ଝାରସୁଗୁଡ଼ା, (ବି.ବି.ନୁ୍ୟଜ୍): ଝାରସୁଗୁଡ଼ା ସହର ଉପକଣ୍ଠରେ ସାରସମାଲ ରୋହିଦାସପଡ଼ାରେ ଗତ ରାତିରେ ଗୁଳି କରି ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଛି । ଘରୁ ବାଡ଼ିପଟେ ବାହାରିଥିବା ସମୟରେ ରାତ୍ରି ଅନ୍ଧାରରେ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ହତ୍ୟାକାରୀକୁ ପୁଲିସ ଗିରଫ କରିଛି । ଡିଆଇଜି ହିମାଂଶୁ ଲାଲ୍ ଝାରସୁଗୁଡ଼ା ଥାନାରେ ଗଣମାଧ୍ୟମକୁ କହିଛନ୍ତି, ହତ୍ୟାକାଣ୍ଡ ଘଟିବାର ମାତ୍ର ୬ ଘଣ୍ଟା ମଧ୍ୟରେ ପୁଲିସ ହତ୍ୟାକାରୀକୁ ଗିରଫ କରିବାରେ ସଫଳ ହେବା ସହ ୫-ଟି ଅନୁଯାୟୀ ତଦନ୍ତ କରାଯାଇଛି । ଘଟଣା ପଛରେ ଅବୈଧ ପ୍ରେମ ସମ୍ପର୍କ କାରଣ ହୋଇପାରେ ବୋଲି ସନେ୍ଦହ କରାଯାଉଛି ।
ମୃତ ମହିଳା ଜଣକ ହେଲେ ସାରସମାଲ ରୋହିଦାସପଡ଼ାର ସାନନ୍ଦ ରୋହିଦାସଙ୍କ ପନôୀ କନକଲତା ରୋହିଦାସ (୩୫) । ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ କନକଲତା କୌଣସି କାରଣରୁ ଘର ବାଡ଼ିପଟକୁ ବାହାରିଥିଲେ । ସେଠାରେ କେହି ଜଣେ ତାଙ୍କ ଛାତିରେ ଗୁଳି କରି ଫେରାର ହୋଇଯାଇଥିଲା । ଆଜି ସକାଳେ କନକଲତାଙ୍କ ରକ୍ତ ଜୁଡୁବୁଡୁ ଶରୀର ବାଡ଼ିପଟେ ପଡ଼ିଥିବା ପରିବାର ଲୋକେ ଦେଖିବା ସହ ମୃତ ଦେହକୁ ଆଣି ଘର ଭିତରେ ଏକ ଖଟରେ ରଖି ଦେଇଥିଲେ । ସକାଳେ ପରିବାର ପକ୍ଷରୁ ହତ୍ୟାକାଣ୍ଡ ନେଇ ଝାରସୁଗୁଡ଼ା ଥାନାରେ ସୂଚନା ଦିଆଯିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏସ୍ଡିପିଓ କୈଳାସ ଆଚାର୍ଯ୍ୟ, ଆଇଆଇସି ସାବିତ୍ରୀ ବଳ, ସାଇଣ୍ଟିଫିକ୍ ଦଳ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ । ଶବ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ।
ପୁଲିସ୍ ସୁନ୍ଦରଗଡ଼ ସହରରେ ବିଭିନ୍ନ ସ୍ଥାନରେ ଚଢଉ କରି ଅଭିଯୁକ୍ତ ଗୋପାଳ ଯାଦବକୁ ଗିରଫ କରି ଝାରସୁଗୁଡ଼ା ଆଣିଥିଲା । ତା’ପାଖରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ମାଉଜର୍, ୮ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଗତ ରାତ୍ରିରେ ସାରସମାଲ ରୋହିଦାସପଡ଼ାକୁ ଆସି ଗୁଳି ଚଳାଇ କନକଲତାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଗୋପାଳ ଯାଦବ ଫେରାର ମାରିଥିଲା । ଅଭିଯୁକ୍ତ ଗୋପାଳ ଏବଂ ମୃତା କନକଲତା ସମ୍ବଲପୁରରୁ ପରସ୍ପରକୁ ଚିହ୍ନିଥିଲେ । ସେମାନେ ଏକାଠି ପରିବା ବ୍ୟବସାୟ ମଧ୍ୟ କରୁଥିଲେ । କନକଲତା ଜଣେ ବିବାହିତା ମହିଳା ହୋଇଥିବା ବେଳେ କୌଣସି କାରଣରୁ ଗୋପାଳ ସହ ସମ୍ପର୍କରେ ଆସିବା ପରେ ପାରିବାରିକ ଅଶାନ୍ତି ମଧ୍ୟ ଦେଖାଦେଇଥିଲା । ହେଲେ ଗୋପାଳଙ୍କ କୌଣସି କଥାରେ ସେ ରାଜି ନହେବାରୁ କନକଲତାଙ୍କୁ ସେ ହତ୍ୟା କରିଥିଲା ବୋଲି ସନେ୍ଦହ କରାଯାଉଛି ।
Comments are closed, but trackbacks and pingbacks are open.