ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ପିକଅପ ଭ୍ୟାନ୍ ଓ ସ୍କୁଟି ମଧ୍ୟରେ ଧକ୍କା ଘଟଣାକୁ କେନ୍ଦ୍ରକରି ୩ ଦିନ ହେଲା ଉତ୍ତେଜନା ଲାଗି ରହିଛି । ଆନ୍ଦୋଳନକାରୀ ଗ୍ରାମବାସୀ ପୋଲିସ ଅଧିକାରୀଙ୍କ ଗାଡିକୁ ଅଟକାଇଛନ୍ତି । ଦାରିଙ୍ଗବାଡି ବଜାର ବନ୍ଦ କରିବା ସହ ଧାରଣା ଦେଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ସୂଚନା ଅନୁସାରେ ଗତ ୨୨ ତାରିଖରେ ବରଜୁବାଡି ଗାଁର ପ୍ରଶାନ୍ତ ପ୍ରଧାନ ପିକଅପ ଭ୍ୟାନ୍ ଚଳାଇ ଆସୁଥିବା ବେଳେ ଦାରିଙ୍ଗବାଡି ଥାନାରେ ହୋମଗାର୍ଡ ରତ୍ନାକର ନାୟକଙ୍କ ସ୍କୁଟି ସହ ଧକ୍କା ହୋଇଯାଇଥିଲା । ଫଳରେ ହୋମଗାର୍ଡ ଜଣଙ୍କ ରାଗି ଯାଇ ପ୍ରଶାନ୍ତଙ୍କୁ ନିସ୍ତୁକ ପିଟିଥିଲେ । ପ୍ରଶାନ୍ତଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ପରେ ସ୍ଥାନୀୟ ଗାଁ ଲୋକ ଏକଜୁଟ ହୋଇ ଗତ ୨୫ ତାରିଖରୁ ଦାରିଙ୍ଗବାଡିଠାରେ ରାଜରାସ୍ତା ଅବରୋଧ କରିଛନ୍ତି । ସଂପୃକ୍ତ ହୋମଗାର୍ଡଙ୍କୁ ଗିରଫ କରିବା ଦାବି ନେଇ ଆନ୍ଦୋଳନ ଜାରି ରହିଛି ।
ତେବେ ପୋଲିସ ହୋମଗାର୍ଡଙ୍କୁ ଗିରଫ କରିଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କ ସମ୍ମୁଖରେ ଗିରଫ ଅବସ୍ଥାରେ ତାଙ୍କୁ ଅଣାଯାଉ ବୋଲି ଉତ୍ତ୍ୟକ୍ତ ଲୋକେ ଅଡି ବସିଛନ୍ତି । ରବିବାର ଏହି ଆନ୍ଦୋଳନ ଆହୁରି ତୀବ୍ର ହୋଇଛି । ଆନ୍ଦୋଳନକାରୀ ଗ୍ରାମବାସୀ ପୋଲିସ ଅଧିକାରୀଙ୍କ ଗାଡ଼ିକୁ ଅଟକାଇଛନ୍ତି । ଦାରିଙ୍ଗବାଡି ବଜାର ବନ୍ଦ କରିବା ସହ ଧାରଣା ଦେଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ସେହି ରାସ୍ତା ଦେଇ ଗାଡି ଚଳାଚଳ ବ୍ୟାହତ ହୋଇଛି । ବାଲିଗୁଡା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।


Comments are closed, but trackbacks and pingbacks are open.