ମାଡ଼ି ଆସୁଛି ଭୟାନକ ଅମ୍ଫାନ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସକାଳେ ଆଶ୍ୱସ୍ତି ଦେଲା । ସନ୍ଧ୍ୟାରେ ପୁଣି ଡରାଇଲା । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅମ୍ପନ୍ ବାତ୍ୟାର ସମ୍ଭାବ୍ୟ ଗତିପଥ ନେଇ ଯେଉଁ ଚିତ୍ର ଦେଖାଇଛି, ସେଥିରୁ ଓଡ଼ିଶା ବର୍ତ୍ତିଲା ଭଳି ଲାଗୁନି । ଯଦିଓ ସିଧାସଳଖ ବାତ୍ୟା ଓଡ଼ିଶାରେ ମାଡ଼ ହେବନି । ହେଲେ ଉତ୍ତର ଉପକୂଳ ଓଡ଼ିଶାର ୫ଟି ଜିଲ୍ଲାରେ ସାଂଘାତିକ ପ୍ରଭାବ ପଡ଼ିବ । ବାତ୍ୟାର କରାଳ ପ୍ରକୋପରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ମୋଡ଼ି ମକଚି ହୋଇଯିବ । ଏଇ ୫ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ୧୩୫ କିଲୋମିଟର ବେଗରେ ପବନ ମାଡ଼ ହୋଇପାରେ ।
ବାତ୍ୟା ପ୍ରଭାବରେ ଏହି ୫ଟି ଯାକ ଜିଲ୍ଲାରେ ଚାଳ ଛପର, କୁଡ଼ିଆ, ଝୁମ୍ପୁଡ଼ି କଚ୍ଚା ଘର ମାଟିରେ ମିଶିଯିବା ଆଶଙ୍କା ରହିଛି । କେତେକ ସ୍ଥାନରେ ପକ୍କା ଘର ବି କ୍ଷତିଗ୍ରସ୍ତ ହେବ । ବିଜୁଳି ଓ ଟେଲିଫୋନ ଖୁଣ୍ଟ ଶୋଇ ପଡ଼ିବ । ଉଭୟ କଚ୍ଚା ଓ ପକ୍କା ରାସ୍ତା କ୍ଷତିଗ୍ରସ୍ତ ହେବ । ମୋବାଇଲ୍ ସିଗନାଲ, ରେଳ ସେବା, ବିଜୁଳି ସେବା କ୍ଷତିଗ୍ରସ୍ତ ହେବ । ପବନ ମାଡ଼ରେ ବିଲରେ ଥିବା ଫସଲ ନଷ୍ଟ ହେବା ସହ ବହୁ ଗଛ ମଧ୍ୟ ନଷ୍ଟ ହେବ । ଆମ୍ବ ଓ ନଡ଼ିଆ ଗଛ ଉପୁଡ଼ି ପଡ଼ିବ । ଛୋଟ ବୋଟ୍, ଡଙ୍ଗା ପବନ ମାଡ଼ରେ ଛିନ୍ଛତ୍ର ହୋଇଯିବା ଆଶଙ୍କା କରାଯାଉଛି ।
ରବିବାର ସକାଳେ ପାଣିପାଗ ବିଭାଗ ବାତ୍ୟାର ଗତିପଥ ନେଇ ଯେଉଁ ପୂର୍ବାନୁମାନ କରିଥିଲା, ସେଥିରେ ଓଡ଼ିଶା ପାଇଁ ସାମାନ୍ୟ ଆଶ୍ୱସ୍ତି ଥିଲା । ବାତ୍ୟା ଓଡ଼ିଶା ଉପକୂଳଠାରୁ ଦୂରରେ ଯାଇ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶରେ ମାଡ଼ ହେବ ବୋଲି ପ୍ରଥମେ ପୂର୍ବାନୁମାନ କରାଯାଇଥିଲା । ଏହା ପ୍ରଭାବରେ ଓଡ଼ିଶାରେ ଅତି ବେଶିରେ ୯୫ କିମି ପର୍ଯ୍ୟନ୍ତ ପବନ ଆଶଙ୍କା ଥିଲା । ହେଲେ ସନ୍ଧ୍ୟାରେ ଆଇଏମ୍ଡି ଜାରି କରିଥିବା ବୁଲେଟିନ୍ ରାଜ୍ୟର ଚିନ୍ତା ବଢ଼ାଇ ଦେଇଛି ।
ଆଇଏମ୍ଡି କହିଛି, ୨୦ ତାରିଖ (ବୁଧବାର) ସକାଳୁ ଉତ୍ତର ଉପକୂଳ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପବନ ବଢ଼ିବ । ପ୍ରଥମେ ୭୫ରୁ ୮୫ କିମି ଓ ପବନ ଧକ୍କା ୯୫ କିମି ଛୁଇଁପାରେ । ପରେ ବେଗ ଆହୁରି ବଢ଼ିବ । ୧୧୦-୧୨୦ କିମି ବେଗରେ ପବନ ବହିବ । ମଝିରେ ମଝିରେ ପବନ ଧକ୍କା ୧୩୫ କିମି ଛୁଇଁପାରେ ।
ସେହିପରି ବୁଧବାର ଦିନ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲାରେ ୫୫-୬୫ କିମି ବେଗରେ ପବନ ବହିବ । ପବନ ଧକ୍କା ମଝିରେ ମଝିରେ ୭୫ କିମି ଯାଏଁ ପହଞ୍ଚିପାରେ ।
