ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମାଓ ବିରୋଧୀ ଅଭିଯାନରେ ପୁଲିସ୍କୁ ମିଳିଛି ଏକ ବଡ଼ ସଫଳତା । ଜଙ୍ଗଲ ଭିତରୁ ଠାବ ହୋଇଛି ମାଓବାଦୀଙ୍କ ବନ୍ଧୁକ କାରଖାନା । ବହୁ ବନ୍ଧୁକ ତିଆରି ସାମଗ୍ରୀ, ଗୋଳାବାରୁଦ ଜବତ ହୋଇଛି । କାଲିମେଳା ବ୍ଲକ ଅଞ୍ଚଳରେ ଚାଲିଥିଲା ଏହି କାରଖାନା । ଜବତ ସାମଗ୍ରୀ ମଧ୍ୟରେ ୧୨ ମିମି ବୋର୍ ବନ୍ଧୁକରେ ବ୍ୟବହୃତ ୪୮ ଟି କ୍ୟାଟ୍ରିଜ ଓ କ୍ୟାପ୍, ୧୨ ମିମି ୨ଟି ବନ୍ଧୁକ ଯନ୍ତ୍ରାଂଶ, ୯୩ଟି ଡିଟୋନେଟର୍, ୨ଟି ଗ୍ୟାସ୍ ସିଲିଣ୍ଡର୍, ଗୋଟିଏ ଲେଦ୍ ମେସିନ, ଗୋଟିଏ ଗ୍ୟାସ୍ ୱେଲଡିଂ ସିଲିଣ୍ଡର୍, ବନ୍ଧୁକ ନଳୀପାଇଁ ବ୍ୟବହୃତ ଲୁହା ପାଇପ୍, ଅନ୍ୟାନ୍ୟ ଅତ୍ୟାଧୁନିକ ଯନ୍ତ୍ରାଂଶ ଓ ମାଓ ପୁସ୍ତକ ରହିଛି । ଏହି ସୂଚନା ଦେଇଛନ୍ତି ଏସ୍ପି ରିଷିକେଶ ଡି ଖିଲାରୀ ।
ସୋମବାର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖିଲାରୀ ଜବତ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି । ସୂଚନା ଦେଇଛନ୍ତି ଯେ, ଦୁଇଦିନ ହେଲା ଡିଭିଏଫ, ବଡିଗେଟା ବିଏସଏଫ କ୍ୟାମ୍ପ୍ର ଯବାନମାନେ କାଲିମେଳା ଥାନା ଅଧୀନ କୁରୁପ, ସୁଧାକୋଣ୍ଡା, ଏଲକାନୁର ଜଙ୍ଗଲରେ କମ୍ବିଂ ଚଳାଇଥିଲେ । ଏହି ସମୟରେ ଜଙ୍ଗଲ ଭିତରେ ଠାବ ହୋଇଥିଲା ଏହି ବନ୍ଧୁକ କାରଖାନା । ସେଠାରେ ରହିଥିଲା ବନ୍ଧୁକ ତିଆରି ବିଭିନ୍ନ ସାମଗ୍ରୀ । ବନ୍ଧୁକ ତିଆରି କରି ମାଓବାଦୀମାନେ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ଯୋଜନାରେ ଥିଲେ । ତା ପୂର୍ବରୁ ପୁଲିସ ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଛି ।
ଏସ୍ପି କହିଛନ୍ତି, ମାଓପ୍ରବଣ ଅଞ୍ଚଳରେ ନିୟମିତ ଦମନ ପ୍ରକ୍ରିୟା ଚାଲୁ ରହିଛି । ସମ୍ପୃକ୍ତ ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି । ମାଓ କାର୍ଯ୍ୟକଳାପ ଦମନ କାର୍ଯ୍ୟରେ ଜିଲ୍ଲା ପୁଲିସ ସମେତ ବିଏସ୍ଏଫ, ଏସ୍ଓଜି, ଡିଭିଏଫ ଯବାନମାନେ ସାମିଲ ହୋଇଛନ୍ତି । ଦୁର୍ଗମ ତଥା ଅପହଞ୍ଚ ମାଓପ୍ରବଣ ସ୍ଥାନଗୁଡ଼ିକରେ ନିୟମିତ ସର୍ଚ୍ଚ ଅପରେସନ କରାଯାଉଛି । ସମ୍ମିଳନୀରେ ଶ୍ରୀ ଖିଲାରୀଙ୍କ ସମେତ ବିଏସ୍ଏଫ ଏବଂ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons