ଭଦ୍ରକ, (ବି.ବି.ନୁ୍ୟଜ): ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳାଙ୍କୁ ତାଙ୍କ ସାନ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାଁ ମାତାଜୀ ଜେନା । ଅଭିଯୁକ୍ତ ତଥା ତାଙ୍କ ସାନ ପୁଅର ନାଁ ନିରଞ୍ଜନ ଜେନା । ସୂନା ଅନୁସାରେ, ନିରଞ୍ଜନ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କିଛି ଦିନ ପୂର୍ବରୁ ସେ ଘରକୁ ଆସିଥିଲେ । କୌଣସି କାରଣକୁ ନେଇ ମା’ଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା । ୨୮ ତାରିଖ ଦିନ ନିରଞ୍ଜନ ତାଙ୍କ ମାଆଙ୍କୁ ଧରି ମାମୁ ଘର ପାଛଲକୁ ବାହାରିଥିଲେ । ହେଲେ ରାସ୍ତାରେ ମାଆ-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତେକ୍ତ ହୋଇ ନିରଞ୍ଜନ ଶାଢ଼ିରେ ମାଆଙ୍କ ବେକକୁ ଚିପି ଦେଇଥିଲେ । ଏଥିସହ ଏକ ଶକ୍ତ ବାଡ଼ିରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଏହାପରେ ସେ ଘରକୁ ଫେରି ଆସିଥିଲେ । ଘରେ ତାଙ୍କ ବାପା ତାଙ୍କୁ ମାତାଜୀଙ୍କ ସଂପର୍କରେ ପଚାରିଲେ । ହେଲେ ନିରଞ୍ଜନ କହି ଦେଇଥିଲେଯେ ସେ ମାମୁ ଘରେ ଅଛନ୍ତି । ଯୋଗାଯୋଗ କରିବା ପରେ ତାଙ୍କ ବାପା ଜାଣିବାକୁ ପାଇଲେ ଯେ ମାତାଜୀ ସେଠାକୁ ଯାଇ ନାହାନ୍ତି । ଏହାପରେ ସେ ମାତାଜୀଙ୍କୁ ଖୋଜାଖୋଜି କରିଥିଲେ । ଗତକାଲି ଏକ ବିଲରୁ ମାତାଜୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପୁଅ ନିରଞ୍ଜନ ଓ ବୋହୂ ମିଶି ମାତାଜୀଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ପୋଲିସ ମାମଲା ରୁଜୁ କରିଥିବା ବେଳେ ନିରଞ୍ଜନଙ୍କୁ ଅଟକ ରଖିଛି ।
Comments are closed, but trackbacks and pingbacks are open.