ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଏବେ ଉଭୟ ରାଜ୍ୟରେ ସରକାର ଗଠନ ଲାଗି କସରତ ଆରମ୍ଭ ହୋଇଛି । ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ହେବାକୁ ଯାଉଥିଲା ବେଳେ ହରିଆଣାରେ ଝୁଲା ବିଧାନସଭା ହେବାକୁ ଥିବାରୁ ସେଠାରେ ସରକାର ଗଠନ ଉପରେ ସମସ୍ତଙ୍କ ନଜର ରହିଥିଲା । ସେଠାରେ ସରକାର ଗଠନ ଲାଗି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରୟାସ କରାଯାଉଥିଲା । କିନ୍ତୁ ଶେଷରେ ବିଜେପି ବାଜିମାତ୍ କରିଛି । ହରିଆଣାରେ ଜେଜେପି ସହିତ ମେଣ୍ଟ କରି ବିଜେପି ରାଜ୍ୟରେ ସରକାର ଗଢ଼ିବ ବୋଲି ଘୋଷଣା କରିଛି । ଦୁଇ ଦଳ ଭିତରେ ହୋଇଥିବା ବୁଝାମଣା ଅନୁଯାୟୀ, ବିଜେପି ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବ କିନ୍ତୁ ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ । ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ଏହି ଘୋଷଣା କରିଛନ୍ତି । ରାଜ୍ୟର ଜନମତକୁ ସମ୍ମାନ ଜଣାଇ ଦୁଇ ଦଳ ପରସ୍ପର ସହ ହାତ ମିଳାଇବେ ବୋଲି ସେମାନେ କହିଛନ୍ତି ।
ଏହାପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖ;ର ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଦଳର ରାଜ୍ୟପ୍ରଭାରୀ ଅନୀଲ ଜୈନଙ୍କୁ ଭେଟି ଆଲୋଚନା କରିଥିଲେ । ୯୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପି ୪୦ଟି ଆସନ ପାଇଥିଲା ବେଳେ ସରକାର ଗଠନ ଲାଗି ଆହୁରି ୬ ଜଣ ବିଧାୟକଙ୍କ ସମର୍ଥନ ଦରକାର କରୁଥିଲା । ଆସନ୍ତାକାଲି (ଶନିବାର) ପୂର୍ବାହ୍ନ ୧୧ଟରେ ଚଣ୍ଡିଗଡରେ ବିଜେପି ବିଧାୟକ ଦଳ ବୈଠକ ବସି ଖ;ରଙ୍କୁ ନେତା ନିର୍ବାଚନ କରାଯିବ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅରୁଣ ସିଂହ ବୈଠକରେ ଯୋଗଦେବେ । ବୈଠକ ପରେ ଖ;ର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିବେ । ସୂଚନା ଅନୁସାରେ ଦୀପାବଳି ପରେ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବ ।

ହରିଆଣାରେ କଂଗ୍ରେସ ମଧ୍ୟ ଜନନାୟକ ଜନତା ପାର୍ଟି (ଜେଜେପି) ସମର୍ଥନରେ ସରକାର ଗଠନ କରିବାକୁ ଉଦ୍ୟମ କରୁଥିଲା । ଦଳର ବରିÂ ନେତା ଦୀପେନ୍ଦର ହୁଡା କହିଥିଲେ ରାଜ୍ୟବାସୀ ବିଜେପିକୁ ଗ୍ରହଣ କରିନାହାନ୍ତି । ତେଣୁ ସବୁ ବିରୋଧୀ ଦଳ ଏକାଠି ହେବାକୁ ସେ ଆହ୍ୱାନ ଦେଇଥିଲେ । ଏଥିସହ ସେ ଜେଜେପିକୁ ସମୟ ନଷ୍ଟ ନକରି କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ଆଗେଇ ଆସିବା ଲାଗି ଅନୁରୋଧ କରିଥିଲେ । ନୂଆଦିଲ୍ଲୀରେ ଶୁକ୍ରବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ଦଳର ୧୭ ସଦସ୍ୟ ବିଶିଷ୍ଟ କୋର୍ଗ୍ରୁପ୍ ବୈଠକ ବସିଥିଲା । ସେଥିରେ ମହାରାଷ୍ଟ୍ର ଓ ହରିଆଣାର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା ।
