ମହାନଦୀରେ ଆସୁଛି ବନ୍ୟା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଭୟାନକ ରୂପ ନେଇଛି ବର୍ଷା । ୭ ଜିଲ୍ଲାରେ ଭୟାନକ ବନ୍ୟା ଆସିଗଲାଣି । ଏପଟେ ଫୁଲୁଛି ମହାନଦୀ । ଉପକୂଳିଆ ଲୋକଙ୍କୁ ଏବେ ବନ୍ୟା ଆଶଙ୍କା ଘାରିଲାଣି ।
ସରକାର ସତର୍କ କରାଇ ଦେଇଛନ୍ତି, ଲଗାଣ ବର୍ଷା ଯୋଗୁ ମହାନଦୀ ଅବବାହିକା ଅଞ୍ଚଳରେ ବନ୍ୟା ଆସୁଛି । ଆସନ୍ତା ୧୫ ତାରିଖ ସକାଳ ୧୦ଟା ସୁଦ୍ଧା ମୁଣ୍ଡୁଳିଠାରେ ୧୧.୫ ଲକ୍ଷ ଘନ ଫୁଟ୍ (କ୍ୟୁସେକ୍) ପାଣି ଆସି ପହଞ୍ଚିବ । ତେଣୁ କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ବନ୍ୟା ଆଶଙ୍କା ରହିଛି ।
ମହାନଦୀ ତଳମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ମହାନଦୀର ପ୍ରମୁଖ ଉପନଦୀ ତେଲ ଏବେ ଭୟାନକ ଭାବେ ଫୁଲି ଉଠିଛି । ପଥରଲାଠାରେ ତେଲ ନଦୀ ପ୍ରତି ସେକେଣ୍ଡରେ ୯ ଲକ୍ଷ ୨୫ ହଜାର ଘନ ଫୁଟ ପାଣି ମହାନଦୀରେ ଛାଡୁଛି । ଆଜି ରାତିରେ ଖଇରମାଳଠାରେ ମହାନଦୀରେ ୧୧ଲକ୍ଷ ଘନ ଫୁଟ୍ ଜଳ ପ୍ରବାହିତ ହେଉଥିଲା । ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଛି । ଏହି ପାଣି ୨୪ରୁ ୩୨ ଘଣ୍ଟା ଭିତରେ ମୁଣ୍ଡୁଳିରେ ପହଞ୍ଚିବ ।
ଆଶ୍ୱସ୍ତିର କଥା ହେଲା, ଏବେ ଉପକୂଳ ଓଡ଼ିଶାରେ ବିଶେଷ ବର୍ଷା ନାହିଁ । ଏହା ସହ ଆସନ୍ତାକାଲିଠାରୁ ବର୍ଷା ପରିମାଣ କ୍ରମଶଃ କମିବ । ଅନ୍ୟପକ୍ଷେ ଆସନ୍ତାକାଲି ହୀରାକୁଦ ଗେଟ୍ ଖୋଲିବ ସତ, ମାତ୍ର କେବଳ ଔପଚାରିକତା ପାଇଁ । ଯେହେତୁ ତଳମୁଣ୍ଡରେ ପାଣି ବଢ଼ିଛି, ତେଣୁ ଡ୍ୟାମ୍ ଗେଟ୍ ଖୋଲିବା ନିଷ୍ପତ୍ତି ବଦଳିଛି । ଆସନ୍ତାକାଲି କେବଳ ଗୋଟିଏ ଗେଟ୍ ଖୋଲାଯିବ । କିଛି ସମୟ ପରେ ଗେଟ୍ ବନ୍ଦ କରାଯିବ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୫୪ ଫୁଟ ରହିଛି ।
ତଥାପି ମହାନଦୀ ତଳମୁଣ୍ଡରେ ବନ୍ୟା ବିପଦ ଟଳିନି । ୧୫ ତାରିଖରେ ପୂର୍ଣ୍ଣିମା । ତେଣୁ ସମୁଦ୍ର ଜୁଆରୁଆ ରହିବ । ନଈ ପାଣିକୁ ଟାଣିବନି ସମୁଦ୍ର । ନଈ ପାଣି ସେମିତି ଫୁଲି ରହିବ । ଏଭଳି ସ୍ଥିତିରେ ଉପରମୁଣ୍ଡରେ ବଡ଼ ବର୍ଷା ହେଲେ ବନ୍ୟା ସଙ୍କଟ ବଢ଼ିପାରେ । ତଳମୁଣ୍ଡର କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼ରେ ନଦୀ କୂଳ ଲଘିଂପାରେ ।
ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ବନ୍ୟା ସ୍ଥିତି ନେଇ ଆଜି ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ମହାନଦୀ ବନ୍ୟାଜଳ ଆସିବାକୁ ଥିବାରୁ ପରିସ୍ଥିତି ଉପରେ ଆସନ୍ତା ୨୪ ଘଣ୍ଟା ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ମହାନଦୀ ତଳମୁଣ୍ଡ ଜିଲ୍ଲାଗୁଡ଼ିକରେ ନଦୀ ବନ୍ଧଗୁଡ଼ିକରେ ପାଟ୍ରୋଲିଂ କଡ଼ାକଡ଼ି କରି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକ ସହରର ରିଙ୍ଗ୍ରୋଡ୍ ଉପରେ ମଧ୍ୟ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବନ୍ୟାରେ ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର, ନୂଆପଡ଼ା, ସୋନପୁର, ବରଗଡ଼ ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଛି । ୨ ଲକ୍ଷ ୫ ହଜାର ୫୫୦ ଲୋକ ପ୍ରଭାବିତ ହୋଇଛନ୍ତି ଲଗାଣ ବର୍ଷା ଓ ବନ୍ୟାରେ । ୧୩୪ଟି ଗାଁ ଓ ୬ଟି ପୌର ସଂସ୍ଥା ପ୍ରଭାବିତ ହୋଇଛି । ୪୧ ହଜାର ୬୭୫ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ବନ୍ୟାଗ୍ରସ୍ତ ତଥା ବନ୍ୟା ଆଶଙ୍କାରେ ଥିବା ମୋଟ ୧୩ଟି ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି । କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗିର, ବୌଦ୍ଧ ଜିଲ୍ଲା ପାଇଁ ୭ ଦିନ ପର୍ଯ୍ୟନ୍ତ ରିଲିଫ୍ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୟସ୍କଙ୍କୁ ଦୈନିକ ୬୦ ଟଙ୍କାର ଖାଦ୍ୟ ଓ ପିଲାଙ୍କୁ ଦୈନିକ ୪୫ ଟଙ୍କାର ଖାଦ୍ୟ ଯୋଗାଇବାକୁ କୁହାଯାଇଛି ।
ଲଗାଣ ବର୍ଷା ଯୋଗୁ ବଲାଙ୍ଗିରରେ ଭୟାନକ ପରିସ୍ଥିତି ଉପୁଜିଛି । ବଲାଙ୍ଗିର-ଭବାନୀପାଟଣା ଓ ବଲାଙ୍ଗିର-ସମ୍ବଲପୁର ରାସ୍ତା ବିଚ୍ଛିନ୍ନ ହୋଇଛି । ବଲାଙ୍ଗିର ସଦର ମହକୁମାରେ ସର୍ବକାଳୀନ ରେକର୍ଡ ଭାବେ ଗତକାଲିଠାରୁ ଆଜି ଅପରାହ୍ନ ୫ଟା ୩୦ ଭିତରେ ୭୬୦ ମିମି ବର୍ଷା ହୋଇଛି । ଅବସ୍ଥା ପୂରା ସଙ୍ଗୀନ । ଗୁଡ଼ଭେଲା, ଲୋଇସିଂହା, ଦେଓଗାଁ, ବଲାଙ୍ଗିର, ପୁଇଁତୋଲା ବ୍ଲକ ପାଣି ଘେରରେ ଅଛି । ୧୬ ହଜାର ୩୯୭ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବେ ବି ବଲାଙ୍ଗିର ସହରରେ ୪ରୁ ୫ ଫୁଟ ଉଚ୍ଚର ପାଣି ଚାଲିଛି । ୫ଟି ବ୍ଲକର ୩୮ଟି ଗାଁ ଓ ୨ଟି ଏନଏସି ବ୍ୟାପକ ପ୍ରଭାବିତ ହୋଇଛି ।
କଳାହାଣ୍ଡିର କାଳିଗଙ୍ଗା ନଦୀରେ ବନ୍ୟା ଆସିବାରୁ ଏମ୍.ରାମପୁର ବ୍ଲକର ମୋହନଗିରି ପଞ୍ଚାୟତରେ ପାଣି ପଶିଛି । କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକ ବି ଗୁରୁତର ପ୍ରଭାବିତ ହୋଇଛି । ୮୯୨ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଡାମକର୍ଲାଖୁଣ୍ଟା ପୋଲ ଭାସି ଯାଇଥିବାବେଳେ ମାନିକେରା ରାସ୍ତା ଏବଂ ମୋହନଗିରିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବିଚ୍ଛିନ୍ନ ହୋଇଛି ।
କନ୍ଧମାଳ ଜିଲ୍ଲାରେ ୩ଟି ବ୍ଲକର ୨୭ଟି ଗାଁ ଓ ବାଲିଗୁଡ଼ା ଏନଏସି ସର୍ବାଧିକ ପ୍ରଭାବିତ ହୋଇଛି ଲଗାଣ ବର୍ଷାରେ । ଏନଏଚ୍୫୯ ପାଖ ବାଲିଗୁଡ଼ାର ବାଟଗୁଡ଼ା ଓ ତୁମୁଡ଼ିବନ୍ଧକୁ ସଂଯୋଗ କରୁଥିବା ଡାଇଭରସନ୍ କଲର୍ଭଟ ଧୋଇ ଯାଇଛି । ବାଲିଗୁଡ଼ାରେ ଆଜି ପ୍ରବଳ ବର୍ଷା ହୋଇଛି । ଓଡ୍ରାଫ୍ ଟିମ୍ ସେଠାରେ ପହଞ୍ଚିଛି । ଫୁଲବାଣୀ ସହରର ୨ ନମ୍ବର ଓ ୧୦ ନମ୍ବର ୱାର୍ଡର ପ୍ରାୟ ୬ଟି ଗାଁ ଜଳବନ୍ଦୀ ରହିଛି ।
ନୂଆପଡ଼ାରେ ଖଡିଆଳ ବ୍ଲକର ୨ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୩ଟି ଘର ଭାଙ୍ଗିଯାଇଛି । ସେହିପରି ବରଗଡ଼ ଜିଲ୍ଲାର ବରପାଲି ଓ ପାଇକମାଳ ବ୍ଲକ ପ୍ରଭାବିତ ହୋଇଛି ।
ବୌଦ୍ଧ ଜିଲ୍ଲାରେ ବନ୍ୟା ଯୋଗୁ କଣ୍ଟାମାଳ ବ୍ଲକର ୨୩ଟି ଗାଁ ପ୍ରଭାବିତ ହୋଇଛି । ୧୮,୫୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୭୫ଟି ଘର ଭାଙ୍ଗିଛି ।
ସୋନପୁର ଜିଲ୍ଲାର ୪ଟି ବ୍ଳକ ଅନ୍ତର୍ଗତ ୨୪ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ୫୭୭୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସୋନପୁର, ତରଭା, ଡୁଙ୍ଗୁରିପାଲି, ବୀରମହାରାଜପୁରରୁ ବହୁ ରାସ୍ତା ବିଚ୍ଛିନ୍ନ ହୋଇଛି । ସମ୍ବଲପୁର ସହରରେ ଅନେକ ଅଞ୍ଚଳ ଜଳମଗ୍ନ ରହିଛି । ତଳି ଅଞ୍ଚଳରେ ପାଣି ପଶିଯାଇଛି ।
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି, ବନ୍ୟା ଓ ଲଗାଣ ବର୍ଷା ଯୋଗୁ ଗତ ଜୁନ୍ରୁ ଏଯାବତ୍ ୯ଜଣଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡିର ୩ଜଣ, କନ୍ଧମାଳର ୨, ମାଲକାନଗିରିର ୨, କୋରାପୁଟ ଓ ନବରଙ୍ଗପୁରର ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି ।
ଏସଆରସି କାର୍ଯ୍ୟାଳୟ ସୂଚନା ମୁତାବକ, ବନ୍ୟା ଓ ସମ୍ଭାବ୍ୟ ବନ୍ୟା ପାଇଁ ୧୩ ଜିଲ୍ଲାକୁ ଓଡ୍ରାଫ୍ ଟିମ୍ ପଠାଯାଇଛି । କେବଳ ବଲାଙ୍ଗିରକୁ ୩ଟି ଓଡ୍ରାଫ୍ ଟିମ୍ ପଠାଯାଇଥିବାବେଳେ ସୋନପୁରକୁ ଗୋଟିଏ ଏନଡିଆରଏଫ୍ ଟିମ୍ ପଠାଯାଇଛି । ବୌଦ୍ଧକୁ ମଧ୍ୟ ଏନଡିଆରଏଫ୍ ଟିମ୍ ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons