ମୁମ୍ଵାଇ : ମହାରାଷ୍ଟ୍ରରେ କରୋନା ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପଦ ଦୋହଲିବାରେ ଲାଗିଛି। ମହାରାଷ୍ଟ୍ର କ୍ୟାବିନେଟ୍ ଦୁଇ ଥର ଉଦ୍ଧବ ଠାକରେଙ୍କୁ ବିଧାନ ପରିଷଦ ପାଇଁ ନାମାଙ୍କନ କରିବାକୁ ପ୍ରସ୍ତାବ ପଠାଇଛନ୍ତି ମାତ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଏ ପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏମିତି ସ୍ଥିତିରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି ମହାରାଷ୍ଟ୍ରର ରାଜନୈତିକ ସଙ୍କଟରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାମନ୍ତ୍ରୀ ମୋଦୀ ଶୀଘ୍ର ଏହି ମାମଲାର ସମାଧାନ କରିବାକୁ ଆଶ୍ଵାସନା ମଧ୍ୟ ଦେଇଛନ୍ତି।
ସୂତ୍ର ଅନୁଯାୟୀ ବୁଧବାର ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବିଷୟରେ ଅବଗତ କରାଇ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ କରୋନା ସଙ୍କଟ ଚରମରେ ରହିଛି। ଏହା ମଧ୍ୟରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ମହାରାଷ୍ଟ୍ର ପରି ବଡ ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ଠିକ୍ ନୁହେଁ। ଏଥିରେ ଜନତାଙ୍କୁ ଭୁଲ ସନ୍ଦେଶ ଯିବ। ଠାକରେ ପିଏମ ମୋଦୀଙ୍କୁ ଏହା ଉପରେ ହସ୍ତକ୍ଷେପ କରିବାକୁ କହିଛନ୍ତି। ଏହା ଶୁଣିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଶୀଘ୍ର ମାମଲାର ସମାଧାନ କରାଯିବ ବୋଲି ଉଦ୍ଧବଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଉଦ୍ଧବ ଠାକରେ ମେ ୨୮ ପୂର୍ବରୁ ସମ୍ବିଧାନ ଅନୁସାରେ କୌଣସି ଗୃହର ସଦସ୍ୟ ହେବା ଜରୁରୀ ସେ ବିଧାନସଭା ହେଉ କି ବିଧାନ ପରିଷଦ ହେଉ।
Comments are closed, but trackbacks and pingbacks are open.