ମହିଳା ଶ୍ରମିକଙ୍କ ଉପରେ ମାଡ଼ିଗଲା କାର: ୫ମୃତ

Get real time updates directly on you device, subscribe now.

ରାଉରକେଲା, (ବି.ବି.ନୁ୍ୟଜ୍): ୧୦ ନମ୍ବର ରାଜ୍ୟ ରାଜପଥର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମାବାହାଲ ଛକ ନିକଟରେ ବୁଧବାର ଦିନ ପ୍ରାୟ ସାଢେ଼ ୯ଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାଜପଥ କଡ଼ରେ କାମ କରୁଥିବା ମହିଳା ଶ୍ରମିକଙ୍କ ଉପରକୁ ଦ୍ରୁତଗତିରେ ଆସୁଥିବା ଏକ କାର ମାଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୫ ଜଣ ମହିଳା ଶ୍ରମିକଙ୍କ ମୃତୁ୍ୟ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ କାରଟି ରାଜପଥର ଡିଭାଇଡର ଡେଇଁ ବିପରୀତ ଦିଗରେ ଯାଉଥିବା ଏକ ସ୍କର୍ପିଓକୁ ଧକ୍କା ଦେଇଥିଲା । ଏଥିରେ ଉଭୟ ଗାଡ଼ିରେ ବସିଥିବା ୫ ଜଣ ଆହତ ହୋଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣି ଭାବେ କାର୍ଯ୍ୟ କରୁଥିବା ସାଲମୀ ତିର୍କୀ, ତାଙ୍କ ସ୍ୱାମୀ ତଥା ଝାରସୁଗୁଡ଼ା ଟ୍ରେଜେରି କାର୍ଯ୍ୟାଳୟରେ କାମ କରୁଥିବା ଲୋରେନତୋସ ଲାକ୍ରା ଏବଂ ପୁଅ ସନ୍ଦୀପ କୁମାର ଲାକ୍ରା ଏକ ଭରନା କାର (ଓଡ଼ି୧୬ଏଫ୍ ୪୩୪୪) ଯୋଗେ ସୁନ୍ଦରଗଡ଼ରୁ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ଆସୁଥିଲେ । ତେବେ ରାଜଗାଙ୍ଗପୁରର ରମାବାହାଲ ଛକ ନିକଟରେ କାର ଚଳାଉଥିବା ସନ୍ଦୀପ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ରାଜପଥ ପାଶ୍ୱର୍ରେ ଏଲ୍ଆଣ୍ଡଟି କମ୍ପାନିର ମହିଳା ଶ୍ରମିକମାନେ କାମ କରୁଥିବା ବେଳେ ସେମାନଙ୍କ ଉପରକୁ ମାଡ଼ି ଯାଇଥିଲା କାର । ଦୁର୍ଘଟଣା ଘଟାଇବା ପରେ କାରଟି ରାଜପଥର ଡିଭାଇଡର ଡେଇଁ ବିପରୀତ ରାସ୍ତାରେ ରାଉରକେଲାରୁ ସୁନ୍ଦରଗଡ଼ ପଟକୁ ଯାଉଥିବା ଏକ ସ୍କର୍ପିଓ (ଓଡ଼ି୧୪ସି ୨୬୭୬)କୁ ଧକ୍କା ଦେଇଥିଲା । ଉକ୍ତ ଦୁର୍ଘଟଣାରେ ମହିଳା ନାଉରୀ ମାଝି (୫୩) ଓ ପାନୋ ଲାକ୍ରା (୪୩)ଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିଲା । ସରସ୍ୱତୀ ଲାକ୍ରା (୩୫), ଉମା ଲାକ୍ରା (୩୮), କଳ୍ପନା ବାଡା (୨୫) ଏବଂ ଦ୍ରୌପଦୀ ବାଡା (୫୦) ଗୁରୁତର ଆହତ ହୋଇଥିଲେ । ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍)କୁ ପଠାଇଥିଲେ । ମାତ୍ର ଡାକ୍ତର ସରସ୍ୱତୀ, ଉମା ଓ କଳ୍ପନାଙ୍କୁ ମୃତ ଘୋଷଣା କରିଥିଲେ । ଦ୍ରୌପଦୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।
ଅନ୍ୟପକ୍ଷରେ ସ୍କର୍ପିଓରେ ବସିଥିବା ରାଜ କିଶୋର ଧଳ, କୃତିବାସ ସାହୁ ଓ ଅନ୍ୟ ଜଣେ ଆହତ ହୋଇଥିବା ବେଳେ ସାଲମୀ, ଲୋରେନତୋସ ଏବଂ ସନ୍ଦୀପ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ଲାଗି ଆରଜିଏଚ୍ରେ ଭର୍ତ୍ତି କରାଯାଇଛି । ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାର ମର୍ଗ ହାଉସ୍ରେ ନାଉରୀ ଓ ପାନୋଙ୍କ ମୃତଦେହ ଏବଂ ଆରଜିଏଚ୍ ମର୍ଗ ହାଉସରେ ସରସ୍ୱତୀ, ଉମା ଓ କଳ୍ପନାଙ୍କ ମୃତଦେହ ରଖାଯାଇଛି । ସମସ୍ତ ମହିଳା ଶ୍ରମିକଙ୍କ ଘର କୁତ୍ରା ବ୍ଲକର ରଜାବସା ଗ୍ରାମରେ ବୋଲି ଜଣାପଡ଼ିଛି । ଆହୁରି ଜଣାପଡ଼ିଛି ଯେ, ଆଇଜିଏଚ୍ରେ ଚିକିତ୍ସା କରିବା ଲାଗି ସନ୍ଦୀପଙ୍କୁ ତାଙ୍କ ବାପାମାଆ ରାଉରକେଲା ଆସୁଥିଲେ । ପୁଲିସ୍ ଉଭୟ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି । ସେପଟେ ରଜାବସା ଗାଁରେ ଖେଳି ଯାଇଛି ଶୋକର ଛାୟା । ଏବେ ଗାଁଟି ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons