ମାସେ ଲଢ଼ିଲେ, କରୋନାକୁ ହରାଇଲେ

Get real time updates directly on you device, subscribe now.

ଜୟପୁର: ନିଜ ଭୁଲ୍ ପାଇଁ ମାସେ ହେବ କରୋନା କବଳରେ ରହିଥିଲେ । ଦୀର୍ଘ ୩୧ ଦିନ କାଳ ଲଢେ଼ଇ କରି ଯୁଦ୍ଧରେ ବିଜୟୀ ହୋଇଛନ୍ତି ଜଣେ ମହିଳା । ସେ ହେଲେ କୋଟପାଡ଼ ବ୍ଲକ ଘୁମର ପଞ୍ଚାୟତ ହର୍ଦ୍ଧଳୀ ଗାଁର ଲକ୍ଷ୍ମୀ ସ୍ୱାଇଁ(୫୫) ।୧ ଆଜି ସ୍ଥାନୀୟ କୋଭିଡ୍ ହସପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଲକ୍ଷ୍ମୀଙ୍କ ପରିବାରର ୭ଜଣ ସଦସ୍ୟ ମଧ୍ୟ କରୋନାରେ ପୀଡ଼ିତ ଥିଲେ । ୬ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଜୀବନ ନେଇଗଲା ମହାମାରୀ । ଲକ୍ଷ୍ମୀଙ୍କ ଫୁସଫୁସ୍ ୮୦ ପ୍ରତିଶତରୁ ଅଧିକ ସଂକ୍ରମିତ ଥିଲା । ମୃତୁ୍ୟକୁ ହରାଇ ଦ୍ୱିତୀୟ ଜନ୍ମ ପାଇଥିବାରୁ ଡାକ୍ତର, କର୍ମଚାରୀ ଏବଂ ପ୍ରଶାସନକୁ ଜଣାଇଛନ୍ତି ଧନ୍ୟବାଦ ।
ଲକ୍ଷ୍ମୀଙ୍କ ସୂଚନା ଅନୁଯାୟୀ, ସେ ହର୍ଦ୍ଧଳୀର ଜଗନ୍ନାଥ ସ୍ୱାଇଁଙ୍କ ପତ୍ନୀ । ଗତ ମାସରେ ତାଙ୍କ ପୁତୁରା ବୋହୂ ସଂକ୍ରମିତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତୁ୍ୟ ହୋଇଥିଲା । ଏହାପରେ ପରିବାରର ଆଉ ୬ ସଦସ୍ୟଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରଥମେ ହୋମ୍ ଆଇସୋଲେସନ୍ ଏବଂ ଗତ ୨୬ ତାରିଖରେ ସ୍ଥାନୀୟ କୋଭିଡ୍ କେୟାର ସେଣ୍ଟରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସାଧାରଣ ବେଡ୍ରେ ରହି ଚିକିତ୍ସିତ ହୋଇଥିଲେ । ସୁସ୍ଥ ହେବା ପରେ ପରିବାରର ୪ ଜଣ ଘରକୁ ଫେରି ଯାଇଥିଲେ । ରହିଯାଇଥିଲେ ସେ ଏବଂ ତାଙ୍କ ପୁତୁରା । ୫ ଦିନ ପରେ ପୁତୁରା ଭଲହୋଇ ଘରକୁ ବାହାରିବାରୁ ସେ ଡରି ଯାଇଥିଲେ । ଦେହ ଭଲ ହୋଇଗଲାଣି, ଡାକ୍ତରଖାନାରୁ ଛାଡ଼ି ଦିଆଯାଉ ବୋଲି ଜିଦ୍ କରିଥିଲେ । ବାରମ୍ବାର ଦାବି କରିବାରୁ ବାଧ୍ୟହୋଇ ତାଙ୍କୁ ରିଲିଭ୍ କରାଯାଇଥିଲା । ଘରେ ପହଞ୍ଚି ମୁଣ୍ଡ ଧୋଇ ଗାଧୋଇ ପକାଇଥିଲେ ସେ(ଲକ୍ଷ୍ମୀ) । ସେଦିନ ରାତି ତାଙ୍କ ପାଇଁ କାଳରାତି ସାବ୍ୟସ୍ତ ହୋଇଥିଲା । ପୁଣିଥରେ ଗୁରୁତର ହୋଇ ପଡ଼ିଥିଲେ । ଶ୍ୱାସକ୍ରିୟାରେ ସମସ୍ୟା ଦେଖାଗଲା । ଶରୀରରେ ଅମ୍ଳଜାନସ୍ତର କମିବାରେ ଲାଗିଲା । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ପୁଣିଥରେ କୋଭିଡ୍ ହସପିଟାଲକୁ ଅଣାଯାଇଥିଲା । ସେତେବେଳକୁ ଶରୀରରେ ଅମ୍ଳଜାନ ସ୍ତର ୬୦ ତଳକୁ ଖସି ଆସିଥିଲା । ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ବିଭିନ୍ନ ଯାଞ୍ଚ କରାଯାଇଥିଲା । ଜଣାପଡିଥିଲା ଲକ୍ଷ୍ମୀଙ୍କ ଫୁସଫୁସ୍ ୮୦ ପ୍ରତିଶତରୁ ଅଧିକ ସଂକ୍ରମିତ ହୋଇସାରିଛି ।
ବଞ୍ଚିବା ଆଶା କମିଯାଉଥିବା ସମ୍ପର୍କରେ ପରିବାର ସଦସ୍ୟଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅବଗତ କରାଇଥିଲେ । ଭେଣ୍ଟିଲେଟର୍ ସପୋର୍ଟରେ ରଖାଯାଇ ଚିକିତ୍ସା ଜାରି ରହିଥିଲା । ୪ ଦିନ କାଳ ଅଚେତ ଅବସ୍ଥାରେ ରହିବା ପରେ ଆଶାର କିରଣ ଦେଖାଯାଇଥିଲା । ଶ୍ୱାସକ୍ରିୟାରେ ସୁଧାର ଆସିବାରୁ ଧୀରେ ଧୀରେ ଭେଣ୍ଟିଲେଟର ହଟା ଯାଇଥିଲା । ୧୭ ଦିନ ଆଇସିୟୁରେ ରହିବା ପରେ ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନ୍ କକ୍ଷରେ ରଖାଯାଇଥିଲା । ଆଜି ସୁସ୍ଥ ହୋଇ ଘରକୁ ଫେରିବା ବେଳେ ଆଖି ଛଳ ଛଳ କରି ହସପିଟାଲର ଡାକ୍ତରଙ୍କ ସହ ଷ୍ଟାଫନର୍ସ, ଆଟେଣ୍ଡାଣ୍ଟ, ସଫେଇ କର୍ମଚାରୀ ସମସ୍ତଙ୍କୁ ବିଦାୟ ଜଣାଇଥିଲେ । ଯାହା ଏକ ଭାବାବେଗ ପରିବେଶ ସୃଷ୍ଟି କରିଥିଲା । ଲକ୍ଷ୍ମୀ କହିଛନ୍ତି, କରୋନା ହେଲେ ଡାକ୍ତରଙ୍କ ପରାମର୍ଶ ମାନିବା ଜରୁରୀ । ନିଜକୁ ଡାକ୍ତର ଭାବି କୌଣସି ନିଷ୍ପତ୍ତି ନେବା ଭୁଲ । ନିଜର ଛୋଟ ଭୁଲ ଲାଗି ସେ ମାସାଧିକ କାଳ ହନ୍ତସନ୍ତ ହେଲେ । କେବଳ ସେ ନୁହନ୍ତି, ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଲେ । ଗୋଟିଏ ଛୋଟ ଭୁଲର ପରିଣାମ କେତେ ଭୟଙ୍କର ହେଲା ତାହା ଭାବିଲେ ଦେହ ଶୀତେଇ ଉଠୁଛି ।
ଏ ସମ୍ପର୍କରେ କୋଭିଡ୍ ହସ୍ପିଟାଲ୍ ଏଏମ୍ଓ ଡାକ୍ତର ଆଶିଷ ପାଣିଗ୍ରାହୀ କହିଛନ୍ତି, ପ୍ରଥମ ଥର ଆସିଥିବା ବେଳେ ଲକ୍ଷ୍ମୀଙ୍କ ଅବସ୍ଥା ସଙ୍ଗୀନ ଥିଲା । ଘର, କୋଭିଡ୍ କେୟାର ସେଣ୍ଟର ଏବଂ କୋଭିଡ୍ ହସପିଟାଲରେ ରହିଥିବା ଦିନ ମିଶାଇ ସେ ସୁସ୍ଥ ହୋଇଗଲେଣି ବୋଲି କହିଥିଲେ । ଯେତେ ବୁଝାଇଲେ ବି ମାନି ନଥିଲେ । ତାଙ୍କୁ ଅଯଥା ରଖାଯାଉଛି ବୋଲି ଅଭିଯୋଗ କରିଥିଲେ । ଶେଷରେ ବାଧ୍ୟହୋଇ ତାଙ୍କୁ ଡି୍ସଚାର୍ଜ କରାଯାଇଥିଲା । ପରଦିନ ପୁଣି ଡାକ୍ତରଖାନା ଆଣିବା ସମୟରେ ତାଙ୍କ ଅବସ୍ଥା ଅତି ଗୁରୁତର ରହିଥିଲା । କାର୍ଯ୍ୟରତ ଡାକ୍ତର, ଷ୍ଟାଫନର୍ସ, ଆଟେଣ୍ଡାଣ୍ଟ ଏବଂ ସଫେଇ କର୍ମଚାରୀ ନିଜ କର୍ତ୍ତବ୍ୟ କରିଛନ୍ତି । ମହିଳାଙ୍କୁ ଖୁଆଇଦେବା, ମୁଣ୍ଡ କୁଣ୍ଡାଇବା, ଗୋଡ଼ହାତ ଘସିଦେବା, ଶୌଚାଳୟ ନେବା ଆଣିବା ସହ ଅନ୍ୟାନ୍ୟ କାମରେ ସହଯୋଗ କରିଛନ୍ତି । ଡାକ୍ତରଖାନାକୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କୁ ନିଜ ପରିବାରର ଜଣେ ସଦସ୍ୟ ଭଳି ଚିକିତ୍ସା କରାଯାଉଛି । ଏ ପର୍ଯ୍ୟନ୍ତ ୩୧ ଦିନ ଆକ୍ରାନ୍ତ ରହି ଭଲ ହେବା କ୍ଷେତ୍ରରେ ଲକ୍ଷ୍ମୀ ହେଉଛନ୍ତି ପ୍ରଥମ ମହିଳା ।

କୋରାପୁଟରୁ ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons