
ପୁରୀ,(ବି.ବି.ନୁ୍ୟଜ): ମାସ୍କ ଚେକିଂ କରି ଜନତାଙ୍କ ଠାରୁ ଜରିମାନା ଆଦାୟ ପରେ ଫସିଛନ୍ତି ଜଣେ ପୁଲିସ ବାବୁ । ଟ୍ରାଫିକ୍ କନେଷ୍ଟବଳ ବିଭୁଦତ୍ତ ସାହୁ ତଣ୍ଡ ଗଣିଛନ୍ତି ୨ହଜାର ଟଙ୍କା । କାର୍ଯ୍ୟରତ ସମୟରେ ମାସ୍କ ମୁହଁରୁ ଖସାଇ ବେକରେ ପିନ୍ଧିଥିଲେ । ଏଭଳି ଅବସ୍ଥାରେ ଡାକ୍ତରଖାନା ଛକ ଟ୍ରାଫିକ୍ ପୋଷ୍ଟରେ ଛିଡା ହୋଇ ଅନ୍ୟ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସହ କଥା ହେଉଥିବାର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏସ୍ପି ନେଇଛନ୍ତି ପଦକ୍ଷେପ । ଟ୍ରାଫିକ୍ ଇନ୍ସପେକ୍ଟର୍ ସୁଧୀର ସାହୁ ଡାକ୍ତରଖାନା ଛକ ଟ୍ରାଫିକ୍ ଆଉଟ୍ ପୋଷ୍ଟ୍ରେ ତାଙ୍କ ଠାରୁ ଏହି ଜରିମାନା ଆଦାୟ କରିଛନ୍ତି । ଜରିମାନା ଆଦାୟ କରିବାର ଫଟୋକୁ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜିଙ୍କ ସହ ବିଭିନ୍ନ ବିଭାଗକୁ ଏସ୍ପି ଟୁଇଟ୍ କରି ଜଣାଇଛନ୍ତି ।
ପୁଲିସ ମାସ୍କ ଚେକିଂ ନାଁରେ ଜୁଲମ୍ ଆରମ୍ଭ କରିଥିବା ଅଭିଯୋଗ ହେଉଛି । ମୋବାଇଲ୍ରେ କଥା ହେଉଥିବାବେଳେ ଯଦି ନିଶ କିମ୍ବା ଦାଢିରେ ଟାଣି ହୋଇ ମାସ୍କ ଖସିଯାଇଥିବ ସେଠାରେ ବି ପୁଲିସ ଜରିମାନା ଆଦାୟ କରି ଲୋକଙ୍କୁ ହଇରାଣ କରୁଥିବା ନେଇ ସୋସିଆଲ୍ ମିଡିଆରେ ବାରମ୍ବାର ଅଭିଯୋଗ ହୋଇଛି । ତେଣୁ ପୁଲିସ ପ୍ରତି ଜନତାଙ୍କ ଆକ୍ରୋଶ ବଢ଼ୁଥିଲା । ବାବୁମାନେ ମାସ୍କ ନପିନ୍ଧି ଫାଇନ୍ କାଟୁଥିଲେ । ଏପରିକି ଜନଗହଳିପୂର୍ଣ୍ଣ ସ୍ଥାନରେ ଓ ଡୁ୍ୟଟି ସମୟରେ ବିନା ମାସ୍କରେ ରହୁଥିଲେ । ଯଦି କେହି ତାଙ୍କୁ ବିରୋଧ କରୁଥିଲା ତେବେ ବାବୁମାନେ ଆଇନ୍ କାନୁନ୍ର ଦଫା ଦେଖାଇ ଚୁପ୍ କରାଉଥିଲେ । ଶେଷରେ ଜନତା ବିନା ମାସ୍କରେ ବୁଲି ପତିଆରା ଜାହିର୍ କରୁଥିବା ବାବୁ ଓ ମାଡାମ୍ମାନଙ୍କ ଫଟୋ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କଲେ । ଏହାର ଏକ ଫଟୋ ସହ ଖବର ମଙ୍ଗଳବାର ‘ପ୍ରମେୟ’ରେ ପ୍ରକାଶ ପାଇଥିଲା ।
Comments are closed, but trackbacks and pingbacks are open.