
ଭୁବନେଶ୍ବର : ରାଜ୍ୟରେ ସ୍ଥଗିତ ରହିଲା ଦଶମ ଏବଂ ଦ୍ବାଦଶ ଶ୍ରେଶୀ ପରୀକ୍ଷା । ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ଆସନ୍ତା ୧୯ ତାରିଖ ସୋମବାର ଠାରୁ ରାଜ୍ୟର ସମସ୍ତ ସ୍କୁଲ ଓ ହଷ୍ଟେଲ ବନ୍ଦ ହେବା ନେଇ ନିର୍ଦେଶନାମା ଜାରି କରାଯାଇଛି । ରାଜ୍ୟର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
ଘୋଷଣା ଅନୁଯାୟୀ, ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୧୮.୫.୨୧ ରିଖ ଠାରୁ ଆରମ୍ଭ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ଜୁନ୍ ୨୦୨୧ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କରାଯିବା ସଂପର୍କରେ ସମୀକ୍ଷା କରିବେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ସମୟ ଦିଆଯାଇ ପରୀକ୍ଷା କରାଯିବା ପାଇଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ସେହିପରି ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ୩ ମଇ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଦଶମ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ମହାମାରୀ ସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯିବ। ୨୦୨୦-୨୧ ଶିକ୍ଷାବର୍ଷରେ ନବମ ଓ ଏକାଦଶ ଶ୍ରେଣୀରେ ପାଠ ପଢୁଥିବା ସବୁ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଦଶମ ଏବଂ ଦ୍ବାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ। ଏଥିପାଇଁ ସେମାନଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ ।
ବର୍ତ୍ତମାନ ୨୦୨୦-୨୧ ଶିକ୍ଷାବର୍ଷର ଦଶମ ଓ ଦ୍ବାଦଶ ଶ୍ରେଣୀର ସମସ୍ତ କ୍ଲାସ ଆସନ୍ତା ତା.୧୯.୪.୨୧ରିଖ ଠାରୁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ସ୍କୁଲରେ କୌଣସି ପ୍ରକାର ଶୈକ୍ଷିକ କାର୍ୟ୍ୟକ୍ରମ କରାଯାଇ ପାରିବ ନାହିଁ । ଏହି ନିଷ୍ପତ୍ତି ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସହ ସହବନ୍ଧିତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ଘରୋଇ ବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ ।
Comments are closed, but trackbacks and pingbacks are open.