
ମାଲକାନଗିରି,(ବି.ବି.ନୁ୍ୟଜ): ମାଲକାନଗିରି ଜିଲ୍ଲାର ଗଣପର୍ବ ହେଉଛି ବଡ଼ଯାତ୍ରା । ଠାକୁରଙ୍କ ଆବାହନ ପାଇଁ ପୂଜକ ଦଳ ମାନ୍ୟମକୋଣ୍ଡା ମା’ ମୁତ୍ୟାଲୁମ୍ମାଙ୍କ ପୀଠକୁ ଯାତ୍ରା କରିଛନ୍ତି । ମଙ୍ଗଳବାର ରାତିରେ ସ୍ଥାନୀୟ ମା’ ମାଉଲିଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପୂଜା ସଂପନ୍ନ ହେବା ପରେ ମା’ଙ୍କ ଆଜ୍ଞାମାଳ ନେଇ ମୁଖ୍ୟ ପୂଜକ ତ୍ରିନାଥ ରାଜୁଙ୍କ ନେତୃତ୍ୱରେ ପୂଜକ ଦଳ ଖାଲି ପାଦରେ ଯାତ୍ରା ଆରମ୍ଭ କରିଥିଲେ । ଏହି ପୂଜକ ଦଳ ଆଜି ଦରିଗୁଡା, ପାନରଗୁଡା କୁର୍ଷୁୱାଡା ଗାଁ ରାସ୍ତା ଦେଇ ଗୋରାଖୁଣ୍ଟା ପଞ୍ଚାୟତ କଚେଲୱାଡାରେ ପହଞ୍ଚି ରାତି୍ରଯାପନ କରିବାର କାର୍ଯ୍ୟକ୍ରମ ରହିଛି ।
ଜିଲ୍ଲାର ଗଣପର୍ବ ପାଳନ ପାଇଁ ପ୍ରଥମ ପର୍ଯ୍ୟାୟ ପୂଜାବିଧି ଆରମ୍ଭ ହୋଇଛି । ପ୍ରତି ୨ ବର୍ଷକୁ ଥରେ ଏହି ବଡଯାତ୍ରା ପାଳନ କରାଯାଉଥିବାରୁ ପୂଜକ ଓ ଭକ୍ତଙ୍କ ମନରେ ଉତ୍ସାହ ଓ ଆଗ୍ରହ ପ୍ରକାଶ ପାଇଛି । ପୂଜକ ଦଳ ମାନ୍ୟମକୋଣ୍ଡା ପୀଠରେ ପହଞ୍ଚିବା ପରେ ପରମ୍ପରା ଅନୁଯାଇ ବାଉଁଶକରଡ଼ି ମୟୂରପୁଚ୍ଛରେ ତିନିଠାକୁରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ । ଆସନ୍ତା ୨୨ ତାରିଖରେ ମାନ୍ୟମକୋଣ୍ଡା ପର୍ବତର ଗୁମ୍ଫାରେ ଲୁଚାଇ ରଖା ଯାଇଥିବା ଦୁଇ ବର୍ଷ ତଳର ପୁରାତନ ବିଗ୍ରହକୁ ଶୋଭାଯାତ୍ରାରେ ଓଡିଶାର ପୋଲେରୁ ପୀଠକୁ ଅଣାଯିବ । ଆନ୍ଧ୍ରର ପୋଲେରୁ ତାଡକାରେଉରେ ବିସର୍ଜନ କରାଯିବ । ନୂତନ ଭାବେ ନିର୍ମାଣ ହୋଇଥିବା ତିନିଠାକୁରଙ୍କୁ ସେହି ଦିନ ଆନ୍ଧ୍ର ପୋଲେରୁ ତାଡକାରେଉ କୁଣ୍ଡରେ ପୂଜା ସହ ଆବାହନ କରାଯିବ । ସିଲେରୁ ନଦୀରେ ନୈକାବିହାର କରାଯିବା ପରେ ମାନ୍ୟମକୋଣ୍ଡା ମା’ ମୁତ୍ୟଲୁମ୍ମା ପୀଠକୁ ଶୋଭାଯାତ୍ରାରେ ଅଣାଯିବ । ପ୍ରଥମ ଅନ୍ନଭୋଗ ଲାଗି କରାଯାଇ ଠାକୁରଙ୍କୁ ସେଠାରେ ରାତ୍ରିଯାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ବଡ଼ଯାତ୍ରାରେ ଆନ୍ଧ୍ରପ୍ରଦେଶ, ତେଲାଙ୍ଗନା, ଓଡ଼ିଶା, ଛତିଶଗଡ ୪ଟି ରାଜ୍ୟର ହଜାର ହଜାର ଭକ୍ତଙ୍କ ସମାଗମ ହେବ । ମାନ୍ୟମକୋଣ୍ଡାରେ ଠାକୁର ପୂଜା ପାଇବା ପରେ ଜିଲ୍ଲା ସଦର ମହକୁମା ଅଭିମୁଖେ ଯାତ୍ରା ଆରମ୍ଭ ହେବ । ଆସନ୍ତା ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହୁକୁମାରେ ତିନିଠାକୁର କାନାମରାଜ, ପୋତରାଜ, ବାଲରାଜ ଓ ମା’ ମୁତ୍ୟଲୁମ୍ମା ପୂଜା ପାଇ ୩୧ ତାରିଖ ମଧ୍ୟରାତିରେ ପୁଣି ତାଙ୍କ ଜନ୍ମବେଦୀ ମାନ୍ୟମକୋଣ୍ଡାକୁ ପ୍ରତ୍ୟାବର୍ତ୍ତନ କରିବେ । ବଡ଼ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।


Comments are closed, but trackbacks and pingbacks are open.