ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ

Get real time updates directly on you device, subscribe now.

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ୨୦ ଦିନ ଧରି ଲାଗିରହିଥିବା ଅନିଶ୍ଚିତତାରେ ଆଜି ବିରାମ ଲାଗିଛି । ବହୁମତ ବିନା ସରକାର ଗଢ଼ିବା ପାଇଁ କୌଣସି ଦଳ ସମର୍ଥ ନ ହେବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ରାଷ୍ଟ୍ରପତି ଶାସନ ଲାଗୁ ନିମନ୍ତେ କେନ୍ଦ୍ର କ୍ୟାବିନେଟ୍ ସୁପାରିସ କରିଥିଲା । ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରି ଦେଇଛନ୍ତି । ଫଳରେ ସରକାର ଗଢ଼ିବାକୁ ଶିବସେନା ଯେଉଁ ସ୍ୱପ୍ନ ଦେଖୁଥିଲା, ତାହା ଭାଙ୍ଗି ଚୂର୍ମାର ହୋଇଯାଇଛି ।
ସରକାର ଗଢ଼ିବା ପାଇଁ ପ୍ରଥମେ ବିଜେପି ଅସାମର୍ଥ୍ୟ ପ୍ରକାଶ କରିବା ପରେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି ଶିବସେନାକୁ ଡାକିଥିଲେ । ବହୁମତ ନଥିବାରୁ ଶିବସେନା ମଧ୍ୟ ହାତ ଟେକିଦେଇଥିଲା । ଏହାପରେ ଏନ୍ସିପିକୁ ରାଜ୍ୟପାଳ ଡାକିଥିଲେ । ଦୁଇଟି ବଡ଼ ଦଳର ଏଭଳି ସ୍ଥିତି ପରେ ଏନ୍ସିପି ଦ୍ୱାରା ସରକାର ଗଠନ ଅସମ୍ଭବ ବୋଲି ସ୍ପଷ୍ଟ ବୁଝାପଡ଼ିଥିଲା । ତେଣୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ର ସୁପାରିସରେ ମୋହର ଲଗାଇବାକୁ ଉଚିତ ମଣିଥିେଲେ । ବ୍ରାଜିଲ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହାପରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ କେନ୍ଦ୍ର କ୍ୟାବିନେଟ୍ ସୁପାରିସ କରିଥିଲା । ପଞ୍ଜାବ ଗସ୍ତ ସାରି ଦିଲ୍ଲୀ ଫେରିବା କ୍ଷଣି କୋବିନ୍ଦ ସୁପାରିସ ପତ୍ରରେ ମୋହର ମାରିଥିଲେ ।
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପରେ ଶିବସେନାକୁ ଜୋରଦାର ଝଟ୍କା ଲାଗିଛି । ସରକାର ଗଢ଼ିବ ବୋଲି ଦଳ ଯେଉଁ ସ୍ୱପ୍ନ ଦେଖୁଥିଲା, ତାହା ଛାରଖାର ହୋଇଯାଇଛି । ଆଗକୁ ପରିସ୍ଥିତି କ’ଣ ହେବ, ସେ ନେଇ ଦଳ ଏବେ ଘୋର ଚିନ୍ତାରେ ରହିଛି । ତେବେ ରାଜ୍ୟପାଳ ଅଧିକ ମହଲତ ଦେଇନଥିବାରୁ ଶିବସେନା ଏହାକୁ ବିରୋଧ କରି ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଦଳ ଏହାର ପିଟିସନ୍ରେ ଦର୍ଶାଇଛି ଯେ ରାଜ୍ୟପାଳ ଯଦି ୩ ଦିନ ମହଲତ ଦେଇଥାନ୍ତେ, ଆବଶ୍ୟକ ସମର୍ଥନ ଜୁଟାଇବାରେ ଏହା ସମର୍ଥ ହୋଇପାରିଥାନ୍ତା । କିନ୍ତୁ ରାଜ୍ୟପାଳ ତାହା କରିନଥିଲେ । ଏହି ପିଟିସନ୍ ଉପରେ ବୁଧବାର ଶୁଣାଣି ହୋଇପାରେ । ସେହିଭଳି ରାଷ୍ଟ୍ରପତି ଶାସନ ବିରୋଧରେ ମଧ୍ୟ ଶିବସେନା ସୁପ୍ରିମକୋର୍ଟ ଯାଇପାରେ ବୋଲି କହିଛି । ବୁଧବାର ଏହା ଉପରେ ନିଷ୍ପତ୍ତି ନେବ ବୋଲି ଦଳ କହିଛି ।
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଶିବସେନା ବ୍ୟତୀତ କଂଗ୍ରେସକୁ ବି ଜୋରଦାର ଝଟ୍କା ଲାଗିଛି । ଏହାକୁ ନେଇ ଦଳ ନିଜ ପ୍ରତିକି୍ରୟା ରଖିଛି । ବରିÂ କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା କହିଛନ୍ତି, ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ରାଜ୍ୟପାଳ କୋଶ୍ୟାରି ସୁପାରିସ କରି ସାମ୍ବିଧାନିକ ପ୍ରକ୍ରିୟାର ଉପହାସ କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ । ଏନ୍ସିପି, ଶିବସେନା ଓ ବିଜେପିକୁ ରାଜ୍ୟପାଳ ମନମୁଖି ଭାବେ ସମୟସୀମା ଦେଇଥିଲେ । ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ ନେଇ ଅଧିକ ସମୟ ଦିଆଯିବା ଉଚିତ ଥିଲା । କିନ୍ତୁ ରାଜ୍ୟପାଳ ତାହା କରିନଥିଲେ । ଗଣତନ୍ତ୍ରକୁ ଏହାଦ୍ୱାରା ବଡ଼ ଝଟ୍କା ଲାଗିଛି । ସାମ୍ବିଧାନିକ ପ୍ରକ୍ରିୟାର ସେ ପରିହାସ କରିଛନ୍ତି ।
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ରାଜ୍ୟପାଳ କୋଶ୍ୟାରି ପ୍ରଥମେ ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ସୁପାରିସ ପତ୍ର ପଠାଇଥିଲେ । ରାଜ୍ୟରେ ସମ୍ବିଧାନ ଅନୁସାରେ ସରକାର ଗଠନ ଅସମ୍ଭବ ବୋଲି ସେଥିରେ ସେ ଦର୍ଶାଇବା ସହ ଏଠାରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରିବା ଶ୍ରେୟସ୍କର ବୋଲି ଉଲ୍ଲେଖ କରିଥିଲେ । ସମ୍ବିଧାନର ଧାରା ୩୫୬ ଆଧାରରେ ରାଜ୍ୟପାଳ ଏଭଳି ସୁପାରିସ କରିଥିଲେ । ଏହାପରେ କ୍ୟାବିନେଟ୍ ବୈଠକରେ ଏହା ଉପରେ ଆଲୋଚନା କରାଯାଇ ସୁପାରିସ ପଠାଯାଇଥିଲା ।
ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ରେ ବୈଠକ ବସିଥିଲା । ଏହାପରେ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ରାମଦାସ କଦମ ଏବଂ ଏକନାଥ ସିନେ୍ଦଙ୍କ ସମେତ ଅନେକ ବରିÂ ନେତା ହୋଟେଲ ରିଟ୍ରିଟ୍ ଅଭିମୁଖେ ବାହାରିଥିଲେ । ମଲାଡ଼ସ୍ଥିତ ଏହି ହୋଟେଲରେ ଶିବସେନାର ୫୬ ବିଧାୟକ ରହିଛନ୍ତି । ସେଠାରେ ସେମାନଙ୍କ ସହ ବିଚାରବିମର୍ଶ ପରେ ଦଳ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି କୁହାଯାଉଛି ।
ଆଦିତ୍ୟ ଠାକରେ କହିଛନ୍ତି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ନ ହେଲେ ମୁଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢ଼ିବି । ତେଣୁ ପ୍ରଧାନମନ୍ତ୍ରୀ ମୋଦି ମୋତେ ମୁଖ୍ୟମନ୍ତ୍ରୀ ହେବାକୁ ଦିଅନ୍ତୁ । ଏଥିରେ କୌଣସି ବାଧା ସୃଷ୍ଟି ନ କରନ୍ତୁ । ପ୍ରଧାନମନ୍ତ୍ରୀ ନିଜ ଆସନ ବଞ୍ଚାଇବାକୁ ଏହା କରିବା ଉଚିତ ।
ସେପଟେ କଂଗ୍ରେସର ବରିÂ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଅହମ୍ମଦ ପଟେଲ ଏବଂ କେ ସି ବେଣୁଗୋପାଳ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାର୍ତ୍ତା ନେଇ ମୁମ୍ବାଇରେ ପହଞ୍ଚି ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ଆଲୋଚନା ପରେ କଂଗ୍ରେସ ଓ ଏନ୍ସିପିର ମିଳିତ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏଥିରେ ପଟେଲ କହିଥିଲେ, ସମ୍ବିଧାନ ପ୍ରତି ଉପହାସ ଉଦ୍ୟମ କରାଯାଇଛି । ତେବେ ଏନ୍ସିପି ସହ ଆଲୋଚନା ପରେ ଶିବସେନା ସହ ଯୋଗାଯୋଗ କରାଯିବ । ସେହିଭଳି ସରକାର ଗଢ଼ିବା ପାଇଁ କଂଗ୍ରେସକୁ ଆମନ୍ତ୍ରଣ କରାନଯିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ସୂତ୍ର ମୁତାବକ ୮-୯ ଦିନ ମଧ୍ୟରେ ଦୁଇଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ।
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପରେ ମଧ୍ୟ ଶିବସେନା ନେତୃତ୍ୱାଧୀନ ସରକାର ସମ୍ଭବ ବୋଲି କଂଗ୍ରେସ ଓ ଏନ୍ସିପି ପକ୍ଷରୁ କୁହାଯାଇଛି । ମଙ୍ଗଳବାର ସକାଳେ ଓ ସନ୍ଧ୍ୟାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁ୍ୟସି)ର ଦୁଇଟି ମାରାଥନ୍ ବୈଠକ ଅନୁÂିତ ହୋଇଛି । ତିନି ଥାକିଆ ମେଣ୍ଟରେ ସାମିଲ ହେବା ନେଇ ବୈଠକରେ ମତପ୍ରକାଶ ପାଇଛି । ବିଶେଷକରି ମହାରାଷ୍ଟ୍ର କଂଗ୍ରେସ ବିଧାୟକଙ୍କ ଚାପରେ ଦଳ ସକାରାତ୍ମକ ନିଷ୍ପତ୍ତି ନେଇପାରେ ବୋଲି ଆଶା କରାଯାଉଛି । ତେବେ ଏନ୍ସିପି ସହିତ ଦଳ ଆହୁରି ଆଲୋଚନା କରିବ ।
ମେଣ୍ଟରେ ସାମିଲ ହେବା ପୂର୍ବରୁ କ୍ଷମତା ଭାଗବଣ୍ଟା ଚୁକ୍ତି ଚୂଡ଼ାନ୍ତ ହେବା ଆବଶ୍ୟକ ବୋଲି କଂଗ୍ରେସ ବିଚାର କରୁଛି । ଏଥିପାଇଁ ପାୱାରଙ୍କ ସହ ସୋନିଆ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଶାସନ ଲାଗୁ ସତ୍ତେ୍ୱ ଶିବସେନା ନେତୃତ୍ୱାଧୀନ ସରକାର ସମ୍ଭବ ବୋଲି ମନେକରି କଂଗ୍ରେସ ଏଭଳି ଉଦ୍ୟମ ଜାରି ରଖିଛି । ଏନ୍ସିପି ମଧ୍ୟ କଂଗ୍ରେସ ସହ ସକାରାତ୍ମକ ମନୋଭାବ ରଖି ଆଲୋଚନା ଜାରି ରଖିଛି । କିନ୍ତୁ ଶିବସେନାକୁ ସମର୍ଥନ ଜଣାଇବା ବାବଦରେ ଦୁଇଦଳ କୌଣସି ନିଷ୍ପତ୍ତି ନେଇପାରି ନାହାନ୍ତି ।
କୁହାଯାଉଛି ଯେ ମହାରାଷ୍ଟ୍ରରେ ଶିବସେନା ଓ ଏନ୍ସିପି ମେଣ୍ଟ ସରକାର ଗଢ଼ିବ । କଂଗ୍ରେସ ଏହି ମେଣ୍ଟକୁ ବାହ୍ୟ ସମର୍ଥନ ଦେବ । ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପରେ ସବୁଠୁ ବଡ଼ ଦଳ ଭାବେ ବିଜେପି (୧୦୫ ଆସନ)କୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ କୋଶ୍ୟାରି ଡାକିଥିଲେ । କିନ୍ତୁ ଶିବସେନା ସାଥ୍ ନ ଦେବାରୁ ସରକାର ଗଠନ ପାଇଁ ବିଜେପି ଅସାମର୍ଥ୍ୟ ପ୍ରକାଶ କରିଥିଲା । ଏହାପରେ ଦ୍ୱିତୀୟ ବୃହତ୍ ଦଳ ଭାବେ ରାଜ୍ୟପାଳ ଶିବସେନା (୫୬)କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ଦଳ ରାଜ୍ୟପାଳଙ୍କୁ ୩ ଦିନ ମହଲତ ମାଗିଥିଲା ଏବଂ ଏହା ଅଗ୍ରାହ୍ୟ ହୋଇଯାଇଥିଲା । ଏହାପରେ ରାଜଭବନରୁ ଏନ୍ସିପି (୫୪)କୁ ଆମନ୍ତ୍ରଣ ମିଳିଥିଲା । ମହାରାଷ୍ଟ୍ର ବିଧାନସଭାର ମୋଟ ଆସନ ସଂଖ୍ୟା ୨୮୮ ରହିଥିବା ବେଳେ ସରକାର ଗଢ଼ିବା ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons