ମାଟିରେ ମିଶିଲା ମରାଦୁ ଅଟ୍ଟାଳିକା

Get real time updates directly on you device, subscribe now.

କୋଚି: କେରଳର କୋଚି ଜିଲ୍ଲା ମରାଦୁ ସହରରେ ଉପକୂଳ ସୁରକ୍ଷା ଜୋନ ଆଇନ ଉଲ୍ଲଂଘନ କରି ନିର୍ମିତ ହୋଇଥିବା ସମସ୍ତ ୪ଟି ଯାକ ଅଟ୍ଟାଳିକାକୁ ଭାଙ୍ଗି ଦିଆଯାଇଛି । ଶନିବାର ଦୁଇଟି ଅଟ୍ଟାଳିକା ଭଙ୍ଗା ଯାଇଥିଲା ବେଳେ ରବିବାର ଅବଶିଷ୍ଟ ୨ଟିକୁ ନିୟନ୍ତ୍ରିତ ବିସ୍ଫୋରକ ସହାୟତାରେ ଭାଙ୍ଗି ଦିଆଯାଇଛି । ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଥମେ ୧୭ ମହଲା ବିଶିଷ୍ଟ ଜୈନ କୋରାଲ କେଭ୍ ବିଲ୍ଡିଂଙ୍କୁ ୩୭୨ କି.ଗ୍ରା ବିସ୍ଫୋରକ ଯୋଗେ ଧ୍ୱଂସ କରି ଦିଆଯାଇଥିଲା । ଏହି ଅଟ୍ଟାଳିକାରେ ୧୨୮ଟି ଫ୍ଲାଟ ରହିଥିଲା । ତା ପରେ ଅର୍ଥାତ ଶେଷ ଅଟ୍ଟାଳିକା ୧୭ ମହଲା ବିଶିଷ୍ଟ ଗୋଲଡେନ କାୟାଲୋରମକୁ ଅପରାହ୍ନ ୨ଟାରେ ମାଟିରେ ମିଶାଇ ଦିଆଯାଇଛି । ଏଥିରେ ୪୦ଟି ଫ୍ଲାଟ ଥିଲା । ଭଙ୍ଗାଯିବା ପୂର୍ବରୁ ପ୍ରଶାସନ ପକ୍ଷରୁ ସାଇରନ ବଜା ଯାଇଥିଲା । ଅଟ୍ଟାଳିକା ଭଙ୍ଗାଯିବା ପରେ ପ୍ରବଳ କଂକ୍ରିଟ ଧୂଳି ଉଡୁଥିବାରୁ ଦମକଳ ବାହିନୀ ପକ୍ଷରୁ ପାଣି ମଧ୍ୟ ପକାଯିବାର ବ୍ୟବସ୍ଥା କରାଯାଇଥିଲା । ଅଟ୍ଟାଳିକା ଭଙ୍ଗାଯିବାର ଦୃଶ୍ୟ ଦେଖିବାକୁ ହଜାର ହଜାର ଲୋକ ସେଠାରେ ଭିଡ ଜମାଇଥିଲେ । ପ୍ରଶାସନ ପକ୍ଷରୁ ଅଟ୍ଟାଳିକା ସ୍ଥଳଠାରୁ ୨୦୦ ମିଟର ପରିସର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିଲା । ଗତକାଲି ୯୧ଟି ଫ୍ଲାଟ ଥିବା ୧୯ ମହଲା ବିଶିଷ୍ଟ ଏଚ୍୨୦ ହୋଲି ଫେଥ୍ କମ୍ପେ୍ଲକ୍ସ ଏବଂ ୬୭ଟି ଫ୍ଲାଟ ଥିବା ୧୭ ମହଲା ବିଶିଷ୍ଟ ଆଲଫା ସିରିନ ଅଟ୍ଟାଳିକାକୁ ଡିନାମାଇଟ ଲଗାଇ ଭାଙ୍ଗି ଦିଆଯାଇଥିଲା । ଏହି ୪ଟି ଅଟ୍ଟାଳିକାରେ ୩୫୦ରୁ ଅଧିକ ଫ୍ଲାଟ ରହିଥିଲା । ବେଆଇନ ଭାବେ ନିର୍ମିତ ହୋଇଥିବାରୁ ଏହାକୁ ଭାଙ୍ଗିଦେବା ଲାଗି ଗତବର୍ଷ ମେ’ରେ ସୁପି୍ରମକୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଏହାକୁ ଭଙ୍ଗାଯିବା ପୂର୍ବରୁ ପ୍ରଶାସନ ପକ୍ଷରୁ ସେଠାରେ ରହୁଥିବା ଲୋକଙ୍କୁ ଖାଲି କରିଦିଆଯାଇଥିଲା । ଅଟ୍ଟାଳିକା ଧ୍ୱଂସ କରାଯିବା ପରେ ସେଠାରେ ପ୍ରାୟ ୭୦ ହଜାର ଟନ୍ ଓଜନର କଂକ୍ରିଟ ଧୂଳି ଜମା ହୋଇରହିଛି । ତାକୁ ଉଠାଇବାକୁ ପ୍ରାୟ ୧ ମାସ ସମୟ ଲାଗିବ ବୋଲି ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି । ଅଟ୍ଟାଳିକା ଭଙ୍ଗାଯିବା ବିଷୟରେ ରାଜ୍ୟ ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ ଜଣାଇବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons