ମାଲକାନଗିରି, (ବି.ବି.ନୁ୍ୟଜ୍): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ମାଲକାନଗିରି-କାଲିମେଳା-ମୋଟୁ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି । କାଲିମେଳା ବ୍ଲକ୍ର କାଙ୍ଗୁରକୋଣ୍ଡା, ଏମ୍ଭି-୯୦, ଏମ୍ଭି-୯୬ ଓ ଗୁଗୁଲୁର ନାଳ ଉପରେ ୩ରୁ ୪ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଏଥିଯୋଗୁ ଏସବୁ ରାସ୍ତାର ଉଭୟପଟରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି । ଜିଲ୍ଲାର ଶହ ଶହ ଏକର ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଛି । ଯେଉଁସବୁ ରାସ୍ତାରେ ପାଣି ପ୍ରବାହିତ ହେଉଛି, ସେଠାରେ ପୁଲିସ୍ ଏବଂ ଅଗ୍ନିଶମ କର୍ମଚାରୀମାନେ ମୁତୟନ ହୋଇଛନ୍ତି । ବନ୍ୟା ପରିସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାରରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗି ରହିଛି ଲଘୁଚାପଜନିତ ବର୍ଷା । କାଲିମେଳା ବ୍ଲକ୍ରେ ଦେଖିବାକୁ ମିଳିଛି ଏହାର ବିପôାତ । ପାହାଡ଼ରୁ ପାଣି ବୋହି ଆସି ବିଭିନ୍ନ ନଦୀ ନାଳରେ ମିଶିଛି । ଫଳରେ ଅଧିକାଂଶ ନଦୀନାଳ ଫୁଲିଉଠି ରାସ୍ତାରେ ପାଣି ପ୍ରବାହିତ ହେଉଛି । ବିଶେଷକରି ସୋମବାର ରାତିରୁ ଲଗାଣ ବର୍ଷା ଯୋଗୁ କାଲିମେଳା ବ୍ଲକ୍ର ଅଧିକାଂଶ ଚାଷଜମି ଜଳମଗ୍ନ ହୋଇଯାଇଛି । ବ୍ଲକ୍ ଅଧୀନରେ ଥିବା କାଙ୍ଗୁରକୋଣ୍ଡା ଏବଂ ଏମ୍ଭି-୯୦ ଗାଁ ନିକଟ ପୋଲ ଉପରେ ଆଜି ମଧ୍ୟାହ୍ନରୁ ୩ରୁ ୪ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଅନୁରୂପ ଭାବେ ଏମ୍ଭି-୯୬ ଗାଁ ନିକଟ ପୋଲ ଏବଂ ଏମ୍ଭି-୯୦ ଗାଁର ଫାର୍ମ କଲୋନିକୁ ସଂଯୋଗ କରୁଥିବା ଗୁଗୁଲୁର୍ ନାଳ ଉପରେ ବନ୍ୟା ପାଣି ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ୩୨୬ ନମ୍ବର ଜାତୀୟ ରାଜପଥରେ ଏସବୁ ପୋଲ ଥିବାରୁ ଗାଡି ଚଳାଚଳ ବନ୍ଦ ରହିଛି । ଏମିତିକି ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ଆମ୍ବୁଲାନ୍ସ ବ୍ରିଜ୍ ଉପରେ ଅଟକି ରହିଥିବା ଦେଖିବାକୁ ମିଳିଛି । ପାହାଡ ଉପରୁ ପ୍ରବଳ ବେଗରେ ମାଡି ଆସିଥିବା ବନ୍ୟା ଜଳରେ କାଙ୍ଗୁରକୋଣ୍ଡା ଛକର ଅଧିକାଂଶ ଘର ବୁଡି ରହିଛି । କେତେକ ଦୋକାନ ଭିତରେ ପାଣି ପଶିଯାଇଛି । ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି । ବର୍ଷା ଲାଗି ରହିଲେ ପରିସ୍ଥିତି ଜଟଳି ହେବାର ସମ୍ଭାବନା ରହିଛି ।
ମାଲକାନଗିରିରୁ ପଡିଆକୁ ଯୋଗାଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ଏଥିଯୋଗୁ ପଡିଆ ଅଞ୍ଚଳକୁ ଗାଡି ଚଳାଚଳ ବନ୍ଦ ରହିଛି । କାଲିମେଳା ବିଡିଓ ଉମାଶଙ୍କର ଦଳେଇ ଓ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କ ନିଦେ୍ର୍ଧଶରେ ବନ୍ୟାଞ୍ଚଳରେ ଉପସ୍ଥିତ ଅଛନ୍ତି ଅଗ୍ନିଶମ ଓ ପୁଲିସ୍ କର୍ମଚାରୀ । ଅଗ୍ନିଶମ କେନ୍ଦ୍ର ଅଧିକାରୀ ଗୁପ୍ତେଶ୍ୱର ଦାସ, କାଲିମେଳା ଥାନା ଅଧିକାରୀ ସୁରଜ କୁମାର ଝାଙ୍କର ଏବଂ ଏମ୍ଭି-୭୯ ଥାନାଧିକାରୀ ରୋହନ କୁଜୁର ପ୍ରମୁଖ ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି । ରାଜସ୍ୱ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବିଡିଓ ଶ୍ରୀ ଦଳେଇ କହିଛନ୍ତି, ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ପୁଲିସ୍ ଓ ଅଗ୍ନିଶମ କର୍ମଚାରୀମାନେ ବିଭିନ୍ନ ପୋଲ ନିକଟରେ ଉପସ୍ଥିତ ରହି ଲୋକଙ୍କୁ ରାସ୍ତା ପାରି ନହେବାକୁ ପରାମର୍ଶ ଦେଉଛନ୍ତି । ବନ୍ୟା ଯୋଗୁ କେତେ କ୍ଷୟକ୍ଷତି ହୋଇଛି, ତାହାର ଆକଳନ କରାଯାଇନାହିଁ । ବିଶେଷକରି ଚାଷ ଜମିଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
Comments are closed, but trackbacks and pingbacks are open.