନଙ୍କ ଜମାଖାତାରେ ପ୍ରଦାନ କରୁଛନ୍ତି । ୮ ମାସ ତଳେ ସେ ଗର୍ଭବତୀ ହେବା ପରେ ସଦର ମହକୁମାର ଜନସେବା କେନ୍ଦ୍ରରେ ମମତା ଯୋଜନାର ସୁଫଳ ପାଇବା ଲାଗି ପାସ୍ବୁକ୍ ଖୋଲିବା ଲାଗି ଆବେଦନ କରିଥିଲେ । ଗର୍ଭବତୀ ଥିଲେ ମଧ୍ୟ ଗାଁଠାରୁ ୮ କିମି ଚାଲି ଚାଲି ସଦର ମହକୁମାକୁ ଆସିଥିଲେ । ଆବେଦନ କରିବାର ୧୫ ଦିନ ଭିତରେ ପାସ୍ବୁକ୍ ପ୍ରଦାନ କରିବା ଲାଗି ନିୟମ ରହିଛି । କିନ୍ତୁ ସେବା କେନ୍ଦ୍ରର କର୍ମଚାରୀ ଆଜି ଆସ, କାଲି ଆସ କହି ଦିନ ଗଡାଇ ଚାଲିଥିଲେ । ଅଧିକାଂଶ ସମୟରେ କେନ୍ଦ୍ର ବନ୍ଦ ରହୁଥିବାରୁ କୁନ୍ଦ ଓ ତାଙ୍କ ସ୍ୱାମୀ କେନ୍ଦ୍ରକୁ ଆସି ନିରାଶ ହୋଇ ଫେରିଯାଉଛନ୍ତି । ଏମିତିକି କେନ୍ଦ୍ରର କର୍ମଚାରୀଙ୍କୁ ବାରମ୍ବାର ଫୋନ୍ କଲେ ମଧ୍ୟ ସେମାନେ ବିଭିନ୍ନ ବାହାନା ଦେଖାଇ ଏଠାରେ ପାସ୍ବୁକ୍ ହୋଇପାରିବ ନାହିଁ ବୋଲି କହୁଛନ୍ତି । ଏ ଭିତରେ କୁନ୍ଦ ତାଙ୍କ କୁନି ଛୁଆକୁ ଧରି ବାରମ୍ବାର କେନ୍ଦ୍ରକୁ ଆସୁଛନ୍ତି । ତଥାପି ତାଙ୍କୁ ପାସ୍ବୁକ୍ ପ୍ରଦାନ କରାଯାଉ ନାହିଁ । ଏଥିରେ ତାଙ୍କ ୩ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଥିବା କ୍ଷୋଭର ସହ କହିଛନ୍ତି । ଏ ସମ୍ପର୍କରେ ସିଡିପିଓ ଜି.ସୀତା କୁମାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଳମ୍ବ ହେଲେ ମଧ୍ୟ ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ।


Comments are closed, but trackbacks and pingbacks are open.