ମହିଳା ଜଳିଗଲା ପରେ ବି ସମସ୍ତେ ଚୁପ୍

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ସହରରେ ବେଆଇନ ଭାବେ ଚାଲିଛି ବହୁ କୋଠା ନିର୍ମାଣ । ହାଇ ଭୋଲଟେଜ୍ ବିଦୁ୍ୟତ୍ ତାର ତଳେ ଯାଇଥିବା ଅଞ୍ଚଳ ବି ଏଥିରୁ ବାଦ୍ ପଡୁନି । ବାରମ୍ବାର ଅଘଟଣ ଘଟି କାହାର ଜୀବନ ଯାଉଛି ତ ଆଉ କିଏ ଗୁରୁତର ଆହତ ହେଉଛି । ରବିବାର ଅପରାହ୍ଣରେ ଗ୍ଲୋକାଲ୍ ହସ୍ପିଟାଲ୍ ନିକଟରେ ଏକ ଛାତ ଉପରେ ଠିଆ ହୋଇ କାମ କରୁଥିବା ବେଳେ ଜଣେ ମହିଳା ଶ୍ରମିକ ତାରରେ ଲାଗିଯାଇ ଜୀବନ ସହ ସଂଘର୍ଷ କରୁଛନ୍ତି । ତଥାପି ଓଡ଼ିଶା ପାୱାର ଟ୍ରାନ୍ସମିସନ ନିଗମ ଲିମିଟେଡ୍, ରାଜସ୍ୱ ବିଭାଗ, କ୍ରିଟ୍, ପୁଲିସ୍ ଏବଂ ପୌରସଂସ୍ଥା ସମସ୍ତେ ଚୁପ୍ । ସତେଯେମିତି କୌଣସି ଅଘଟଣ ପାଇଁ ସେମାନେ ଉତ୍ତରଦାୟୀ ନୁହନ୍ତି ।
କିଛିମାସ ତଳେ ପାୱାର ହାଉସ୍ କଲୋନିର ପ୍ରକାଶ ବିଦ୍ୟାଳୟ ଲାଇନ୍ରେ ଏଭଳି ବଡ଼ ଅଘଟଣ ଘଟିଥିଲା । ତାରରେ ଲାଗିଯାଇ ଦୁଇଟି ଘଟଣାରେ ୨ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲା । ଏହା ପରେ ବି ଚୁପ୍ ରହିଥିଲା ପ୍ରଶାସନ । ରବିବାର ସ୍ଥାନୀୟ ଗ୍ଲୋକାଲ ମେଡିକାଲ ପାଖରେ ମହିଳା ଜଣଙ୍କ ଛାତ ଉପରୁ ମାଟି ଫିଙ୍ଗୁଥିବା ବେଳେ ହଠାତ୍ ହାଇ ଭୋଲଟେଜ୍ ତାର ତାଙ୍କୁ ଟାଣି ନେଇଥିଲା । ବିରାଟ ବିସ୍ଫୋରଣ ସାଙ୍ଗକୁ ଜଳିଥିଲା ତାର । ମହିଳାଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ଜଳିଯାଇଥିଲା । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ପ୍ରଶ୍ନ ଉଠୁଛି, ଏଭଳି ଅଘଟଣ ପାଇଁ ଦାୟୀ କିଏ । ହାଇ ଭୋଲଟେଜ୍ ବିଦୁ୍ୟତ୍ ଲାଇନ୍ ତଳେ ଜମି ବିକ୍ରି ହେଲା କେମିତି? କାହାର ଅନୁମତିିରେ ବେଆଇନ ପ୍ଲଟିଂ କରାଗଲା ଏବଂ ଘର ନିର୍ମାଣ ହେଲା? ଏଭଳି ବେଆଇନ କାମ ରୋକିବା ଦାୟିତ୍ୱ କାହାର? କ’ଣ ପାଇଁ ପ୍ରଶାସନିକ ଅଧିକାରୀ ଗୋଡ଼ ଉପରେ ଗୋଡ଼ ଥୋଇ ବସିଛନ୍ତି? ବେଆଇନ ଭାବେ ଜମି ବିକୁଥିବା ରିୟଲ୍ ଇଷ୍ଟେଟ୍ ମାଲିକ ଏବଂ ଘର କରୁଥିବା ଲୋକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁÂାନ ନିଆଯାଉନି କାହିଁକି? ଏଭଳି ଏକାଧିକ ପ୍ରଶ୍ନ କରିଛନ୍ତି ସହରର ବୁଦ୍ଧିଜୀବୀ । ଅନ୍ୟପକ୍ଷରେ ଘର ନିର୍ମାଣ କରୁଥିବା ମାଲିକମାନେ ଗରିବ ଶ୍ରମିକଙ୍କ ପରିବାରକୁ ଟଙ୍କା କେଇଟା ଧରାଇ ଦେଇ ସେମାନଙ୍କ ମୁହଁ ବନ୍ଦ କରିଦେଉଛନ୍ତି ।
ସହରରେ ବିଶେଷ ଭାବେ ପାୱାର ହାଉସ୍ କଲୋନି ଏବଂ ଗ୍ଲୋକାଲ ମେଡିକାଲ ଅଞ୍ଚଳରେ ରହିଛି ହାଇଭୋଲଟେଜ୍ ବିଦୁ୍ୟତ୍ ଟାୱାର । ତା’ ସହ ୩୩ କେଭି ବିଦୁ୍ୟତ୍ ତାର ବି ରହିଛି । ହାଇ ଭୋଲଟେଜ୍ ବିଦୁ୍ୟତ୍ ତାର ତଳେ ପ୍ଲଟିଂ କରାଯାଇ ଜମି ବିକ୍ରି ଚାଲିଛି । ପ୍ରଶାସନର ଆଖି ଖୋଲିବାକୁ ଉଦ୍ୟମ କରାଯାଇଛି । କିନ୍ତୁ କଥାରେ ଅଛି, ଚେଇଁ ଶୋଇଥିବ ଯିଏ ନା ତାକୁ ଉଠାଇବ କିଏ । ନିୟମ ରହିଛି, ହାଇଭୋଲଟେଜ୍ ବିଦୁ୍ୟତ୍ ତାର କିମ୍ବା ଟାୱାର ପାଖରୁ ୩୫ ମିଟର ମଧ୍ୟରେ କୌଣସି ପରିସ୍ଥିତିରେ ଘର, କାରଖାନା କିମ୍ବା ଗଛ ଲଗାଯାଇପାରିବ ନାହିଁ । କିନ୍ତୁ ଏଠାରେ ସବୁ ନୀତି ନିୟମକୁ ମାଡ଼ିମୋକଚି ଦିଆଯାଉଛି । ବୁଦ୍ଧୀଜୀବୀମାନେ କହିଛନ୍ତି, ବିଦୁ୍ୟତ୍ ତାର ତଳ ଜାଗା ପ୍ଲଟିଂ କରିବାକୁ ଅନୁମତି ଦେଉଛି କ୍ରିଟ ଏବଂ ପୌରସଂସ୍ଥା । ଟଙ୍କା ଦେଇ ଠିକାଦାରମାନେ ପ୍ଲାନିଂ ମଞ୍ଜୁର କରିନେଉଛନ୍ତି । ଓପିଟିସିଏଲ୍ ବି ହାତବାନ୍ଧି ବସିଛି । ଜବରଦଖଲ ହଟାଇବା ଦିଗରେ କୌଣସି ପଦକ୍ଷେପ ନେଉନି ରାଜସ୍ୱ ବିଭାଗ ।
ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଆଲୋକ ରଞ୍ଜନ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ଅଳ୍ପ ଦିନ ପାଇଁ ସେ ଏହି ଦାୟିତ୍ୱରେ ରହିଛନ୍ତି । ତେଣୁ କୌଣସି ମତାମତ ଦେଇପାରିବେ ନାହିଁ । କ୍ରିଟ୍ ସମ୍ପାଦକ ରାଜକିଶୋର ସାହୁଙ୍କୁ ପଚାରିବାରୁ କହିଛନ୍ତି, ତାଙ୍କ ପୂର୍ବରୁ କ୍ରିଟ୍ର ସମ୍ପାଦକ ଦାୟିତ୍ୱରେ ଯିଏ ଥିଲେ, ସେହି ଅଂଚଳର ପ୍ଲଟିଂକୁ ସେ ମଞ୍ଜୁର କରିଛନ୍ତି । କିନ୍ତୁ ବର୍ତ୍ତମାନ ପ୍ଲଟିଂ ମଞ୍ଜୁର ପାଇଁ ଆସିଲେ ଏଥିପ୍ରତି ଦୃଷ୍ଟି ଦିଆଯାଉଛି । ଏହା ପରେ ବି ବ୍ରହ୍ମପୁରରୁ ଜୟପୁର ଫେରିଲେ ଉକ୍ତ ଅଂଚଳ ପରିଦର୍ଶନ କରିବେ । ବେଆଇନ ଭାବେ କୋଠା ନିର୍ମାଣ ହୋଇଥିଲେ ଆଇନ ଅନୁସାରେ ପଦକ୍ଷେପ ନେବେ । ତହସିଲଦାର ଅଶ୍ୱିନୀ ମହାପାତ୍ର କହିଛନ୍ତି, ଜବରଦଖଲ ସମ୍ପର୍କରେ ଓପିଟିସିଏଲ୍ ପକ୍ଷରୁ କୌଣସି ଅଭିଯୋଗ ମିଳିନି । ଉପଜିଲ୍ଲାପାଳଙ୍କ ନିକଟରେ ଓପିଟିସିଏଲ୍ ପକ୍ଷରୁ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ । ଏଥିରୁ ସ୍ପଷ୍ଟ ହେଉଛି, ଆମ ପ୍ରଶାସନିକ ଅଧିକାରୀମାନେ ବେଆଇନ କାମ ରୋକିବାକୁ କେତେ ତପôର । ଲିଖିତ ଅଭିଯୋଗ ନହେବା ଯାଏଁ ଅଫିସରୁ ପାଦ କାଢିବେ ନାହିଁ । ଜିଲ୍ଲା ପ୍ରଶାସନ ଏଭଳି ଏକ ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ବେଆଇନ ଭାବେ ନିର୍ମାଣ ହେଉଥିବା ପ୍ଲଟି ବେପାର ରୋକିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି । ନହେଲେ ଆଗାମୀ ଦିନରେ ଏକ ବଡ଼ ଆନେ୍ଦାଳନ କରାଯିବ ବୋଲି ସହରର ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons