ମାସକ ଭିତରେ ୪ ନୂଆ ଇକୋ ଟୁରିଜିମ ସ୍ଥଳୀ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ରାଜ୍ୟର ୧୫ ଜିଲ୍ଲାରେ ୪୦ଟି ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀ କରାଯାଇଛି । ଚଳିତବର୍ଷ ୩ଟି ନୂଆ ଇକୋ ଟୁରିଜିମ କେନ୍ଦ୍ର ନିର୍ମାଣଧୀନ ଅଛି । ସୁନ୍ଦରଗଡ଼ର ବଣାଇ ବନଖଣ୍ଡ ଅଧୀନ ଟେନ୍ସା, କୋରାପୁଟର ପାଇନ୍ ଜଙ୍ଗଲ ଓ ନୂଆପଡ଼ା ଖରିଆର ବନଖଣ୍ଡ ଅଧୀନ ପତୋରା ଡ୍ୟାମରେ ଏହି ଇକୋ ଟୁରିଜିମ ସ୍ଥଳୀ ନିର୍ମାଣ ଚାଲିଛି । ସେହିପରି ୪ଟି ନୂଆ ଇକୋ ଟୁରିଜିମ ସ୍ଥଳୀ (ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର, ମାଲକାନଗିରିର ଚିତ୍ରକୋଣ୍ଡା, ବରଗଡ଼ ଜିଲ୍ଲାର ନୃସିଂହନାଥ) ଆଗାମୀ ୧ ମାସ ଭିତରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ପ୍ରଶ୍ନକାଳରେ ବିଧାୟକ ଅଶ୍ୱିନୀ ପାତ୍ର ଏ ସମ୍ପର୍କରେ ମୂଳ ପ୍ରଶ୍ନ ଉଠାଇଥିଲେ । ଉତ୍ତରରେ ମନ୍ତ୍ରୀ କହିଥିଲେ, ଇକୋ ଟୁରିଜିମ ସ୍ଥଳୀଗୁଡ଼ିକର ପରିଚାଳନା ଦାୟିତ୍ୱ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀଙ୍କୁ ଦିଆଯାଇଛି । ଏହି ପର୍ଯ୍ୟଟନସ୍ଥଳୀର ଆୟରୁ ଗ୍ରାମବାସୀ ନିଜ ଜୀବନଜୀବିକା ନିର୍ବାହ କରୁଛନ୍ତି । ସେମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିଛି । ଏହାଦ୍ୱାରା ଜଙ୍ଗଲ ଉପରେ ନିର୍ଭରଶୀଳତା କମିଛି । ଜଙ୍ଗଲରୁ ଶିକାର ବହୁ ମାତ୍ରାରେ କମିଯାଇଛି । ପ୍ରାକୃତିକ ପରିବେଶର ସୁରକ୍ଷା ଓ ସମୃଦ୍ଧି ହୋଇଛି । ଇକୋ ଟୁରିଜିମ ସ୍ଥାନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜଙ୍ଗଲ ଟ୍ରେକିଂ, ଖୋଲା ଜିପ୍ରେ ଜଙ୍ଗଲ ସଫାରି ବ୍ୟବସ୍ଥା କରାଯାଇଛି । ଚନ୍ଦକା ଅଭୟାରଣ୍ୟ ଓ ସମ୍ବଲପୁର ଦେବ୍ରିଗଡ଼ ଅଭୟାରଣ୍ୟରେ ଏହା ଚାଲିଥିବାବେଳେ ଚଳିତବର୍ଷରୁ ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହେବା ଯୋଜନା ଅଛି । ଏହାବାଦ୍ ଇକୋ ଟୁରିଜିମ ସ୍ଥାନରେ ନୌକା ବିହାର, ବିଭିନ୍ନ ପ୍ରକାର ଖେଳ, ପକ୍ଷୀ ବିହାର, ଜଙ୍ଗଲ ପାଖ ଗାଁ ପାଶ୍ୱର୍ରେ ଫାର୍ମ ପରିଦର୍ଶନ, ସାଇକ୍ଲିଂ, ସାଂସ୍କୃତିକ କାର୍ଯ୍ୟକ୍ରମ ସୁବିଧା କରାଯାଇଛି । ସନ୍ଧ୍ୟାରେ ବନ୍ୟପ୍ରାଣୀ ସମ୍ପର୍କିତ ଚଳଚ୍ଚିତ୍ର ପ୍ରଦର୍ଶନ ସହ ପାଠାଗାର ସୁବିଧା କରାଯାଇଛି । ୨୦୧୮-୧୯ରେ ୧୯ ହଜାର ୯୩୧ ଜଣ ପର୍ଯ୍ୟଟକ ଓଡ଼ିଶାର ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ରାତି୍ରଯାପନ କରିଛନ୍ତି । ୨୦୧୭-୧୮ରେ ୯୩୦୦ ପର୍ଯ୍ୟଟକ ଆସିଥିଲେ । ଚଳିତବର୍ଷ ସର୍ବଭାରତୀୟ ସ୍ତରରେ ଫେଡେରେସନ୍ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଦ୍ୱାରା ଓଡ଼ିଶା ‘ସର୍ବୋତ୍ତମ ପରିବେଶ ପର୍ଯ୍ୟଟନ ପ୍ରେରଣା’ ପୁରସ୍କାର ପାଇଛି । ବାଲେଶ୍ୱର ଜିଲ୍ଲାର କୁଲଡିହା ଅଭୟାରଣ୍ୟ ମଧ୍ୟରେ ୯ଟି ତମ୍ବୁ ନିର୍ମିତ କୁଟୀର (୧୮ଟି ଶଯ୍ୟା) ଗ୍ରାମବାସୀ ଚଳାଉଛନ୍ତି । ବିଚିତ୍ରାପୁରରେ ୪ଟି ପ୍ରି-ଫ୍ୟାବି୍ରକେଟେଡ୍ କଟେଜ୍ (୮ଟି ଶଯ୍ୟା) କାର୍ଯ୍ୟକାରୀ କରାଯାଉଛି । ଚାନ୍ଦିପୁରରେ ସମୁଦ୍ର କୂଳରେ ୬ଟି କୋଠରୀ ଆଗାମୀ ୧ ମାସରେ କାର୍ଯ୍ୟକାରୀ ହେବାର ଅଛି, ଯେଉଁଠାରୁ ପର୍ଯ୍ୟଟକମାନେ ଚାନ୍ଦିପୁର ସମୁଦ୍ର ଉପଭୋଗ କରିପାରିବେ ।
ମୂଳ ପ୍ରଶ୍ନକର୍ତ୍ତା ବିଧାୟକ ଅଶ୍ୱିନୀ ପାତ୍ର ବାଲେଶ୍ୱରର ତଳସାରୀ ଓ ଡୋଗରାକୁ ଇକୋ ଟୁରିଜିମ କେନ୍ଦ୍ର କରିବା ନେଇ ପ୍ରସ୍ତାବ ଦେଇଥିଲେ । ବିଧାୟକ ସୁବାସ ପାଣିଗ୍ରାହୀ ଦେବଗଡ଼ରେ ଇକୋ ଟୁରିଜିମ ବ୍ୟବସ୍ଥା କରିବାକୁ ମତ ରଖିଥିଲେ । ବିଧାୟକ ମହମ୍ମଦ ମୋକିମ କଟକ କଥା ଉଠାଇଥିବାବେଳେ ବିଧାୟକ ପ୍ରତାପ କେଶରୀ ଦେବ ଭିତରକନିକାକୁ ଆସୁଥିବା ଡିପ୍ଲୋମାଟିକ୍ ପାସଧାରୀଙ୍କ ସମସ୍ୟା କଥା କହିଥିଲେ ।
ମନ୍ତ୍ରୀ ଶ୍ରୀ ଆରୁଖ କହିଲେ, ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବିଭିନ୍ନ ପ୍ରସ୍ତାବଗୁଡ଼ିକ ଉପରେ ଅନୁଧ୍ୟାନ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons