ଭୁବନେଶ୍ୱର,(ବି.ବି.ବ୍ୟୁରୋ): ‘ପରୀ ପାଇଁ କଥାଟିଏ’ ଅଭିଯାନ ପ୍ରଥମ ଦଫାରେ ବେଶ୍ ସଫଳତା ସାଉଁଟିଛି । ଆଗକୁ ଏହି ଅଭିଯାନ ଜନତାଙ୍କୁ ଆହୁରି ସଚେତନ କରାଇବ । ଏଥିପାଇଁ ଏବେଠୁ ଲାଗିପଡ଼ । ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଆଗ୍ରାଧିକାର ଦିଅ । ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ବନାଇ ସୁରକ୍ଷିତ ପରିବେଶ ସୃଷ୍ଟି କର । ଅସାମାଜିକ ଓ ଅପରାଧୀଙ୍କୁ ଉଚିତ୍ ଶାସ୍ତି ଦିଅ । ରାଜ୍ୟ ପୁଲିସ ଅଧିକାରୀକୁ ଏମିତି ମନ୍ତ୍ର ପଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ପୁଲିସ ଭବନରେ ଆଜି ଆୟୋଜିତ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ପୁଲିସଙ୍କୁ ସମ୍ବୋଧିତ କରି କହିଥିଲେ, ନାବାଳିକାଙ୍କ ଉପରେ ହେଉଥିବା ଯୌନଶୋଷଣକୁ ରୋକିବା ପାଇଁ ଆରମ୍ଭ ହୋଇଥିଲା ପରୀ ଅଭିଯାନ । ଏହା ପ୍ରଥମ ପର୍ଯ୍ୟାୟରେ ସମାଜର ପ୍ରତିସ୍ତରର ଲୋକଙ୍କୁ ସଚେତନ କରାଇଥିଲା । ଅଭିଭାବକ ଓ ସମ୍ପର୍କୀୟଙ୍କ ଭୂମିକା ଉପରେ ବୁଝାଇଥିଲା । ଏବେ ଏହାକୁ ଆଗେଇ ନେବାର ସମୟ ଆସିଛି । ସାଧାରଣ ଜନତା ସୁରକ୍ଷିତ ପରିବେଶରେ ରହିବା ଦାୟିତ୍ୱ ପୁଲିସର । ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ପୁଲିସ୍ ଆଗକୁ ଅଧିକ ଯତ୍ନବାନ ହେବ ଏବଂ ମିଶନ ପରୀ-୨୦୨୪ ଅଭିଯାନ ସଫଳ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ସେ ଏକ କଫି ଟେବୁଲ୍ ବୁକ୍ ‘ପରୀ ପାଇଁ କଥାଟିଏ- ଏ ୱାର୍ଡ ଫର୍ ଦି ଲିଟିଲ୍ ଆଞ୍ଜେଲ୍’ ଏବଂ ଡକ୍ୟୁମେଣ୍ଟରୀ ଫିଲ୍ମ ଉନ୍ମୋଚନ କରିଥିଲେ ।
କର୍ମଶାଳାରେ ଯୋଗଦେଇଥବା ପୁଲିସ୍ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଥିଲେ, ନାବାଳିକାଙ୍କ ବିରୋଧରେ ଯୌନଶୋଷଣ ରୋକିବା ଉଦ୍ଦେଶ୍ୟରେ ଚାଲିଥିବା ପରୀ ଅଭିଯାନକୁ ଆହୁରି ବ୍ୟାପକ କରାଯିବ । ଏଥର ୫ ବର୍ଷିଆ ପ୍ଲାନିିଂ କରାଯାଉଛି । ପୁଲିସ ସହ ମହିଳା ଓ ଶିଶୁ ସମ୍ପର୍କିତ ଅନ୍ୟ ବିଭାଗକୁ ଅଭିଯାନରେ ଯୋଡ଼ାଯିବ । ଯାହାର ନାଁ ‘ମିଶନ ପରୀ-୨୦୨୪’ ରଖାଯାଇଛି । ଏହାର ରୂପରେଖ ପ୍ରସ୍ତୁତ ଚାଲିଛି । ଅଭିଯାନ ଜରିଆରେ ଶିଶୁଙ୍କ ଉପରେ ଯୌନଶୋଷଣ କମାଇବା ସହ ନାବାଳିକା ଚାଲାଣ, ବାଳ ବିବାହ ଓ ବାଳ ଶ୍ରମିକ ଉପରେ ମଧ୍ୟ ରୋକ୍ ଲଗାଯିବ ।
ଅତିରିକ୍ତ ମୁଖ୍ୟ ସଚିବ ତଥା ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ କହିଥିଲେ, ଏ ପ୍ରକାର ଅପରାଧକୁ ଘଟାଇବା ପାଇଁ ଜନସଚେତନତା ହିଁ ଏକମାତ୍ର ମାଧ୍ୟମ । ପରୀ ଅଭିଯାନ ପାର୍ଟ-୧ରେ ମାତ୍ର ୧୫ ଦିନରେ ୧୨ ଲକ୍ଷ ଲୋକଙ୍କୁ ସଚେତନ କରାଯାଇ ପାରିଥିଲା । ଆଗକୁ ଏକ ସୁସ୍ଥ ସମାଜ ଗଢ଼ିବାକୁ ପ୍ରୟାସ ଜାରି ରହିବ । ୟୁନିସେଫ୍ ମୁଖ୍ୟ ଡା. ମୋନିକା ନେଲସନ୍ କହିଥିଲେ, ମହିଳା ଓ ଶିଶୁଙ୍କ ପାଇଁ ସୁରକ୍ଷିତ ସମାଜ ଗଢ଼ିବା ଦିଗରେ ଏହି ଅଭିଯାନ ବେଶ୍ ସହାୟକ ହୋଇଛି । ଅଭିଯାନକୁ ଆହୁରି ବ୍ୟାପକ କରାଯିବ । ଯେଉଁଥିରେ ପୂର୍ବଭଳି ୟୁନିସେଫ୍ର ସହଭାଗିତା ରହିବ । ମହିଳା ଓ ଶିଶୁ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ଏଜିଡିପି (କ୍ରାଇମ) ସନ୍ତୋଷ ଉପାଧ୍ୟାୟ, ଆଇଜିପି (ହେଡ୍କ୍ୱାର୍ଟର୍ସ) ଅସୀତ ପାଣିଗ୍ରାହୀ, ଆଇଜିପି (କ୍ରାଇମ୍) ଅରୁଣ ବ୍ରୋଥାଙ୍କ ସମେତ ଏଥିରେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ମହିଳା ଓ ଶିଶୁ ଯୌନଶୋଷଣ ସହ ଶିଶୁ ଚାଲାଣ ରୋକିବା ଚ୍ୟାଲେଞ୍ଜ, ମହିଳା ଓ ଶିଶୁଙ୍କ ମାମଲାରେ ଦଣ୍ଡବିଧାନ ହାର ବଢ଼ାଇବା ଭଳି ବିଷୟବସ୍ତୁକୁ ନେଇ କର୍ମଶାଳାରେ ସ୍ୱତନ୍ତ୍ର ପ୍ୟାନେଲ ଆଲୋଚନା କରାଯାଇଥିଲା । ଶିଶୁ ସୁରକ୍ଷା, ମହିଳାଙ୍କ ଅଧିକାର ଓ ସାଇବର କାଉନସେଲିଂକୁ ନେଇ ରାଜ୍ୟ ବାହାରୁ ଆସିଥିବା ବିଶେଷଜ୍ଞ କର୍ମଶାଳାରେ ପୁଲିସ ଅଧିକାରୀଙ୍କୁ ଜ୍ଞାନ ବାଣ୍ଟିଥିଲେ । ଭାରତୀୟ ପୁଲିସ ପ୍ରତିଷ୍ଠାନ ଓ ୟୁନିସେଫ୍ ଏହି କର୍ମଶାଳାରେ ସହଯୋଗ କରିଥିଲେ ।
Comments are closed, but trackbacks and pingbacks are open.