ଅହମ୍ମଦାବାଦ: ଅହମ୍ମଦାବାଦ ଜିଲ୍ଲା ସମବାୟ ବ୍ୟାଙ୍କ ଓ ଏହାର ଅଧ୍ୟକ୍ଷ ଅଜୟ ପଟେଲଙ୍କ ପକ୍ଷରୁ ଦାୟର କରାଯାଇଥିବା ଫୌଜଦାରୀ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ଅହମ୍ମଦାବାଦ ମେଟ୍ରୋପଲିଟାନ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଶୁଣାଣି ବେଳେ ରାହୁଲ କୋର୍ଟରେ ହାଜର ହୋଇଥିଲେ । କିନ୍ତୁ ଦୋଷ ସ୍ୱୀକାର କରିନଥିଲେ । ବିଚାରପତି ତାଙ୍କୁ ପଚାରିଥିଲେ ଅଭିଯୋଗକୁ ସେ ସ୍ୱୀକାର କରୁଛନ୍ତି କି? ଏହାର ଉତ୍ତରରେ ରାହୁଲ କହିଥିଲେ ସେ ଜଣେ ଅପରାଧୀ ନୁହନ୍ତି । ଏହା ପରେ ବିଚାରପତି ୧୫ ହଜାର ଟଙ୍କାର ବେଲ୍ବଣ୍ଡରେ ରାହୁଲଙ୍କୁ ଜାମିନ ଦେଇଥିଲେ । ଗତବର୍ଷ ରାହୁଲ ଓ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଅଭିଯୋଗ କରିଥିଲେ ଯେ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣାର ମାତ୍ର ୫ ଦିନ ଭିତରେ ଏହି ବ୍ୟାଙ୍କରେ ୭୪୫.୫୯ କୋଟିର ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଯାଇ ନୂଆ ସଚଳ ନୋଟ ନିଆଯାଇଥିଲା । ଏଥିରେ ବଡଧରଣର ସ୍କାମ ହୋଇଥିବାର ଜଣାପଡିଛି । ସୂଚନାଯୋଗ୍ୟ ଯେ ବିଜେପି ରାଷ୍ଟ୍ରୀୟ ଅ୍ମକ୍ଷ ଅମିତ ଶାହ ଥିଲେ ଏହି ବ୍ୟାଙ୍କର ନିର୍ଦ୍ଦେଶକଙ୍କ ମଧ୍ୟରୁ ଅନ୍ୟତମ । ରାହୁଲଙ୍କ ଏଭଳି ଅଭିଯୋଗକୁ ବ୍ୟାଙ୍କ ଓ ଏହାର ଅଧ୍ୟକ୍ଷ ଖଣ୍ଡନ କରିଥିଲେ । ଏଥିସହ ସେମାନଙ୍କ ବିରୋଧରେ ବ୍ୟାଙ୍କ କର୍ତ୍ତୃପକ୍ଷ କୋର୍ଟରେ ମାନହାନି ମାମଲା ଦାୟର କରିଥିଲେ । କୋର୍ଟ ଉଭୟଙ୍କ ବିରୋଧରେ ଆପାତତଃ ପ୍ରମାଣ ପାଇବା ପରେ ସେମାନଙ୍କୁ ଏପ୍ରିଲ ୯ ତାରିଖରେ ସମନ୍ ଜାରି କରିଥିଲେ ।
Comments are closed, but trackbacks and pingbacks are open.