ବାତ୍ୟା ଅମ୍ପନ୍ ଆଜି ସନ୍ଧ୍ୟା ସାଢେ଼ ୫ଟାବେଳେ ସୁଦ୍ଧା ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନ୍) ଅବସ୍ଥାରେ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ପାଶ୍ୱର୍ରେ ଥିଲା । ଘଣ୍ଟାକୁ ୯ କିମି ବେଗରେ ଆଗକୁ ବଢ଼ୁଥିଲା । ସୋମବାର ବିଳମ୍ବିତ ଅପରାହ୍ନ ସୁଦ୍ଧା ଅତି ଭୟାନକ ବାତ୍ୟା (ଏକ୍ସଟ୍ରିଏମ୍ଲି ସିଭିୟର ସାଇକ୍ଲୋନ୍) ରୂପ ନେବ । ପରବର୍ତ୍ତୀ ୧୨ ଘଣ୍ଟା ଉତ୍ତର ଦିଗରେ ଗତି କରିବ । ପୁଣି ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବକୁ ମୁହାଁଇବ । ୨୦ ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ (ଭେରି ସିଭିୟର) ବାତ୍ୟା ରୂପରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗକୁ ପଶିବ ।
ଅକ୍ଷାଂଶ ଓ ଦ୍ରାଘିମାକୁ ନେଇ ଆଇଏମ୍ଡି କରିଥିବା ପୂର୍ବାନୁମାନରୁ ଅନୁମାନ କରାଯାଉଛି, ୨୦ ତାରିଖ ସକାଳ ସାଢେ଼ ୫ଟାବେଳେ ଏହା ପୁରୀଠାରୁ ୧୩୦ କିମି ଦୂରରେ ସମୁଦ୍ର ଭିତରେ ଥିବ । ଏହା ପାରାଦୀପ, ଭଦ୍ରକ, ବାଲେଶ୍ୱର ପାଖ ଦେଇ ଆଗକୁ ବଢ଼ିବ । ଦିନ ତମାମ ଓଡ଼ିଶା ଉପକୂଳ ପାଖ ଦେଇ ବାତ୍ୟା ଯାଉଥିବାରୁ ପ୍ରଭାବ ଅଧିକ ପଡ଼ିବ ।
ସୋମବାର (୧୮ ତାରିଖ) ସନ୍ଧ୍ୟାରୁ ବାତ୍ୟାର ପ୍ରକୋପ ଓଡ଼ିଶାରେ ଅନୁଭୂତ ହେବ । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଦକ୍ଷିଣ ଉପକୂଳ ଓଡ଼ିଶାରେ ୪୫-୫୫ କିମି ବେଗରେ ପବନ ବହିବ । ପବନ ଧକ୍କା ୬୫ କିମି ହୋଇପାରେ ।
ମଙ୍ଗଳବାର (୧୯ ତାରିଖ) ଉତ୍ତର ଉପକୂଳ ଓଡ଼ିଶାର ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜର ଅଧିକାଂଶ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ୧୯ ତାରିଖ ସକାଳୁ ଏସବୁ ଜାଗାରେ ପବନ କ୍ରମଶଃ ବଢ଼ି ଚାଲିବ ।
୨୦ ତାରିଖ (ବୁଧବାର) ଉତ୍ତର ଉପକୂଳ ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ପବନ ମଧ୍ୟ ଅସମ୍ଭାଳ ହେବ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିର୍ଭସିଟି ସିଇସି ନିଦେ୍ର୍ଧଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ବାତ୍ୟା ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଆକଳନ କରିଛନ୍ତି । କିଛି ମଡେଲ୍ ଦର୍ଶାଉଛି, ଅମ୍ପନ୍ ବୁଧବାର ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ପ୍ରବେଶ କରିବ । ଆଉ କିଛି ମଡେଲ୍ର ପୂର୍ବାନୁମାନ ହେଲା, ବାତ୍ୟା ପ୍ରଥମେ ଉତ୍ତର-ପଶ୍ଚିମ ଓ ପରେ ଉତ୍ତର-ଉତ୍ତର ପୂର୍ବରେ ଓଡ଼ିଶା ଉପକୂଳ ଆଡ଼କୁ ଆସିବ । ବୁଧବାର ଅପରାହ୍ନରେ ଏହା କେନ୍ଦ୍ରାପଡ଼ାରୁ ଭଦ୍ରକ ଉପକୂଳ ମଝିରେ ମାଡ଼ ହେବ । ସୋମବାର ଏ ନେଇ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରେ ।
ଡ. ସାହୁ କହିଛନ୍ତି, ବାତ୍ୟା ପ୍ରଭାବରେ ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, ଜଗତସିଂହପୁରରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ମଙ୍ଗଳବାର ଓ ବୁଧବାର ପୁରୀ, ଜଗତସିଂହପୁର, ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝରର ଅନେକ ସ୍ଥାନରେ ପ୍ରବଳ ଓ ଅଳ୍ପ ଜାଗାରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ଅନୁଗୁଳରେ ବି ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୯ ତାରିଖ ସନ୍ଧ୍ୟାରେ ବିଶାଖାପାଟଣା ଉପକୂଳରୁ ଆଗକୁ ବଢ଼ିବା ପରେ ବାତ୍ୟାର ଗତି କ୍ରମଶଃ ବଢ଼ିବ । ଘଣ୍ଟା ପ୍ରତି ୨୨ କିମି ବେଗରେ ଆଗକୁ ବଢ଼ିବ । ବୁଧବାର ସକାଳ ସାଢେ଼ ୫ଟାବେଳେ ବାତ୍ୟା ପାରାଦୀପ ଉପକୂଳରୁ ପ୍ରାୟ ୧୩୦ କିମି ଦୂରରେ ଥିବ । ଚାନ୍ଦବାଲିରୁ ଏହା ୧୦୦ କିମି ଦୂରରେ ରହିବା ସମ୍ଭାବନା ଅଛି । ଦିନ ତମାମ ଓଡ଼ିଶା ଉପକୂଳ ପାଖରେ ରହିବା ପରେ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ୧୯ ମଧ୍ୟାହ୍ନରୁ ୨୦ ତାରିଖ ଦିନ ତମାମ ବର୍ଷା ହେବ ଉପକୂଳ ଅଞ୍ଚଳରେ । କେତେକ ଜାଗାରେ ଭାରି ବର୍ଷା ହେବ । ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଚାନ୍ଦବାଲିରେ ବେଶି ବର୍ଷା ହେବ । ବାତ୍ୟା ପ୍ରଭାବରେ ପାରାଦୀପରେ ସର୍ବାଧିକ ୮୦-୯୦ କିମି ଓ ଚାନ୍ଦବାଲିରେ ୭୦ରୁ ୮୦ କିମି ବେଗରେ ପବନ ବହିପାରେ ବୋଲି ଡକ୍ଟର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
୧୮ରୁ ୨୦ ତାରିଖ ଯାଏଁ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ବାତ୍ୟା ପ୍ରଭାବ ଯୋଗୁ ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜକୁ ସତର୍କ କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ବାତ୍ୟା ନେଇ ୧୨ଟି ଜିଲ୍ଲାର ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି କରାଯାଇଛି । ବାତ୍ୟାରେ ବିଜୁଳି ସେବା ପ୍ରଭାବିତ ହେବା ଆଶଙ୍କା ଥିବାରୁ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ବିକଳ୍ପ ବ୍ୟବସ୍ଥା କରି ପାନୀୟ ଜଳ ଯୋଗାଣ ସେବା ଜାରି ରଖିବାକୁ କୁହାଯାଇଛି । କୌଣସି ଗୁଜବରେ ବିଶ୍ୱାସ ନ କରିବାକୁ ଏସଆରସି ନିବେଦନ କରିଛନ୍ତି ।
ଏନଡିଆରଏଫ୍ ମହାନିଦେ୍ର୍ଧଶକ ସତ୍ୟନାରାୟଣ ପ୍ରଧାନ କହିଛନ୍ତି, ଏନଡିଆରଏଫ୍ର ୧୭ଟି ଦଳ ପ୍ରସ୍ତୁତ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । ୧୦ଟି ଏନଡିଆରଏଫ୍ ଟିମକୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ସେହିପରି ୨୦ଟି ଓଡ୍ରାଫ୍ ଟିମ୍, ବିପର୍ଯ୍ୟୟ ପରିଚାଳନାର ୩୩୫ଟି ୟୁନିଟ୍ ପ୍ରସ୍ତୁତ ରହିଛନ୍ତି । ୧୦ ଜିଲ୍ଲାକୁ ୧୫ଟି ଓଡ୍ରାଫ୍ ଟିମ୍ ପଠାଯାଇଛି । ୬ଟି ଉପକୂଳ ଜିଲ୍ଲାରେ ଡିଜିଟାଲ ମୋବାଇଲ୍ ରେଡିଓ ପ୍ରସ୍ତୁତ ରଖାଯାଇଛି । ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ, ଖୋର୍ଦ୍ଧା, ଯାଜପୁର ଓ କଟକରେ ଭି-ସ୍ୟାଟ୍ ଯୋଗାଯୋଗ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons