ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ସରକାରଙ୍କ ଅନ୍ତରୀଣ ଆବେଦନର ଶୁଣାଣିକୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅଗଷ୍ଟ ୩କୁ ଘୁଞ୍ଚାଇ ଦେଇଛନ୍ତି । ଅକ୍ଟୋବର ୧୯ରେ ଛତିଶଗଡ଼ ସରକାରଙ୍କ ଆବେଦନର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।
ସେହିଭଳି ଟ୍ରିବ୍ୟୁନାଲ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି, ଅକ୍ଟୋବର ୧୯ ସୁଦ୍ଧା ମହାନଦୀ ଜଳ ବିଭାଜନ ନେଇ ନିଜ ପାଖରେ ଥିବା ଆବଶ୍ୟକ ଦସ୍ତାବିଜ ଦାଖଲ କର । ଏହାପରେ ମାମଲାର ପ୍ରସଙ୍ଗ ନିର୍ଦ୍ଧାରଣ କରାଯିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି ।
ଅପରପକ୍ଷରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅଗଷ୍ଟ ୩ ସୁଦ୍ଧା ମୂଲ୍ୟ ନିର୍ଦ୍ଧାରକ ବା ଜଳ ସମ୍ପଦ ବିଶେଷଜ୍ଞ ନିଯୁକ୍ତ କରିବେ । ଏହାପରେ ଉଭୟ ରାଜ୍ୟର ଯୁଗ୍ମ ବୈଷୟିକ ଟିମ୍ ଓ ଆଡ୍ଭୋକେଟ୍ ଜେନେରାଲଙ୍କ ନେତୃତ୍ୱରେ କ୍ଷେତ୍ର ପରିଦର୍ଶନ ନିମନ୍ତେ ଦିନ ନିର୍ଣ୍ଣୟ ହେବ । ଓଡ଼ିଶା ପକ୍ଷରୁ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ମାମଲାରେ ରାଜ୍ୟର ପକ୍ଷ ରଖିଥିବା ବେଳେ ଛତିଶଗଡ଼ ପକ୍ଷରୁ ଏ କେ ଗାଙ୍ଗୁଲି ପକ୍ଷ ରଖିଛନ୍ତି ।
ସୂଚନା ଥାଉକି, ଅଣ-ମୌସୁମୀ ଋତୁରେ ଛତିଶଗଡ଼ ସରକାର ମହାନଦୀରୁ ୧.୭୪ ନିୟୁତ ଏକର ଫୁଟର ପାଣି ଛାଡ଼ିବା ଉଚିତ ବୋଲି ଓଡ଼ିଶା ସରକାର ନିଜର ଅନ୍ତରୀଣ ଆବେଦନରେ ଦାବି କରିଛନ୍ତି । ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାର ଯୁଗ୍ମ ଭାବେ ମହାନଦୀର ଉପର କ୍ଷେତ୍ର ପରିଦର୍ଶନ କରି ଏକ ଆପୋଷ ସମାଧାନରେ ପହଞ୍ଚିବାକୁ ଟ୍ରିବ୍ୟୁନାଲ ଉଭୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବାତ୍ୟା ଫୋନି କାରଣରୁ ଉଭୟ ରାଜ୍ୟ ମଧ୍ୟରେ ସମନ୍ୱୟ ବୈଠକ ହୋଇପାରି ନ ଥିଲା । ଏଣୁ ମେ’ ୩୧ ଶୁଣାଣି ବେଳେ ଓଡ଼ିଶା ଓ ଛତିଶଗଡ଼ ଆଉ ୪ ସପ୍ତାହ ସମୟ ମାଗିଥିଲେ । ଏହାପରେ ଟ୍ରିବ୍ୟୁନାଲ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩କୁ ସ୍ଥଗିତ ରଖିଥିଲେ ।
Comments are closed, but trackbacks and pingbacks are open.