ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ଏନ୍ଡିଏର ଦୁଇ ସହଯୋଗୀ ବିଜେପି ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ଭଲରେ ହୋଇଥିଲା । କିନ୍ତୁ ବିଧାନସଭା ନିର୍ବାଚନରେ ଦୁଇ ଦଳ ଭିତରେ ଏଭଳି ଚିତ୍ର ଦେଖିବାକୁ ମିଳିଛି ଯାହାକି ୨୦୧୪ ନିର୍ବାଚନ ବେଳେ ଦେଖାଯାଇଥିଲା । ଆସନ ବୁଝାମଣା ବିବାଦ ନ ତୁଟିବାରୁ ଉଭୟ ଦଳ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ବିଜେପି ବର୍ତ୍ତମାନ ମେଣ୍ଟର ଷ୍ଟିୟରିଂ ଧରିଛି ।
ସୂଚନା ଅନୁସାରେ ବିଜେପି ଶିବସେନାକୁ ସ୍ପଷ୍ଟ କରିଦେଇଛି କି ଗତ ବିଧାନସଭା ନିର୍ବାଚନରେ ଯେଉଁ ଦଳ ଯେତିକି ଆସନ ଜିତିଥିଲା ସେହିସଂଖ୍ୟା ଅନୁସାରେ ଚଳିତବର୍ଷ ନିର୍ବାଚନ ଲଢ଼ିବେ । ଅବଶିଷ୍ଟ ଯେଉଁ ଆସନ ବଳକା ରହୁଛି ତାହା ଉଭୟ ଦଳ ଭିତରେ ବଣ୍ଟାଯିବ । ଏହି ହିସାବକୁ ଦେଖିଲେ ଶିବସେନା ଭାଗରେ ୧୧୫ ଆସନ ପଡୁଛି । ରାଜ୍ୟରେ ମୋଟ ୨୮୮ଟି ବିଧାନସଭା ଆସନ ରହିଛି । କିନ୍ତୁ ବିଜେପିର ଏହି ଫର୍ମୁଲା ଉପରେ ଶିବସେନା ଆପତ୍ତି ଉଠାଇଛି । କହିଛି ଲୋକସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କହିଥିଲେ ଯେ ବିଧାନସଭା ନିର୍ବାଚନ ବେଳେ ଆସନ ସମାନ ଭାବେ ବଣ୍ଟାଯିବ । ୨୦୧୪ ନିର୍ବାଚନ ବେଳେ ଶିବସେନା ୧୫୦ ଆସନରୁ ତଳକୁ ଖସିବ ନାହିଁ ବୋଲି ଜିଦ୍ ଧରିଥିଲା । ତେଣୁ ଏଥର ବିଜେପି ମଧ୍ୟ ତା ସହ ସେଭଳି ବ୍ୟବହାର କରିବାକୁ ଯାଉଛି । ସେଥିପାଇଁ ଶିବସେନାକୁ ବିଜେପି ୧୨୮ ଆସନ ପ୍ରସ୍ତାବ ଦେଇଛି । ମାତ୍ର ଶିବସେନା ରାଜିନୁହେଁ । ଦଳ ଅତିକମ୍ରେ ୧୩୫ ଆସନ ଦାବି କରୁଛି । ଯାହାକି ବିଜେପି ଦେବା ସପକ୍ଷରେ ନାହିଁ ।
ଦୁଇଦଳ ଭିତରେ ଆସନ ବୁଝାମଣା ଜଟିଳ ହେବାର କାରଣ ଉଭୟ ବିଜେପି ଓ ଶିବେସନାରେ କିଛି କଂଗ୍ରେସ ଓ ଏନ୍ସିପି ନେତା ସାମିଲ ହେବା । ସେମାନଙ୍କୁ ଟିକେଟ ଦେବାକୁ ନେଇ ବିଜେପି ଓ ଶିବସେନା ଭିତରେ ସମସ୍ୟା ସୃଷ୍ଟି ହୋଇଛି । ଉଭୟ ଦଳ ଭାବୁଛନ୍ତି କି ଅଧିକ ଆସନ ପାଇଲେ କଂଗ୍ରେସ ଓ ଏନ୍ସିପି ନେତାଙ୍କୁ ଥଇଥାନ କରିବା ସହଜ ହେବ । ତେଣୁ କେହି କାହାକୁ ଅଧିକ ଆସନ ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ସୂଚନାଯୋଗ୍ୟ ଯେ ଗତ ବିଧାନସଭା ନିର୍ବାଚନ ବେଳେ ଉଭୟ ଦଳ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ । ବିଜେପି ୨୬୦ ଆସନରେ ଲଢ଼ି ୧୨୨ ପାଇଥିଲା ବେଳେ ଶିବସେନା ୨୮୨ ଆସନରେ ଲଢ଼ି ୬୩ ଟି ଜିତିଥିଲା । ନିର୍ବାଚନ ପରେ ଉଭୟ ଦଳ ମିଶି ମେଣ୍ଟ ସରକାର ଗଠନ କରିଥିଲେ ।
Comments are closed, but trackbacks and pingbacks are open.