ସେପଟେ ଶୁକ୍ରବାର ଜେଜେପି ବିଧାୟକ ଦଳ ବୈଠକ ବସି ଦଳର ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କୁ ବିଧାୟକ ଦଳ ନେତା ନିର୍ବାଚନ କରାଯାଇଥିଲା । ବୈଠକ ପରେ ଦୁଷ୍ୟନ୍ତ କହିଥିଲେ ତାଙ୍କ ସହିତ ବିଜେପି କିମ୍ବା କଂଗ୍ରେସ କେହି ଯୋଗାଯୋଗ କରିନାହାନ୍ତି । ତାଙ୍କ ପାଇଁ କେହି ଅଛୁଆଁ ନୁହନ୍ତି । କିନ୍ତୁ ଯେଉଁ ଦଳ ଘରୋଇ ଚାକିରିରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ୭୫ ପ୍ରତିଶତ ସଂରକ୍ଷଣ ଦେବା ଲାଗି କାର୍ଯ୍ୟ କରିବ ଏବଂ ତାଙ୍କର ସର୍ବନିମ୍ନ କର୍ମସୂଚୀକୁ ସ୍ୱୀକାର କରିବ ଜେଜେପି ସେହି ଦଳକୁ ସମର୍ଥନ କରିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିÂ କଂଗ୍ରେସ ନେତା ଭୁପିନ୍ଦର ସିଂହ ହୁଡା କହିଥିଲେ ଦୁଷ୍ୟନ୍ତ ଯେଉଁ ଦାବି ଉଠାଇଛନ୍ତି ତାହା କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ରହିଛି । ଯଦି ତାଙ୍କର ଅଧିକ କିଛି ଦାବି ରହିଛି ସେ ଆଲୋଚନା ଟେବୁଲକୁ ଆସିବା ଉଚିତ । ହେଲେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦୁଷ୍ୟନ୍ତ ବିଜେପି ଆଡକୁ ଢଳିସାରିଥିଲେ । ସେ ବିଜେପି ନେତାମାନଙ୍କ ସହ ବୈଠକ କରି ଦୁଇ ଦଳ ଭିତରେ ମେଣ୍ଟ ଗଠନର ମାର୍ଗ ପ୍ରଶସ୍ତ କରିଥିଲେ । ତେଣୁ ରାଜ୍ୟରେ ସରକାର ଗଢ଼ିବା ପାଇଁ କଂଗ୍ରେସର ଆଶା ମଉଳିଯାଇଛି ।
ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ପୁଣିଥରେ କ୍ଷମତାକୁ ଫେରିଥିଲା ବେଳେ ସେଠାରେ ସରକାର ଗଠନ ନେଇ ଉଭୟ ଦଳ ଭିତରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଆସନ୍ତାକାଲି (ଶନିବାର) ଶିବସେନାର ନିବନିର୍ବାଚିତ ବିଧାୟକ ଦଳ ବୈଠକ ବସିବ । ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନ ‘ମାତୋଶ୍ରୀ’ରେ ଏହି ବୈଠକ ବସି ସେଠାରେ ଦଳର ନେତା ନିର୍ବାଚନ କରାଯିବ । ଏଥର ରାଜ୍ୟର ମୁଖ୍ୟମନ୍ତ୍ରୀ ୫୦:୫୦ ଫର୍ମୁଲାରେ ସ୍ଥିର ହେବ ବୋଲି ଉଦ୍ଧବ କହିବା ସହ ଏଥିରୁ ତାଙ୍କ ଦଳ ପଛକୁ ହଟିବ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି । ଗତଥର ତୁଳନାରେ ବିଜେପି ଏଥର କମ୍ ଆସନ ପାଇଥିବାରୁ ଶିବସେନା ତା ସହିତ ମୁଲଚାଲ ଆରମ୍ଭ କରିଛି ।
ସେପଟେ କଂଗ୍ରେସ କହିଛି ଯେ ରାଜ୍ୟରେ ସରକାର ଗଠନ ନେଇ ଶିବସେନା ପକ୍ଷରୁ ପ୍ରସ୍ତାବ ଆସିଲେ ବିଚାର କରାଯିବ । କିନ୍ତୁ ଏପର୍ଯ୍ୟନ୍ତ ସେଭଳି କୌଣସି ପ୍ରସ୍ତାବ ଆସିନାହିଁ । ମହାରାଷ୍ଟ୍ର ପିସିସି ସଭାପତି ବାଲାସାହେବ ଥୋରାଟ କହିଛନ୍ତି ଶିବସେନା ପକ୍ଷରୁ ପ୍ରସ୍ତାବ ଆସିଲେ ଦିଲ୍ଲୀରେ ଦଳୀୟ ହାଇକମାଣ୍ଡଙ୍କ ସହ ଆଲୋଚନା କରାଯିବ । ତା’ପରେ କ’ଣହୋଇପାରିବ ତାହା ଦେଖାଯିବ । ଅନ୍ୟପକ୍ଷରେ ଏନ୍ସିପି ବିରୋଧୀ ଦଳ ଆସନରେ ବସିବ ବୋଲି କହିଛି । ଦଳର ମୁଖ୍ୟ ଶରଦ ପାୱାର କହିଛନ୍ତି ରାଜ୍ୟବାସୀ ଏନ୍ସିପିକୁ ବିରୋଧୀ ଦଳର ଭୂମିକା ତୁଲାଇବା ପାଇଁ ଜନାଦେଶ ଦେଇଛନ୍ତି । ତେଣୁ ତାଙ୍କ ଦଳ ସରକାର ଗଠନରେ ସାମିଲ ନହୋଇ ବରଂ ବିରୋଧୀ ଦଳ ଆସନରେ ବସିବ । ଶିବସେନା ବିଜେପି ସହିତ ମୁଲଚାଲ କରିଥିଲା ବେଳେ କଂଗ୍ରେସ ମଧ୍ୟ ନୂଆ ମେଣ୍ଟ ସହଯୋଗ ସନ୍ଧାନରେ ରହିଛି । ଆମେ ତାହା ଉପରେ ନଜର ରଖିଛୁ । ଦେଖାଯାଉ ଆଗକୁ କ’ଣ ହେଉଛି ।
Comments are closed, but trackbacks and pingbacks are open.