ସମ୍ୱଲପୁର: ସମ୍ବଲପୁରକୁ ଦିନିକିଆ ଗସ୍ତରେ ଆସି ପୋଲିସ ଡିଜି ଅଭୟ ଲକଡାଉନ ସ୍ଥିତିର ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ସେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ କରିବା ସହ ଜିଲ୍ଲାରେ ଲକଡାଉନ ସ୍ଥିତି ସମ୍ପର୍କରେ ବୁଝିଥିଲେ। ପରେ ସେ ବିଭିନ୍ନ ଥାନା ପରିଦର୍ଶନ କରିଥିଲେ। ତା’ ପୂର୍ବରୁ ଡିଜିପି ୩ଜଣ ମହିଳା ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ଟାଉନ ଥାନାରେ କାର୍ୟ୍ୟରତ ଜଣେ ୯ ମାସର ଗର୍ଭବତୀ ସବଇନସ୍ପେର, କିଛିଦିନ ତଳେ ଦୁର୍ଘଟଣା ପରେ ସୁସ୍ଥ ହୋଇ ଡ୍ୟୁଟି କରୁଥିବା ମହିଳା କନେଷ୍ଟବଳ ଓ ଜଣେ ମହିଳା ହୋମଗାର୍ଡଙ୍କ ସହ କଥା ହୋଇଥିଲେ।
ଏଥି ସହିତ ରାସ୍ତାରେ ଯାଉଥିବାବେଳେ ଲକ୍ଷ୍ମୀ ଟକିଜ ଛକରେ ଗାଡିରୁ ଓହ୍ଲାଇ କାର୍ୟ୍ୟରତ କିଛି ପୋଲିସ କର୍ମଚାରୀଙ୍କ ସହ କଥା ହୋଇଥିଲେ। ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ବ୍ୟବସ୍ଥା କରାଯାଉଥିବା ନେଇ ଏହି ଅବସରରେ ସୂଚନା ଦେଇଥିଲେ।
ସେହିପରି କୋରାପୁଟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆପଙ୍ଗଆଓ। ଜୟପୁର ସ୍ଥିତ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୫୨୫ ଜଣଙ୍କର ସ୍ୱାବ୍ ପଠାଯାଇଛି। ସେଥିମଧ୍ୟରୁ ୪୭୯ ଜଣଙ୍କର ନେଗେଟିଭ୍ ଆସିଛି। ବାକି ରିପୋର୍ଟ ଏଯାଏଁ ଆସିନାହିଁ। ଅନ୍ୟପଟେ କରୋନା ପଜିଟିଭ୍ ବାହାରିଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱର କିମ୍ସ ସ୍ଥାନାନ୍ତର କରାଯାଇଛି।
Comments are closed, but trackbacks and pingbacks are open.