ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଏବଂ ତାଙ୍କ ପିତା ମୋତିଲାଲ ନେହରୁଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେବା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ମହଙ୍ଗା ପଡ଼ିଛି । ରାଜସ୍ଥାନ ପୁଲିସ ପାୟଲଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଅହମ୍ମଦାବାଦରୁ ଗିରଫ କରିଛି । ପାୟଲ ଏକ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଟୁଇଟ୍ରେ କହିଛନ୍ତି, ‘ମୋତିଲାଲ ନେହରୁଙ୍କୁ ନେଇ ଏକ ଭିଡିଓ ସେୟାର କରିଥିବାରୁ ମୋତେ ଗିରଫ କରାଯାଇଛି । ମୁଁ କିନ୍ତୁ ଗୁଗୁଲ୍ ତଥ୍ୟ ଆଧାରରେ ଏହି ଭଡିଓ କରିଥିଲି । ବାକ୍ ସ୍ୱାଧୀନତା ଏଠି ହାସ୍ୟାସ୍ପଦ ମନେହେଉଛି’ । ଉଲ୍ଲେଖଯୋଗ୍ୟ ପାୟଲ ଗତ ସେପ୍ଟେମ୍ବର ୧ ତାରିଖରେ ନିଜର ଫେସବୁକ୍ରେ ଏକ ଭିଡିଓ ସେୟାର କରି କହିଥିଲେ ଯେ, ‘ମୋତେ ଲାଗୁଛି କଂଗ୍ରେସ ପରିବାର ତିନ୍ ତଲାକକୁ ଏଥିପାଇଁ ବିରୋଧ କରିଥିଲା କାହିଁକି ନା ମୋତିଲାଲ ନେହରୁଙ୍କର ୫ ଜଣ ସ୍ତ୍ରୀ ଥିଲେ । ଏହା ସହ ମୋତିଲାଲ ନେହରୁ ଜବହାରଲାଲ ନେହରୁଙ୍କର ସାବତ ପିତା ଥିଲେ’ । ପାୟଲଙ୍କ ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜସ୍ଥାନ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଚାର୍ମେଶ ଶର୍ମା ବୁନ୍ଦି ଥାନାରେ ମାମଲା ଦାୟର କରିଥିଲେ । ଆଇଟି ଆଇନର ଧାରା ୬୬ ଏବଂ ୬୭ ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପୁଲିସ ପାୟଲଙ୍କୁ ନୋଟିସ ଜାରି କରି ଜବାବ ଦାଖଲ କରିବାକୁ କହିଥିଲେ । ମାତ୍ର ସେ କୌଣସି ଜବାବ ନଦେବାରୁ ରାଜସ୍ଥାନ ପୁଲିସ ଗୁଜରାଟ ଆସି ରବିବାର ତାଙ୍କୁ ନିଜ ପୈତୃକ ଘରୁ ଗିରଫ କରିଛି । ଆସନ୍ତାକାଲି (ସୋମବାର) ତାଙ୍କୁ କୋର୍ଟରେ ହାଜର କରାଯିବ ।
Comments are closed, but trackbacks and pingbacks are open.