ମହାରାଷ୍ଟ୍ର, ହରିଆଣାରେ ପ୍ରଚାର ଶେଷ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଶେଷ ମୁହୂର୍ତ୍ତରେ ବିଭିନ୍ନ ଦଳର ନେତା ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି । ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିଆଣାରେ ଦୁଇଟି ରାଲିକୁ ସମ୍ବୋଧନ କରିଥିଲା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମହାରାଷ୍ଟ୍ରରେ କେତେକ ନିର୍ବାଚନୀ ସଭାରେ ମଧ୍ୟ ଉଦ୍ବୋଧନ ଦେଇଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ପ୍ରଚାରରୁ ଦୂରେଇ ରହିଥିଲା ବେଳେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉଭୟ ରାଜ୍ୟର କେତେକ ନିର୍ବାଚନ ରାଲିରେ ଯୋଗଦେଇଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ, ଯୁବନେତା ଆଦିତ୍ୟ ଠାକ୍ରେ, ଏନ୍ସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକ୍ରେ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଦାଙ୍କ ସମେତ ବହୁ ତୁଙ୍ଗ ନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି । ମହାରାଷ୍ଟ୍ରରେ ଶାସକ ବିଜେପି-ଶିବସେନା ମେଣ୍ଟ ଏବଂ ବିରୋଧୀ କଂଗ୍ରେସ-ଏନ୍ସିପି ମେଣ୍ଟ ମଧ୍ୟରେ କଡା ମୁକାବିଲା ହେଉଛି ।
ହରିଆଣାରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହେଉଥିବା ବେଳେ ବହୁଜନ ସମାଜ ପାର୍ଟି ଓ ଆଇଏନ୍ଏଲ୍ଡି ମଧ୍ୟ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ମହାରାଷ୍ଟ୍ରର ୨୮୮ ଓ ହରିଆଣାର ୯୦ ଆସନ ପାଇଁ ଆସନ୍ତା ୨୧ ତାରିଖ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏ ଭୋଟ ଗ୍ରହଣ କରାଯିବ । ୨୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ ।
ମହାରାଷ୍ଟ୍ରରେ ୮ କୋଟି ୯୭ ଲକ୍ଷରୁ ଅଧିକ ଭୋଟର ମୋଟ ୩,୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବାକୁ ଥିଲା ବେଳେ ହରିଆଣାରେ ୧ କୋଟି ୮୩ ଲକ୍ଷରୁ ଅଧିକ ଭୋଟର ୧,୧୬୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ । ନଭେମ୍ବର ୨ ରେ ହରିଆଣା ଓ ନଭେମ୍ବର ୯ରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ମତଦାନ ପାଇଁ ମହାରାଷ୍ଟ୍ରରେ ୯୬,୬୬୧ ଓ ହରିଆଣାରେ ୧୯,୫୭୮ଟି ପୋଲିଂ ବୁଥ ପ୍ରତିÂା କରାଯିବ । ମତଦାନକୁ ଅବାଧ ଓ ନିରପକ୍ଷେ କରିବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
୨୧ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ କୌଣସି ଏକ୍ଜିଟ ପୋଲ ଫଳାଫଳ ପ୍ରସାରଣ କରାଯିବା ଉପରେ କଟକଣା ଲଗାଯାଇଛି । ସେହିଭଳି ୨୧ ତାରିଖରେ ୧୭ଟି ରାଜ୍ୟର ୫୧ଟି ବିଧାନସଭା ଆସନ ଏବଂ ଦୁଇଟି ଲୋକସଭା ଆସନ (ବିହାରର ସମସ୍ତିପୁର ଏବଂ ମହାରାଷ୍ଟ୍ରର ସତାରା) ପାଇଁ ଉପନିର୍ବାଚନ ଅନୁÂିତ ହେବ । ଏସବୁ ରାଜ୍ୟରେ ମଧ୍ୟ ଶନିବାର ପ୍ରଚାର ଶେଷ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons