ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ହଟାଇବା ପରେ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରହିଛି । ଏହି ପ୍ରସଙ୍ଗରେ ଆନ୍ତର୍ଜାତିକ ସ୍ତରରୁ ସମର୍ଥନ ହାସଲ କରିବାରେ ବିଫଳ ହୋଇ ପାକିସ୍ତାନ ଏବେ ଛାୟାଯୁଦ୍ଧ ଆରମ୍ଭ କରିଛି । କେତେବେଳେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିମାଡ଼ କରୁଛି ତ ଅନ୍ୟ କେତେବେଳେ ଆତଙ୍କବାଦୀଙ୍କୁ ପଠାଇ ହିଂସାକାଣ୍ଡ ଘଟାଇବାକୁ ଚେଷ୍ଟା କରୁଛି । ଏବେ ଖବର ମିଳିଛି ଯେ ନିୟନ୍ତ୍ରଣ ରେଖା (ଏଲ୍ଓସି)କୁ ପାକିସ୍ତାନୀ ସେନା ମାନବ ବୋମା ପଠାଉବାକୁ ପ୍ରୟାସ କରୁଛି । ଏଲ୍ଓସିରେ ଥିବା ଭାରତୀୟ ସେନା ଘାଟିକୁ ଟାର୍ଗେଟ କରି ଧ୍ୱଂସ କରିବା ସହିତ ସେଠାରେ ନିୟୋଜିତ ସୈନିକଙ୍କୁ କ୍ଷତି ପହଞ୍ଚାଇବା ଏହାର ଲକ୍ଷ୍ୟ ।
ଭାରତୀୟ ଗୁଇନ୍ଦା ସଂସ୍ଥା ନିକଟରେ ଏଭଳି ସୂଚନା ଦେଇଛି । ଗୁଇନ୍ଦା ବିଭାଗ କହିଛି ଯେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡରେ ଏବେ ବହୁ ସଂଖ୍ୟକ ଲସ୍କର-ଇ-ତୋଇବା ଏବ ଜୈସ୍-ଇ-ମହମ୍ମଦ ଆତଙ୍କୀମାନେ ଠୁଳ ହୋଇଛନ୍ତି । ସେମାନେ ସୁଯୋଗ ପାଇବା ମାତ୍ରେ ସୀମା ଡେଉଁ ଭାରତୀୟ ସେନାପୋଷ୍ଟ ଉପରେ ଆକ୍ରମଣ କରିବେ । ଏବେ ପାଖାପାଖି ୨୦୦ରୁ ଅଧିକ ଆତଙ୍କୀ ସେଠାରେ ରହିଛନ୍ତି । ସେମାନଙ୍କୁ ଭାରତୀୟ ସୀମାରେ ପ୍ରବେଶ କରାଇବା ଲାଗି ପାକିସ୍ତାନୀ ସେନା ପ୍ରାଣପଣେ ଲାଗିଛି । ସେମାନଙ୍କ ଟାର୍ଗେଟରେ ଅଛନ୍ତି ଭାରତୀୟ ସେନା । ସେହି ଆତଙ୍କୀମାନଙ୍କୁ ପାକିସ୍ତାନୀ ସେନାର ଏଲିଟ କମାଣ୍ଡୋମାନେ ଗରିଲା ଯୁଦ୍ଧର ତାଲିମ୍ ମଧ୍ୟ ଦେଇଛନ୍ତି । ରାଜୌରୀ ଜିଲ୍ଲାର ନୌସେରା ସେକ୍ଟର ଅନ୍ତର୍ଗତ ଲାମ ଭ୍ୟାଲିରେ ଗତ ଶୁକ୍ରବାର ଏଭଳି ଘଟଣା ଦେଖିବାକୁ ମିଳିଛି । ସେହି ଅଞ୍ଚଳ ଦେଇ କିଛି ବୋମାଧାରୀ ସାଧାରଣ ଲୋକଙ୍କୁ ପାକିସ୍ତାନ ସେନା ପଠାଇବାକୁ ପ୍ରୟାସ କରିଥିଲା । ମାତ୍ର ଭାରତୀୟ ଯବାନଙ୍କ ଗୁଳିଚାଳନା ଯୋଗୁ ସେମାନେ ଭୟଭୀତ ହୋଇ ପଳାଇଥିଲେ ।
ପାକିସ୍ତାନ ସେନା ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ କରିବା ଦ୍ୱାରା ଭାରତର ଯେତିକି କ୍ଷତି ନ ହେଉଛି ଭାରତୀୟ ସେନାର ପ୍ରତି ଆକ୍ରମଣରେ ତାର ଅଧିକ କ୍ଷତି ଘଟୁଛି । ତେଣୁ ଭାରତୀୟ ସେନାକୁ ଟାର୍ଗେଟ କରିବା ଉଦେ୍ଧଶ୍ୟରେ ପାକିସ୍ତାନୀ ସେନା ଏଭଳି ନୂଆ ଚାଲ୍ ଚଳାଇଛି । ଆତଙ୍କୀମାନଙ୍କୁ ବୋମା ସହିତ ସାଧାରଣ ଲୋକଙ୍କ ଭଳି ପୋଷାକ ପିନ୍ଧାଇ ପାକ ସେନା ନିୟନ୍ତ୍ରଣ ରେଖାକୁ ଛାଡିବାକୁ ଉଦ୍ୟମ କରୁଛି । ଯାହାଫଳରେ ସେମାନଙ୍କୁ ଭାରତୀୟ ସେନା ସାଧାରଣ ଲୋକ ବୋଲି ବିଶ୍ୱାସ କରିବେ । ଆଉ ଏହି ସୁଯୋଗରେ ଆତଙ୍କୀମାନେ ଭାରତୀୟ ସେନାଘାଟିକୁ କିମ୍ବା ଯବାନଙ୍କୁ ସହଜରେ ଟାର୍ଗେଟ କରିପାରିବେ । କିନ୍ତୁ ସେନା କିମ୍ବା ପ୍ରତିରକ୍ଷା ବିଭାଗ ପକ୍ଷରୁ ଏଭଳି ଖବର ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଇତିମଧ୍ୟରେ ଆଜି ପୁଣି ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ରାଜୌରୀ ଜିିଲ୍ଲା ସୀମାନ୍ତରେ ଥିବା କେତେକ ସେନାଘାଟି ଓ ଗ୍ରାମ ଉପରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଛି । ସକାଳ ୧୦ଟା ବେଳେ ସୁନ୍ଦରବନୀ ଓ ନୌସେରା ସେକ୍ଟରକୁ ପାକିସ୍ତାନୀ ସେନା ଟାର୍ଗେଟ କରି ଗୁଳି ଓ ମୋର୍ଟାର ମାଡ଼ କରିଥିଲେ । ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ମିଳିନାହିଁ । ଅନ୍ୟପକ୍ଷରେ ଭାରତୀୟ ସେନା ମଧ୍ୟ ତାହାର ମୁହଁତୋଡ ଜବାବ ଦେଇଛନ୍ତି । ଗତକାଲି ପାକିସ୍ତାନୀ ସେନା ମଧ୍ୟ ପୁଞ୍ଚ ଜିଲ୍ଲାରେ ଦୁଇଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ସକାଳ ୭ଟା ୪୫ରେ କ୍ରିଷ୍ଣାଘାଟି ଅଞ୍ଚଳରେ ଗୁଳିମାଡ଼ କରିଥିଲା ବେଳେ ଅପରାହ୍ନ ୫ଟା ୩୦ରେ ଶାହାପୁର ଅଞ୍ଚଳରେ ଗୁଳି ଓ ମୋର୍ଟାର ମାଡ଼ କରିଥିଲା ।
Comments are closed, but trackbacks and pingbacks are open.