ମାଲକାନଗିରି,(ବି.ବି.ନୁ୍ୟଜ୍): ମାନବିକତା ଦେଖାଇଲେ ଗ୍ରାମବାସୀ । ଗର୍ଭବତୀଙ୍କୁ ଭରା ନଦୀ ପାର କରାଇବାକୁ କଲେ ମାନବଶୃଙ୍ଖଳ । ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଲଙ୍କାପାଲ୍ଲୀ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଲୋକେ ହାତକୁ ହାତ ଛନ୍ଦି ଦଉଡି ସାହାଯ୍ୟରେ ମହିଳାଙ୍କୁ ନଦୀ ପାର କରାଇ ମେଡିକାଲ ନେଇଛନ୍ତି ।
ସୂଚନା ଅନୁସାରେ, ଏହି ମହିଳା ହେଲେ ଉକ୍ତ ଗାଁର କରୁଣା ବାଚମ । ଗତ ୩ ଦିନ ହେଲା ସେ ଗର୍ଭ ଯନ୍ତ୍ରଣା ଭୋଗୁଥିଲେ । ଗାଁ ପାଖରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ ନେବାକୁ ସାହସ ଜୁଟାଇ ପାରୁ ନଥିଲେ । କୌଣସି ପ୍ରକାର ଅଘଟଣ ଆଶଙ୍କା କରି ମହିଳାଙ୍କୁ ଘରେ ରଖିଥିଲେ । ମହିଳାଙ୍କ ଯନ୍ତ୍ରଣା ଅସହ୍ୟ ହେବାରୁ ଗାଁ ଲୋକେ ବୁଦ୍ଧି ପାଞ୍ଚି ମହିଳାଙ୍କୁ ନଦୀ ପାର୍ କରାଇବାକୁ ସ୍ଥିର କରିଥିଲେ । କୌଣସି ପ୍ରକାରେ ନଦୀର ଦୁଇ ପାଶ୍ୱର୍ରେ ଥିବା ଗଛରେ ଦଉଡି ବାନ୍ଧିଥିଲେ । ଦଉଡି ସାହାଯ୍ୟରେ ଜଣଜଣ କରି ଗ୍ରାମବାସୀ ନଦୀର ଏ ପାଖରୁ ସେପାଖ ପର୍ଯ୍ୟନ୍ତ ଠିଆ ହୋଇଥିଲେ । ହାତକୁ ହାତ ଛନ୍ଦି ମାନବଶୃଙ୍ଖଳ କରିଥିଲେ । ପରେ ମହିଳାଙ୍କୁ ହାତରେ ଲଦି ନଦୀ ଆର ପାଖ ରାସ୍ତାକୁ ନେଇଥିଲେ ।
ଉକ୍ତ ରାସ୍ତାକୁ ଆମ୍ବୁଲାନ୍ସ ଆସିବା ସମ୍ଭବ ନଥିବାରୁ ଏକ ଟ୍ରାକ୍ଟର ଯୋଗେ ମହିଳାଙ୍କୁ ୯ କିଲୋମିଟର ଦୂର ଚେଲମେରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ବିଜାପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବିଜାପୁର ମେଡିକାଲରେ ମହିଳାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ସେତେବେଳକୁ ମହିଳାଙ୍କ ଗର୍ଭରେ ଥିବା ଶିଶୁଟିର ମୃତୁ୍ୟ ହୋଇଯାଇଥିଲା । ମହିଳାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଥିଲା । ଡାକ୍ତର ଅପରେସନ କରି ମୃତ ଶିଶୁଟିକୁ ବାହାର କରିଥିଲେ । ଶିଶୁଟି ମରି ଯାଇଥିବାରୁ ଏତେ କଷ୍ଟକରି ମହିଳାଙ୍କୁ ମେଡିକାଲ ନେଇଥିବା ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡିଥିଲେ । ସମସ୍ତେ କାନ୍ଦି ପକାଇଥିଲେ । ସୂଚନାଯୋଗ୍ୟ, କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁ ମାଲକାନଗିରି ସହ ଛତିଶଗଡ଼ ରାଜ୍ୟର ବିଭିନ୍ନ ନଦୀ ନାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।
Comments are closed, but trackbacks and pingbacks are open.